ବାହାଘରକୁ ପୂରିନି ମାସେ, ବିଧବା ହେବା ପାଇଁ ସ୍ତ୍ରୀର ଯୋଜନା, ସ୍ୱାମୀକୁ କୂଅକୁ ଠେଲିଦେଲା ସ୍ତ୍ରୀ

ହାତରୁ ଛାଡ଼ିନି ମେହେନ୍ଦୀ, ପାଦରୁ ଲିଭିନି ଅଳତା। ହେଲେ ବିଧବା ହେବା ପାଇଁ ସବୁ ପ୍ରସ୍ତୁତି କରିସାରିଛି ସ୍ତ୍ରୀ।

ଗଞ୍ଜାମ: ଜଘନ୍ୟ କାଣ୍ଡ। ବାହାଘରକୁ ପୁରିନି ମାସେ। ହାତରୁ ଛାଡିନି ମେହେନ୍ଦୀ କି ପାଦରୁ ଲିଭିନି ଅଳତା। ହେଲେ ନବବଧୂ ଜଣକ ନିଜ ମଥାରୁ ସିନ୍ଦୂର ପୋଛିବା ପାଇଁ ସବୁ ପ୍ରସ୍ତୁତି କରିସାରିଥିଲେ।

ଘଟଣାଟି ଟିକେ ରୋମାଞ୍ଚକର ଲାଗୁଛିନା। ହଁ ଆଜ୍ଞା ବାହାଘରକୁ ମାସେ ପୂରିନି ହେଲେ ସ୍ୱାମୀକୁ ହତ୍ୟା କରିବା ପାଇଁ କୂଅ ଭିତରକୁ ଠେଲି ଦେଇଛି ସ୍ତ୍ରୀ। ଆଉ ସ୍ୱାମୀ ନମରି କୂଅ ଭିତରକୁ ଚିତ୍କାର କରିବାରୁ ଏକ ବଡ ପଥର ଆଣି ସ୍ୱାମୀ ଉପରକୁ ଫୋପାଡ଼ିଛି। କେବଳ ସେତିକି ନୁହେଁ ପରେ ଏକ ବଡ଼ ବାଉଁଶ ଆଣି କୂଅ ଭିତରେ ସ୍ୱାମୀକୁ ବୁଡ଼ାଇ ମାରିଦେବାକୁ ମଧ୍ୟ ଚେଷ୍ଟା କରିଛି।

ରାକ୍ଷସୀ ସ୍ତ୍ରୀ: ଏପରି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତୁମସରା ଗାଁରେ। ଉକ୍ତ ଗାଁର ଗଣେଶ ଦଳେଇଙ୍କ ପୁଅ ଅମୁଲ୍ୟ ଦଳେଇ ମାସେ ହେବ ବର୍ଷା ଦଳେଇଙ୍କୁ ବିବାହ କରିଥିଲେ।

ହେଲେ ସ୍ତ୍ରୀ ସବୁବେଳେ ମୋବାଇଲ ଭିତରେ ବୁଡ଼ି ରହୁଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ମୋବାଇଲ ଦେଖୁଥିଲେ। ଏଥିରେ ବିରକ୍ତ ହୋଇ ସ୍ୱାମୀ ଅମୂଲ୍ୟ ସ୍ତ୍ରୀ ବର୍ଷାଙ୍କୁ ମୋବାଇଲ ଦେଖିବାକୁ ବାରଣ କରନ୍ତି।

ହେଲେ ସ୍ତ୍ରୀ ଜଣଙ୍କୁ ସ୍ୱାମୀର କଥା ଖାତିର ପଡେନି।  ସେ ବାରମ୍ୱାର ସେହି ଭୁଲ କରେ ଆଉ ସ୍ୱାମୀ ତାକୁ ବାରଣ କରନ୍ତି।  ହେଲେ ବର୍ଷା ସ୍ୱାମୀଙ୍କ କଥାରେ ରାଗିଯାଇ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ପ୍ଲାନ କରେ।

ସ୍ୱାମୀକୁ କୂଅକୁ ଠେଲିଦେଲା ସ୍ତ୍ରୀ: ସେଦିନ ଥାଏ ଜୁଲାଇ ମାସ ୨୧ ତାରିଖ। ମଧ୍ୟ ରାତ୍ରି ହେବ। ସ୍ୱାମୀ ଅମୂଲ୍ୟକୁ ସ୍ତ୍ରୀ ବର୍ଷା କୁହନ୍ତି ଆସ ଟିକେ ବାଡ଼ି ପଟକୁ ଯିବା ମୁଁ ସୌଚ ଯିବି।

ଆଉ ସ୍ତ୍ରୀଙ୍କ କଥାରେ ସ୍ୱାମୀ ମଧ୍ୟ ବାଡି ପଟକୁ ଯାଆନ୍ତି। ଆଉ ଯେତେବେଳେ ବାଡ଼ି ପଟରେ ଥିବା କୂଅ ପାଖରେ ଅମୂଲ୍ୟ ପହଞ୍ଚନ୍ତି ସ୍ତ୍ରୀ ବର୍ଷା ତାଙ୍କୁ କୂଅ ଭିତରକୁ ଠେଲି ଦିଅନ୍ତି।

ତାପରେ ବର୍ଷା ଭାବେ ଅମୂଲ୍ୟ ବୋଧ ହୁଅ ମରିଗଲା। ହେଲେ ଯେତେବେଳେ କୂଅ ଭିତରୁ ସେ ଚିତ୍କାର କରିବାକୁ ଲାଗନ୍ତି, ବର୍ଷା ସତେବେଳେ ଏକ ବଡ଼ ପଥର ଆଣି ଅମୂଲ୍ୟଙ୍କୁ ଉପରକୁ ଫିଙ୍ଗନ୍ତି। ଆଉ ପଥରଟି ଅମୂଲ୍ୟଙ୍କ ମୁଣ୍ଡରେ ବାଜେ ଆଉ ସେ କୂଅ ଭିତରେ ରକ୍ତ ଜୁଡୁବୁଡୁ ହୋଇଯାଆନ୍ତି।

ଏତିକିରେ ବର୍ଷାଙ୍କର ମନ ଶାନ୍ତ ହୁଏନି। ତାପରେ ଆଉ ଏକ ବଡ଼ ବାଉଁଶ ଆଣି କୂଅ ଭିତରକୁ ଖେଞ୍ଚନ୍ତି। ଯେପରି ବାଉଁଶଟି ଅମୂଲ୍ୟଙ୍କ ଦେହରେ ବାଜିବ ଏବଂ ସେ ପାଣି ଭିତରେ ବୁଡ଼ି ମରିଯିବେ।

ଉଦ୍ଧାର କଲେ ବାପା ମାଆ: ହେଲେ ଯନ୍ତ୍ରଣାରେ କୂଅ ଭିତରେ ଛଟପଟ ହେଉଥିବା ଅମୂଲ୍ୟଙ୍କ ଚିତ୍କାର ଶୁଣି ତାଙ୍କ ବାପା ମାଆଙ୍କ ନିଦ ଭାଙ୍ଗିଯାଏ। ଆଉ ସେ କୂଅ ପାଖକୁ ଆସି ପୁଅ ଅମୂଲ୍ୟକୁ ଉଦ୍ଧାର କରି ବେଲଗୁଣ୍ଠା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ବର୍ଷା ସେଠାରୁ ଫେରାର ହୋଇଯାଇଥିଲା।

ପରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ଡାକ୍ତର ଅମୂଲ୍ୟଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ପରେ ଘଟଣା ସମ୍ପର୍କରେ ୨୨ ତାରିଖ ଦିନ ଥାନାରେ ଏକ ଏତଲା ଦାୟର କରାଯାଇଥିଲା।  ୨୩ ତାରିଖ ଦିନ ଅଭିଯୁକ୍ତ ସ୍ତ୍ରୀ ବର୍ଷାକୁ ଗିରଫ କରିଛି ପୋଲିସ।