ଦିଲ୍ଲୀରେ ୪ କିଲୋମିଟର୍ ପାଇଁ ଆମ୍ବୁଲାନ୍ସ ଭଡା ହେଉଛି ୧୦ ହଜାର ଟଙ୍କା, ଅରୁଣ ବୋଥ୍ରା ଟୁଇଟ୍ କରି କହିଲେ ଏପରି

ନୂଆଦିଲ୍ଲୀ, ୩୦ା୪ (ଓଡିଶା ଭାସ୍କର) : ବର୍ତ୍ତମାନ କରୋନା ମହାମାରୀ ପାଇଁ ସାରା ଦେଶ ଏବେ ହନ୍ତସନ୍ତ ହେଉଛି । ଲୋକ ମାନେ ସଂକ୍ରମଣ ଭୟରେ ନିଜ ନିଜ ଘରେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ଭୟଙ୍କର ଭାବେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ସେପଟେ ଡାକ୍ତର ମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅହରହ ପରିଶ୍ରମ କରି ଲୋକମାନଙ୍କ ଚିକିତ୍ସା କରୁଛନ୍ତି । ହେଲେ ଏହି ସମୟର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ବ୍ୟକ୍ତି । ରୋଗୀଙ୍କୁ ନେବା ଆଣିବା କରିବାରେ ଏବେ ଆମ୍ବୁଲାନ୍ସ କମ୍ ପଡୁଥିବା ବେଳେ ସାଧାରଣ ଲୋକଙ୍କ ଅସହାୟତା ସହ ଖେଳ ଖେଳୁଛନ୍ତି କିଛି ଲୋକ । ଏହିଭଳି କିଛି ଖବର ମିଳିଛି ରାଜଧାନୀ ଦିଲ୍ଲୀରୁ । ସେଠାରେ ଆମ୍ବୁଲାନ୍ସ ଗୁଡିକ ମାତ୍ର ୪ କିଲୋମିଟର୍ ରାସ୍ତା ଯିବାକୁ ୧୦ ହଜାର ଟଙ୍କା ଚାର୍ଜ କରୁଛନ୍ତି । ଯଦ୍ୱାରା ସେଠାରେ ସାଧାରଣ ଲୋକଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଛି ।

 

ତେବେ ଆମ୍ବୁଲାନ୍ସ ଲୋକଙ୍କ ସେବାରେ ଲାଗୁଥିବା ବେଳେ ଡ୍ରାଇଭର୍ ମାନେ ମାତ୍ର ୪ କିଲୋମିଟର୍ ରାସ୍ତା ପାଇଁ ସାଧାରଣ ଲୋକଙ୍କ ତଣ୍ଟି ଚିପି ଟଙ୍କା ଆଦାୟ କରୁଛନ୍ତି । ତେବେ ଏନେଇ ଆଇପିଏସ୍ ଅରୁଣ ବୋଥ୍ରା ଏପ୍ରିଲ ୨୮ ତାରିଖରେ ଏକ ଆମ୍ବୁଲାନ୍ସର ରିସିପ୍ଟ ସେୟାର କରିଥିଲେ । ସେଥିରେ ସଫା ସଫା ଲେଖାଥିଲା ଯେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର୍ ମାତ୍ର ୪ କିଲୋମିଟର୍ ଯିବା ପାଇଁ ୧୦ହଜାର ଟଙ୍କା ନେଇଛନ୍ତି । ଉକ୍ତ ରିସିପ୍ଟକୁ ସେୟାର କରି ବୋଥ୍ରା ଲେଖିଥିଲେ ଯେ, “ବିଶ୍ୱ ଆମର ନୈତିକତାର ମୁଲ୍ୟକୁ ଦେଖୁଛି” । ବର୍ତ୍ତମାନ ସୁଦ୍ଧା ଏହି ଟୁଇଟ୍ କୁ ୨୧ ହଜାର ଜଣ ୟୁଜର୍ ସେୟାର କରିଛନ୍ତି ଏବଂ ୬୨ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।