ପ୍ରାଇଭେଟ ଫଟୋ କିମ୍ବା ଭିଡିଓ ଲିକ୍ ହେଲେ କ’ଣ କରିବେ? ଜାଣନ୍ତୁ ହଟାଇବାର ଉପାୟ

ପ୍ରାଇଭେଟ ଫଟୋ ଲିକ୍ ହେଲେ ଡରନ୍ତୁ ନାହିଁ, କରନ୍ତୁ ଏହି କାମ

ମୁମ୍ବାଇ: ବିନା ଅନୁମତିରେ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ଇଣ୍ଟରନେଟରେ ଲିକ୍ ହେବା ଏକ ଗମ୍ଭୀର ସମସ୍ୟା। ମଦ୍ରାସ ଓ ଦିଲ୍ଲୀ ହାଇକୋର୍ଟ ଏହାକୁ ମାନସିକ ଆଘାତ ଦେବା ଘଟଣା ବୋଲି କହି ସରକାର ଓ ସୋସିଆଲ ମିଡିଆ କମ୍ପାନୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଭୟଭୀତ ନହୋଇ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରନ୍ତୁ।

୧. ତୁରନ୍ତ ରିପୋର୍ଟ କରନ୍ତୁ: ଇନଷ୍ଟାଗ୍ରାମ, ଫେସବୁକ, ଏକ୍ସ, ୟୁଟ୍ୟୁବ ଆଦି ପ୍ଲାଟଫର୍ମରେ ରିପୋର୍ଟ ଫିଚର ବ୍ୟବହାର କରନ୍ତୁ। ସ୍ପଷ୍ଟ କରନ୍ତୁ ଯେ କଣ୍ଟେଣ୍ଟ ବିନା ଅନୁମତିରେ ଅପଲୋଡ ହୋଇଛି। ଆଇଟି ନିୟମ ୨୦୨୧ ଓ ୨୦୨୩ ଅନୁଯାୟୀ, ୨୪ ଘଣ୍ଟାରେ ଅଭିଯୋଗ ଗ୍ରହଣ ଓ ୧୫ ଦିନରେ ସମାଧାନ କରିବା ବାଧ୍ୟତାମୂଳକ।

୨. ଓ୍ଵେବସାଇଟ ମାଲିକଙ୍କୁ ଯୋଗାଯୋଗ: WHOIS ଟୁଲ ଜରିଆରେ ଓ୍ଵେବସାଇଟ ମାଲିକଙ୍କ ତଥ୍ୟ ଖୋଜି
ଇ-ମେଲ କରି କଣ୍ଟେଣ୍ଟ ହଟାଇବାକୁ ଅନୁରୋଧ କରନ୍ତୁ।

୩. ସାଇବର ଅପରାଧ ଅଭିଯୋଗ: www.cybercrime.gov.in କିମ୍ବା https://sahyog.mha.gov.in/ ପୋର୍ଟାଲରେ ଅଭିଯୋଗ ଦାୟର କରନ୍ତୁ। ଏହି ପୋର୍ଟାଲ ଡିଜିଟାଲ ନିରାପତ୍ତା ଓ ଅଭିଯୋଗ ସମାଧାନରେ ସହାୟକ।

୪. ଡି-ଇଣ୍ଡେକ୍ସ ଓ ଟେକଡାଉନ: Google De-Index Tool (support.google.com/websearch/answer/6302812) ଜରିଆରେ ଗୁଗଲ ସର୍ଚରୁ କଣ୍ଟେଣ୍ଟ ବ୍ଲକ କରନ୍ତୁ। DMCA Takedown Notice ଦ୍ୱାରା କପିରାଇଟ କଣ୍ଟେଣ୍ଟ ହଟାଯାଇପାରେ।

୫. ବିଶେଷ ଟୁଲ: Meta’ର Take It Down (https://takeitdown.ncmec.org) ନାବାଳିକାଙ୍କ ଅଶ୍ଲୀଳ ଫଟୋ ରୋକିବାରେ ସହାୟକ। StopNCII.org (https://stopncii.org) ବିନା ଅନୁମତିର ନିଜସ୍ୱ ଫଟୋ ହଟାଇବାରେ ୯୦% ସଫଳ। ଗମ୍ଭୀର ମାମଲାରେ ଆଇନଗତ ନୋଟିସ କିମ୍ବା କୋର୍ଟରେ ଆବେଦନ କରନ୍ତୁ।