fbpx

ବିଷାକ୍ତ ମଦ ନେଲା ୬ ଜଣଙ୍କ ଜୀବନ, ୧୨ରୁ ଅଧିକ ଗୁରୁତର

ହାଥରସ, ୨୮ା୪: ଦେଶରେ କରୋନା ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଉ ଏକ ନୂଆ ମୃତ୍ୟୁ ସାମନାକୁ ଆସିଛି । ଉତ୍ତରପ୍ରଦେଶର ହାଥରସରେ ବିଷାକ୍ତ ମଦ ପିଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଏକ ଡଜନରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କୁ ଜିଲ୍ଲା ହସ୍ପିଟାଲ ଓ ଆଲିଗଡ଼ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ତେବେ ଡ୍ୟୁଟିରେ ଅବହେଳା କାରଣରୁ ଦୁଇଜଣ ପୋଲିସଙ୍କୁ ଏସପି ନିଲମ୍ବିତ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତ ୨୬ ତାରିଖରେ ଗାଁରେ ଏକ ପାରମ୍ପରିକ ପୂଜା ଚାଲିଥିବାରୁ ସମସ୍ତ ଗ୍ରାମବାସୀ ମଦ୍ୟପାନ କରିଥିଲେ । ପରମ୍ପରା ଅନୁଯାୟୀ, ଗ୍ରାମବାସୀମାନେ ଦେବୀଙ୍କୁ ମଦ ଅର୍ପଣ କରିବା ସହ ନିଜେ ନିଜେ ମଦ୍ୟପାନ କରିଥିଲେ । ମଦ୍ୟପାନ କରିବା ପରେ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ଖବର ପାଇ ଏଡିଏମ, ଏସପି ଟିମ୍ ସହିତ ପହଞ୍ଚିବା ବେଳକୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଆଜି ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.