ଭୋପାଳ,୧୯ ।୪: ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଫଳରେ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳୁଛି । ଏଭଳି ସମୟରେ ଗରିବ ପରିବାରଙ୍କୁ ୩ ମାସର ମାଗଣା ରାସନ ଯୋଗାଇବାକୁ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର । ପ୍ରାୟ ୨ କୋଟି ପରିବାରକୁ ମାଗଣାରେ ରାସନ ଯୋଗାଇଦିଆଯିବ । ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ମଧ୍ୟପ୍ରଦେଶରେ କରୋନାର ଗତି ହ୍ରାସ କରିବାକୁ ଶିବରାଜ ସବୁ ସ୍ତରରେ ପ୍ରୟାସ କରୁଛନ୍ତି । କିନ୍ତୁ, କରୋନା ଭାଇରସର ଗତି କମିବା ବଦଳରେ ବଢିବାରେ ଲାଗିଛି । ଏପ୍ରିଲ ୩୦ ସୁଦ୍ଧା ଘରୁ ବାହାରକୁ ନଯିବାକୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ନିବେଦନ କରିଛନ୍ତି । କରୋନା ସଂକ୍ରମଣର ଲକ୍ଷଣ ପାଇବା ମାତ୍ରେ ତୁରନ୍ତ ଯାଞ୍ଚ କରିବାକୁ ସେ ନିବେଦନ କରିଛନ୍ତି ।
ରୋଗୀଙ୍କୁ କୋଭିଡ -୧୯ କେନ୍ଦ୍ରରେ ଔଷଧ ସହିତ ଖାଦ୍ୟ ଓ ଚା ସ୍ନାକ୍ସ ଆଦି ଦିଆଯିବ । ସମସ୍ତ ଜିଲ୍ଲାର କୋଭିଡ କେୟାର ସେଣ୍ଟରରେଏହି ସୁବିଧା ଉପଲବ୍ଧ ହେବ । ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସେନାର ସହାୟତା ଲୋଡିଛନ୍ତି । ସେନା ହସ୍ପିଟାଲରେ କୋଭିଡ କେୟାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଶିବରାଜ ।