ନୂଆଦିଲ୍ଲୀ,୧୯ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୯ ଜୁନ୍ ଅର୍ଥାତ୍ ଗୁରୁବାର ଦିନ ତାଙ୍କର ୫୫ତମ ଜନ୍ମଦିନ ଅତି ନିରାଡମ୍ବର ସହକାରେ ପାଳନ କରିଛନ୍ତି। ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣ, ଅହମ୍ମଦାବାଦ ବିମାନ ଦୁର୍ଘଟଣା ଏବଂ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଯୋଗୁ ସେ ସମସ୍ତ ପ୍ରକାରର ଉତ୍ସବରୁ ଦୂରେଇ ରହିଥିଲେ। ରାହୁଲ ଦଳୀୟ କାର୍ଯ୍ୟାଳୟ ୨୪, ଆକବର ରୋଡରେ କର୍ମୀ ଏବଂ ନେତାଙ୍କୁ ଭେଟିଥିଲେ କିନ୍ତୁ କେକ୍ କାଟିବାକୁ ମନା କରିଥିଲେ।
କଂଗ୍ରେସ ମଧ୍ୟ ଏହି ଅବସରରେ ନିରାଡମ୍ବରତା ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା। ଦଳୀୟ ମୁଖ୍ୟାଳୟ ଭିତରକୁ ଢୋଲ ବାଜିବାକୁ ଅନୁମତି ଦିଆ ଯାଇ ନ ଥିଲା। ଦଳ କହିଛି, ଦୂରଦୂରାନ୍ତରୁ ଆସିଥିବା କର୍ମୀ ଏବଂ ନେତାମାନେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚାହୁଁଥିଲେ। ତେଣୁ କେବଳ ଏକ ସଭା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ସମୟରେ ରାହୁଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଦେଶର ବର୍ତ୍ତମାନର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଥିଲେ।
ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି ସମ୍ବେଦନଶୀଳ ନୁହନ୍ତି: ସୁପ୍ରିୟା ଶ୍ରୀନେଟ
କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ ରାହୁଲ ଗାନ୍ଧୀଙ୍କ ସମ୍ବେଦନଶୀଳତାର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ’ରାହୁଲ ଜୀ ଅତ୍ୟନ୍ତ ସମ୍ବେଦନଶୀଳ। ସେ କେବଳ ଲୋକଙ୍କୁ ଭେଟିଥିଲେ ଏବଂ କେକ୍ କାଟିବାକୁ ମନା କରିଥିଲେ। ଅନ୍ୟପକ୍ଷରେ ଆମ ପାଖରେ ପ୍ରଧାନମନ୍ତ୍ରୀ ମୋଦୀ ଅଛନ୍ତି ଯିଏ ଏହି ଦୁଃଖର ଘଡ଼ିରେ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ହସି ହସି ଫଟୋ ସେୟାର କରୁଛନ୍ତି ଏବଂ ଟୁଇଟରରେ ସବୁବେଳେ ଆକ୍ଟିଭ୍ ରହୁଛନ୍ତି।
ସୁପ୍ରିୟା ଶ୍ରୀନେଟ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ପ୍ରତିକ ଦାବି ଉପରେ କଠୋର ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁମାନେ ଆତଙ୍କବାଦୀ ଅସୀମ ମୁନିରଙ୍କୁ ମୁର୍ଘ ମୁସଲ୍ଲମ ଖାଇବାକୁ ଦେଉଛନ୍ତି। ଯେଉଁ ମହିଳାମାନଙ୍କ ସିନ୍ଦୂର ଲିଭାଇ ଦିଆଯାଇଥିଲା ସେମାନେ ତାଙ୍କୁ କ’ଣ ଉତ୍ତର ଦେବେ? ଟ୍ରମ୍ପ ୧୫ତମ ଥର ପାଇଁ ଭାରତ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶେହବାଜ ସରିଫଙ୍କ ବଦଳରେ ମୁନିରଙ୍କ ସମକକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଏହାର ଉତ୍ତର କାହିଁକି ଦେଉନାହାନ୍ତି?’
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ସେହି ସମୟରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମଧ୍ୟ ଦେଶକୁ ଏକ ବଡ଼ ଝଟ୍କା ଦେଇଥିଲା। ଯେଉଁଥିରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାଗୁଡ଼ିକ ଯୋଗୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ତାଙ୍କ ଜନ୍ମଦିନ ଅବସରରେ ସବୁ ଉତ୍ସବ ପାଳନକୁ ବନ୍ଦ କରିଦେଇଛନ୍ତି।