୨୧ରୁ ସଂସଦର ମୌସୁମୀ ଅଧିବେଶନ, ସରକାରଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୨ା୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏକ ସରକାରୀ ବିଜ୍ଞପ୍ତିରେ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ଅଗଷ୍ଟ ୧୩ ଏବଂ ୧୪ରେ କୌଣସି ଅଧିବେଶନ ହେବ ନାହିଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମୟ ମଧ୍ୟରେ ସଂସଦର ଉଭୟ ଗୃହ ଡକାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସଂସଦର ବଜେଟ ଅଧିବେଶନ ଚଳିତ ବର୍ଷ ଜାନୁଆରୀ ୩୧ରେ ଆରମ୍ଭ ହୋଇଥିଲା। ୨୦୨୫ର ପ୍ରଥମ ସଂସଦ ଅଧିବେଶନ ଶେଷ ହେବା ସହିତ ଏପ୍ରିଲ ୪ରେ ଲୋକସଭା ଏବଂ ରାଜ୍ୟସଭା ଉଭୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

ଅପରେସନ୍ ସିନ୍ଦୂର ପରେ ସଂସଦର ପ୍ରଥମ ଅଧିବେଶନ
ଅପରେସନ୍ ସିନ୍ଦୂର ଉପରେ ଆଲୋଚନା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଶୀଘ୍ର ଡକାଯିବାକୁ ବିରୋଧୀ ନେତାମାନେ ଦାବି କରୁଥିବା ବେଳେ ମୌସୁମୀ ଅଧିବେଶନର ତାରିଖ ଘୋଷଣା କରାଯାଇଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିର ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା।

କାଶ୍ମୀରରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ହେବ, ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଅଧିବେଶନ ସମୟରେ ପହଲଗାମ୍ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ଉଭୟ ବିତର୍କର ପ୍ରମୁଖ ବିଷୟ ହେବ ବୋଲି ଆଶା କରାଯାଉଛି।