ଅଗଷ୍ଟ ୧୫ରେ ପୁଟିନଙ୍କ ସହ ଦେଖା କରିବେ ଟ୍ରମ୍ପ, ଯୁଦ୍ଧ ବନ୍ଦ ନେଇ ବାହାରିପାରେ ନିସ୍କର୍ଷ
ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଟ୍ରମ୍ପ।
ଆମେରିକା: ୧୫ ତାରିଖରେ ଟ୍ରମ୍ପ-ପୁଟିନ ସାକ୍ଷାତ। ଅଗଷ୍ଟ ୧୫ ତାରିଖରେ ଭେଟ ହେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଟ୍ରମ୍ପ।
ଟ୍ରମ୍ପ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏହି ତାରିଖ ଏବଂ ସ୍ଥାନ ଘୋଷଣା କରିଛନ୍ତି। ସେ ପୂର୍ବରୁ କହିଥିଲେ ଯେ ଏହି ବୈଠକ ପୂର୍ବରୁ ହୋଇପାରିଥାନ୍ତା, କିନ୍ତୁ “ସୁରକ୍ଷା ବ୍ୟବସ୍ଥା” ଯୋଗୁଁ ତାରିଖକୁ ସ୍ଥଗିତ ରଖାଯାଇଥିଲା।
ଟ୍ରମ୍ପଙ୍କ ସରକାରୀ ବିବୃତ୍ତି: ଟ୍ରମ୍ପ ଲେଖିଛନ୍ତି ‘ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଭାବରେ, ମୁଁ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଶୁକ୍ରବାର ଅଗଷ୍ଟ ୧୫ ତାରିଖରେ ମହାନ ଆଲାସ୍କା ରାଜ୍ୟରେ ସାକ୍ଷାତ କରିବୁ। ଅଧିକ ସୂଚନା ଖୁବ୍ ଶୀଘ୍ର ପ୍ରଦାନ କରାଯିବ। ଏହି ବିଷୟ ଉପରେ ଦୃଷ୍ଟି ଦେବା ପାଇଁ ଆପଣଙ୍କୁ ଧନ୍ୟବାଦ!’
୪ ବର୍ଷ ପରେ ସମ୍ମିଳନୀ: ଯଦି ଦେଖିବା ୨୦୨୧ ମସିହା ପରେ ଏହା ପ୍ରଥମ ଆମେରିକା-ରୁଷ ଶିଖର ସମ୍ମିଳନୀ ହେବ। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଶେଷଥର ପାଇଁ ଜେନେଭାରେ ପୁଟିନଙ୍କୁ ଭେଟିଥିଲେ।
ୟୁକ୍ରେନ ଯୁଦ୍ଧ ସମଂପ୍ତ କରିବା ପାଇଁ ଟ୍ରମ୍ପଙ୍କ ପ୍ରୟାସରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, ଯଦିଓ ମସ୍କୋ ଏବଂ କିଭଙ୍କ ଶାନ୍ତି ପରିସ୍ଥିତି ମଧ୍ୟରେ ଏବେ ବି ଏକ ବଡ଼ ପାର୍ଥକ୍ୟ ଅଛି। ଅତୀତରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଅନେକ ସ୍ତରରେ ବିଫଳ ହୋଇଛି।
ଟ୍ରମ୍ପ ଶାନ୍ତି ଚୁକ୍ତିନାମା ଉପରେ ଇଙ୍ଗିତ: ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ଉପରେ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି ଯେ ଏଥିରେ ‘କ୍ଷେତ୍ରର ଅଦଳବଦଳ’ ସାମିଲ ହୋଇପାରେ, କିନ୍ତୁ ସେ ବିସ୍ତୃତ ଭାବରେ କିଛି କହି ନାହାଁନ୍ତି।
ଟ୍ରମ୍ପ କହିଛନ୍ତି, ‘ଆମେ କିଛି ଅଞ୍ଚଳ ଫେରି ପାଇବାକୁ ଏବଂ କିଛି ଅଦଳବଦଳ କରିବାକୁ ଚେଷ୍ଟା କରୁଛୁ। ଏହା ଜଟିଳସ, କିନ୍ତୁ ଆମେ କିଛି ଫେରି ପାଇବୁ, ଆମେ କିଛି ଅଦଳବଦଳ କରିବୁ, ଏବଂ ଏହା ଉଭୟଙ୍କ ସ୍ୱାର୍ଥରେ ହେବ।’
ରୁଷର ସମ୍ଭାବ୍ୟ ପ୍ରସ୍ତାବ: କ୍ରେମଲିନ୍ ନିକଟତରଙ୍କ ସମେତ କିଛି ବିଶ୍ଳେଷକ କହିଛନ୍ତି ଯେ ରୁଷ ଦାବି କରୁଥିବା ଚାରୋଟି ଜୋନ୍ ବାହାରେ ଥିବା ଅଞ୍ଚଳଗୁଡ଼ିକୁ ଛାଡିବାକୁ ପ୍ରସ୍ତାବ ଦେଇପାରେ।
ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଗଲା ଯେ ଏହା ଏକ ପ୍ରମୁଖ ଶାନ୍ତି ଚୁକ୍ତିରେ ପହଞ୍ଚିବାର ଶେଷ ସୁଯୋଗ କି, ଟ୍ରମ୍ପ କହିଥିଲେ, “ମୁଁ ‘ଶେଷ ସୁଯୋଗ’ ଶବ୍ଦକୁ ପସନ୍ଦ କରେ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ ବନ୍ଧୁକ ଗୁଳି ଚଳାଇବା ଆରମ୍ଭ କରେ, ସେମାନଙ୍କୁ ରୋକିବା ବହୁତ କଷ୍ଟକର।”