ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ: ଗୋଡ଼ପୋଛାରେ ଜଗନ୍ନାଥଙ୍କ ମୁହଁ, ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ

ଗୋଡ଼ପୋଛାରେ ରହିଛି ଜଗନ୍ନାଥଙ୍କ ମୁହଁ

ପୁରୀ: ଚାଇନିଜ୍‌ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଡୋରମ୍ୟାଟ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହି ଅପମାନଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ଓ ଭକ୍ତମାନେ ତୀବ୍ର ପ୍ରତିବାଦ କରିଛନ୍ତି।

ସୋସିଆଲ ମିଡିଆରେ ଜଗନ୍ନାଥପ୍ରେମୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅନେକ ଏହାକୁ ହିନ୍ଦୁ ଧର୍ମ ଓ ଭାବନା ପ୍ରତି ଅପମାନ ବୋଲି ଅଭିହିତ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ କୁହାଯାଇଛି, “ମହାପ୍ରଭୁଙ୍କୁ ଡୋରମ୍ୟାଟରେ ବ୍ୟବହାର କରି ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ କରାଯାଇଛି।”

ଏହାକୁ ତୁରନ୍ତ ଅନଲାଇନ ପ୍ଲାଟଫର୍ମରୁ ହଟାଇବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଅନ୍ୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।

ଏହା ପୂର୍ବରୁ ମଧ୍ୟ ଅନୁରୂପ ଘଟଣା ଦେଖାଦେଇଥିଲା, ଯେଉଁଥିରେ ହିନ୍ଦୁ ଦେବଦେବୀଙ୍କ ଛବି ଅନୁଚିତ ଭାବେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜନସାଧାରଣ ଏବଂ ଧାର୍ମିକ ସଂଗଠନମାନେ ଅଲି ଏକ୍ସପ୍ରେସ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଏହାକୁ “ଧାର୍ମିକ ଅସମ୍ମାନ” ଓ “ହିନ୍ଦୁ ବିରୋଧୀ କାର୍ଯ୍ୟ” ବୋଲି ବର୍ଣ୍ଣନା କରାଯାଇଛି।

ଏହି ଘଟଣାକୁ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ତରଫରୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। ଜଗନ୍ନାଥପ୍ରେମୀମାନେ ଏହାକୁ ଏକ ଗମ୍ଭୀର ଧାର୍ମିକ ଅପମାନ ବୋଲି ବିବେଚନା କରି ଏହାର ତୁରନ୍ତ ନିରାକରଣ ଦାବି କରୁଛନ୍ତି।