ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲା ଗୁଗଲ୍, ହୋମ୍ ପେଜରେ କଲା ବଡ଼ ପରିବର୍ତ୍ତନ

ୱାଶିଂଟନ,୧୩ା୬: ଗତକାଲି ଅର୍ଥାତ୍ ଗୁରୁବାର ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ AI-171 ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ ଆରମ୍ଭ ହେବାର ୨ ମିନିଟ୍ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା କ୍ରୁ ସଦସ୍ୟଙ୍କ ସମେତ ୨୪୧ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା। ଏହି ଖବର ପରେ ସାରା ଦେଶରେ ଶୋକର ଛାୟା ଖେଳିଗଲା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହି ସମୟରେ ଟେକ୍ ଜାଏଣ୍ଟ ମଧ୍ୟ ଅହମ୍ମଦାବାଦ ବିମାନ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛି। କମ୍ପାନୀ ଏହାର ହୋମ୍ ପେଜରେ ପରିବର୍ତ୍ତନ କରିଛି। ଶୋକ ସ୍ୱରୂପ ଏକ କଳା ରିବନ ଯୋଡାଯାଇଛି।

ଗୁଗୁଲ୍ ଏହାର ହୋମ୍ ପେଜରେ ପରିବର୍ତ୍ତନ କରିଛି। କମ୍ପାନୀ ସର୍ଚ୍ଚ ବାର୍ ତଳେ କଳା ରିବନ ରଖିଛି। ଯେତେବେଳେ ମାଉସକୁ ରିବନର ପ୍ରତିଛବି ଉପରେ ବୁଲାଇ ଦିଆଯାଏ, ସେତେବେଳେ ଦୁଃଖଦ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ସ୍ମୃତିରେଏସଏମଏସ ଲେଖା ଯାଇଥିବା ଦେଖିବାକୁ ମିଳେ। ଗୁରୁବାର  ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଲଣ୍ଡନ ଯାଉଥିବା ବିମାନଟି ଏଠାରେ ଏକ ମେଡିକାଲ କଲେଜ କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଗଲା।

ଏୟାର ଇଣ୍ଡିଆ ନିଶ୍ଚିତ କରିଛି ଯେ, AI171 ବିମାନରେ ଥିବା ୨୪୧ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେହି ସମୟରେ,ବିମାନରେ ଥିବା ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ବିମାନରେ ୧୬୯ ଭାରତୀୟଙ୍କ ବ୍ୟତୀତ ୫୩ ଜଣ ବ୍ରିଟିଶ, ଜଣେ କାନାଡିଆନ ଏବଂ ସାତ ଜଣ ପର୍ତ୍ତୁଗୀଜ ନାଗରିକ ଥିଲେ।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ବିମାନ କମ୍ପାନୀ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛି। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି।