ବର୍ଷାରେ ଭିଜିବ ବାହୁଡ଼ା ଯାତ୍ରା, ଆସନ୍ତା 7 ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା
ସକ୍ରିୟ ରହିଛି ମୌସୁମୀ । ଫଳରେ ବାହୁଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ଷାର ପ୍ରକୋପ ଆସନ୍ତା 7 ତାରିଖ ଯାଏଁ ଜାରି ରହିବ ।
ଭୁବନେଶ୍ବର: ଏଥର ବର୍ଷାରେ ଭିଜିବ ବାହୁଡ଼ା ଯାତ୍ରା । ସକ୍ରିୟ ରହିଛି ମୌସୁମୀ । ଫଳରେ ବାହୁଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ଷାର ପ୍ରକୋପ ଆସନ୍ତା 7 ତାରିଖ ଯାଏଁ ଜାରି ରହିବ । ଏନେଇ ଆଜି ରାଜ୍ୟର 7 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, କଳାହାଣ୍ଡି, ସୋନପୁର, ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି 7 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।
ସେହି ସମୟରେ ଘଣ୍ଟାପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିପାରେ । ସେହିପରି 5ରୁ 7 ତାରିଖ ଯାଏଁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ଝାଡ଼ଖଣ୍ଡ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ସେହିପରି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ମୌସୁମୀ ନିମ୍ନଚାପରେଖା ଏବଂ ଦକ୍ଷିଣ-ପୂର୍ବ ରାଜସ୍ଥାନରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ନିମ୍ନଚାପରେଖା ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଫଳେ ଆସନ୍ତା 24ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର, ବୌଦ୍ଧ ଏବଂ ନୂଆପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।