Traffic Rule: କେତେ ଚାଲାଣ କଟିବା ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୁଏ? କେମିତି ପୁନଃ କିପରି ପାଇବେ DL

ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା କେବଳ ଜରିମାନାରେ ସୀମିତ ନୁହେଁ, ବରଂ ଏହା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବାର କାରଣ ମଧ୍ୟ ହୋଇପାରେ। ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ପାଇଁ ସରକାର କଡ଼ା ନିୟମ ଲାଗୁ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କେତେ ଚାଲାଣ କଟିବା ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ, ତାହା ଆସନ୍ତୁ ଜାଣିବା।

କେତେ ଚାଲାଣ ପରେ ଲାଇସେନ୍ସ ରଦ୍ଦ ହୁଏ?
ଭାରତରେ ଟ୍ରାଫିକ ନିୟମ ରାଜ୍ୟ ଅନୁଯାୟୀ କିଛି ଭିନ୍ନ ହୋଇପାରେ। ତେବେ ସାଧାରଣତଃ କେତେକ ରାଜ୍ୟରେ ୫ଟିରୁ ଅଧିକ ଚାଲାଣ କଟିବା ପରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇପାରେ। ଉଦାହରଣ ସ୍ୱରୂପ, ଉତ୍ତର ପ୍ରଦେଶରେ ୫ଟିରୁ ଅଧିକ ଚାଲାଣ ବକାୟା ଥିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ସହ ବାହନକୁ ବ୍ଲାକଲିଷ୍ଟ କରାଯାଇପାରେ। ଅନ୍ୟପକ୍ଷେ, ଗୁରୁତର ଉଲ୍ଲଂଘନ ଯେପରିକି ନିଶାସେବନ କରି ଗାଡ଼ି ଚାଳନା, ବିନା ଲାଇସେନ୍ସରେ ଗାଡ଼ି ଚାଳନା, ବା ନାବାଳକଙ୍କ ଦ୍ୱାରା ଗାଡ଼ି ଚାଳନା କରିବା ପରି ଘଟଣାରେ ପ୍ରଥମ ଉଲ୍ଲଂଘନରେ ହିଁ ଲାଇସେନ୍ସ ରଦ୍ଦ ହୋଇପାରେ।

ଗୁରୁତର ଉଲ୍ଲଂଘନ ଓ ଦଣ୍ଡ
ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ, ନିମ୍ନଲିଖିତ ଉଲ୍ଲଂଘନଗୁଡ଼ିକ ଗୁରୁତର ବିବେଚନା କରାଯାଇ ଲାଇସେନ୍ସ ରଦ୍ଦ କରାଯାଇପାରେ:

ବିନା ଲାଇସେନ୍ସରେ ଗାଡ଼ି ଚାଳନା: ୫,୦୦୦ ଟଙ୍କା ଜରିମାନା ଓ ୩ ମାସ ଜେଲ ସହ ଲାଇସେନ୍ସ ରଦ୍ଦ।
ନିଶାସେବନ କରି ଗାଡ଼ି ଚାଳନା: ପ୍ରଥମ ଥର ପାଇଁ ୧୦,୦୦୦ ଟଙ୍କା ଜରିମାନା ଓ ୬ ମାସ ଜେଲ, ଏବଂ ଦ୍ୱିତୀୟ ଥର ପାଇଁ ୧୫,୦୦୦ ଟଙ୍କା ଜରିମାନା ଓ ୨ ବର୍ଷ ଜେଲ।
ବିନା ହେଲମେଟରେ ଦୁଇଚକିଆ ଗାଡ଼ି ଚାଳନା: ୧,୦୦୦ ଟଙ୍କା ଜରିମାନା ଓ ୩ ମାସ ପାଇଁ ଲାଇସେନ୍ସ ନିଲମ୍ବନ।
ନାବାଳକଙ୍କ ଦ୍ୱାରା ଗାଡ଼ି ଚାଳନା: ୨୫,୦୦୦ ଟଙ୍କା ଜରିମାନା, ୩ ବର୍ଷ ଜେଲ, ବାହନ ରେଜିଷ୍ଟ୍ରେସନ ରଦ୍ଦ, ଏବଂ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଲାଇସେନ୍ସ ପାଇଁ ଅଯୋଗ୍ୟତା।
ଓଭରସ୍ପିଡିଂ ବା ରେସିଂ: ୫,୦୦୦ ଟଙ୍କା ଜରିମାନା, ଏବଂ ବାରମ୍ବାର ଉଲ୍ଲଂଘନ ହେଲେ ଲାଇସେନ୍ସ ରଦ୍ଦ।

ଚାଲାଣ ନ ଭରିବାର ପରିଣାମ
ଯଦି ଚାଲାଣର ଜରିମାନା ୯୦ ଦିନ ମଧ୍ୟରେ ଜମା କରାନଯାଏ, ତେବେ ଏହା କୋର୍ଟକୁ ଯାଇପାରେ। କୋର୍ଟ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଜାରି କରିପାରେ, ଏବଂ ଏହା ପରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଏହା ବ୍ୟତୀତ, ବକାୟା ଚାଲାନର ସଂଖ୍ୟା ଅଧିକ ହେଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ସହ ବାହନ ଜବତ ହୋଇପାରେ।

କେମିତି ପୁନଃ ଲାଇସେନ୍ସ ପାଇବେ?
ଯଦି ଆପଣଙ୍କ ଲାଇସେନ୍ସ ରଦ୍ଦ ହୋଇଯାଏ, ତେବେ ଆପଣଙ୍କୁ ପୁନଃ ଆବେଦନ କରିବାକୁ ପଡ଼ିପାରେ। ଏଥିପାଇଁ https://parivahan.gov.in/ ଜାତୀୟ ପରିବହନ ପୋର୍ଟାଲରେ ଯାଇ ଅନଲାଇନ ସେବା ମାଧ୍ୟମରେ ଆବେଦନ କରିବାକୁ ହେବ। ରାଜ୍ୟ ଅନୁଯାୟୀ ନିୟମ ଅନୁସାରେ, ଆପଣଙ୍କୁ କୋର୍ଟରେ ଅନୁରୋଧ କରିବାକୁ ପଡ଼ିପାରେ ବା ନୂଆ ଡ୍ରାଇଭିଂ ଟେଷ୍ଟ ଦେବାକୁ ହୋଇପାରେ।

କେମିତି ରୋକିବେ ଲାଇସେନ୍ସ ରଦ୍ଦ?
ଟ୍ରାଫିକ ନିୟମ ଯଥାସମ୍ଭବ ପାଳନ କରନ୍ତୁ।
ହେଲମେଟ, ସିଟବେଲ୍ଟ, ବୈଧ ଲାଇସେନ୍ସ, ଇନସୁରାନ୍ସ ଓ ପିୟୁସି ସାର୍ଟିଫିକେଟ ସବୁବେଳେ ସାଙ୍ଗରେ ରଖନ୍ତୁ।
ଚାଲାଣ କଟିବା ପରେ ୯୦ ଦିନ ମଧ୍ୟରେ ଜରିମାନା ଜମା କରନ୍ତୁ।
ଡିଜିଲକର ବା ଏମ-ପରିବହନ ଆପରେ ଡ଼ିଜିଟାଲ ଡ଼କ୍ୟୁମେଣ୍ଟ ରଖନ୍ତୁ, ଯାହା ମଧ୍ୟ ବୈଧ ବିବେଚନା କରାଯାଏ।