ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, 8 ମହିଳାଙ୍କ ସମେତ ଅଛନ୍ତି 30 ଯାତୀ
ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି 30 ଜଣ ଯାତ୍ରୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗା ଫସିରହିଥିବା ସୂଚନା ।
ବ୍ରହ୍ମଗିରି: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି 30 ଜଣ ଯାତ୍ରୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗା ଫସିରହିଥିବା ସୂଚନା । ସାତପଡ଼ାରୁ ଜହ୍ନିକୁଦାକୁ ଯାତ୍ରୀ ନେଇ ଯାଉଥିଲା ଡଙ୍ଗା । ଏହି ଡଙ୍ଗାରେ 8 ଜଣ ମହିଳାଙ୍କ ସମେତ 30 ଜଣ ଯାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ମହିଷାତଳରେ ଆଜି ସନ୍ଧ୍ୟାରେ ଯାତ୍ରୀବାହୀ ଡଙ୍ଗା ବାଲିକୁଦରେ ଲାଗିବା ଫଳରେ ଆଗକୁ ବଢ଼ି ପାରି ନାହିଁ।
ରିପୋର୍ଟ ଅନୁସାରେ ସାତପଡ଼ାରୁ ଆଜି ଅପରାହ୍ଣ 4ଟା 45ରେ ଏକ ଘରୋଇ ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାରେ 8 ଜଣ ମହିଳାଙ୍କ ସମେତ 30 ଜଣ ଯାତ୍ରୀ ଥିଲେ। ଏଥି ସହିତ ଡଙ୍ଗାରେ 15ଟି ବାଇକ୍ ରହିଥିଲା। ପ୍ରାୟ 5ଟା 20ମିନିଟରେ ଚିଲିକାର ମହିଷାତଳ ଠାରେ ପହଞ୍ଚିଥିବା ବେଳେ କୁଦରେ ଅଟକି ଯାଇଛି। ଡଙ୍ଗାରେ ଥିବା ମେସିନ ଭାଙ୍ଗିଯାଇଛି। ଏହି କାରଣରୁ ଡଙ୍ଗାଟି ଆଗକୁ ବଢ଼ିପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଡଙ୍ଗାଟି ମଝି ଚିଲକାରେ ଫସି ରହିଛି। କୌଣସି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିପାରି ନାହାନ୍ତି। ଅନ୍ୟ ମତ୍ସ୍ୟଜୀବୀଙ୍କ ଡଙ୍ଗା ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଚଳିତ ମାସ ଦ୍ବିତୀୟ ଥର ପାଇଁ ଚିଲିକା ଜଳରାଶିରେ ଡଙ୍ଗା ଅଟକିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୁବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ ହେଉଛି।