ଘରେ ଲାଗିଲା ନିଆଁ: ଜିନିଷ ଆଣିବାକୁ ଯାଇ ନିଜେ ଜଳିଗଲେ ମାଲିକ

ଚମ୍ବା, ୧୦ା୨: ହିମାଚଳ ପ୍ରଦେଶରେ ଏକ ଅଦ୍ଭୂତ ଘଟଣା ଘଟିଛି । ନିଆଁ ଲାଗିବା ପରେ ଘର ଭିତରକୁ ଜିନିଷ ଆଣିବାକୁ ଯାଇ ନିଜେ ମାଲିକ ଜୀବନ୍ତ ଜଳିଯାଇଛନ୍ତି । ମୃତବ୍ୟକ୍ତିଙ୍କ ନାମ ମସ୍ତରାମ ବୋଲି ଜଣାପଡ଼ିଛି । ତେବେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଭଜୋତରା ପଞ୍ଚାୟତର ମସ୍ତରାମଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ସମୟରେ ମସ୍ତରାମ ଘରୁ ବାହାରକୁ ଆସିଥିଲେ । ମାତ୍ର କୌଣସି ମୂଲ୍ୟବାନ ଜିନିଷ ଆଣିବାକୁ ପୁନର୍ବାର ଘର ଭିତରକୁ ଯାଇ ନିଆଁ ଦାଉରେ ଆଉ ଫେରି ପାରିନଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।