ନୂଆ ଦିଲ୍ଲୀ, ୦୫/୦୫: ଦୂରସଂଚାର ବିଭାଗ ମଙ୍ଗଳବାର ଦେଶରେ ୫ଜି ପରୀକ୍ଷଣ ପାଇଁ ଟେଲିକମ କଂପାନୀମାନଙ୍କ ଆବେଦନକୁ ମଞ୍ଜୁରୀ ଦେଇଛି । ଟେଲିକମ କଂପାନୀମାନେ ଏହି ପରୀକ୍ଷଣ ପାଇଁ କୌଣସି ପ୍ରକାର ଚାଇନିଜ ଟେକନିକ ତଥା ଉପକରଣ ବ୍ୟବହାର କରୁନଥିବା କହିଛନ୍ତି । ଦୂରସଂଚାର ବିଭାଗ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ ଏବଂ ଏମଟିଏନଏଲର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି । ଏହି କମ୍ପାନୀମାନଙ୍କ ମଧ୍ୟରୁ କୌଣସି କମ୍ପାନୀ ଚାଇନା କମ୍ପାନୀର ଟେକ୍ନୋଲୋଜି ବ୍ୟବହାର କରୁନାହାଁନ୍ତି ।
ଦୂରସଂଚାର ବିଭାଗ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ୫ଜି ପରୀକ୍ଷଣରେ ବ୍ୟବହୃତ ଉପକରଣ ପାଇଁ ନିର୍ମାତା କଂପାନୀମାନେ ହେଲେ ଏରିକ୍ସନ, ନୋକିଆ, ସାମସଙ୍ଗ, ସି-ଡଟ ଏହାଛଡା ରିଲାଏନ୍ସ ଜିଓ ଦ୍ୱାରା ବିକଶିତ କରାଯାଇଥିବା ନିଜସ୍ୱ ଜ୍ଞାନକୌଶଳ ବ୍ୟବହାର କରିବ । ଅର୍ଥାତ ଚାଇନିଜ କଂପାନୀ ୫ଜି ପରୀକ୍ଷଣରେ ଅର୍ନ୍ତଭୁକ୍ତ ହେବେନାହିଁ ।
ବିଭାଗ ଏକ ବୟାନରେ କହିଛି, “ଦୂରସଂଚାର ବିଭାଗ ୫ଜି ପରୀକ୍ଷଣପାଇଁ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ କଂପାନୀଙ୍କୁ ୫ଜି ପରୀକ୍ଷଣ ପାଇଁ ଅନୁମତି ଦେଇଛି ।”
ଏହା ପୂର୍ବରୁ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଚାଇନା କଂପାନୀ ହୁଆଇର ଜ୍ଞାନ କୌଶଳର ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ପରେ ସେମାନେ ଆବେଦନ ସମୟରେ କହିଥିଲେ ସେମାନେ ୫ଜି ପରୀକ୍ଷଣ ପାଇଁ ଚୀନର କୌଣସି କଂପାନୀର ଜ୍ଞାନକୌଶଳ ବ୍ୟବହାର କରିବେ ନାହିଁ ।
ବିଭାଗ କହିଛି, “ଏହି ଦୂରସଂଚାର କଂପାନୀ ମାନେ ଏରିକ୍ସନ, ନୋକିଆ, ସାମସଙ୍ଗ ଏବଂ ସି-ଡଟ ଭଳି କଂପାନୀଙ୍କ ସହ ଚୁକ୍ତି କରିଛନ୍ତି ସେମାନେ ଏହି ପରୀକ୍ଷଣ ପାଇଁ ଉପକରଣ ଯୋଗାଇବେ । ମାତ୍ର ରିଲାଏନ୍ସ ଜିଓ ନିଜସ୍ୱ ୫ଜି ଜ୍ଞାନକୌଶଳର ବ୍ୟବହାର କରିବାକୁଯାଉଛି ।”
ଟେଲିକମ୍ ବିଭାଗର ଏହି ପଦକ୍ଷେପ ସୂଚାଇ ଦେଇଛି ଯେ ସରକାର ଚୀନ୍ କମ୍ପାନୀଗୁଡିକୁ ଦେଶରେ ହେବାକୁ ଥିବା ୫ଜି ପରୀକ୍ଷାରେ ଭାଗ ନେବାକୁ ରୋକି ପାରନ୍ତି। ବିବୃତ୍ତିରେ କୁହାଯାଇଛି ଯେ ଟେଲିକମ୍ କମ୍ପାନୀଗୁଡ଼ିକୁ ବିଭିନ୍ନ ବ୍ୟାଣ୍ଡରେ ପରୀକ୍ଷାମୂଳକ ସ୍ପେକ୍ଟ୍ରମ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏଥିରେ ମିଡ-ବ୍ୟାଣ୍ଡ ୩.୨ ଗିଗାହର୍ଟଜ ରୁ ୩.୬୭ ଗିଗାହର୍ଟଜ, ମିଲିମିଟର ୱେବ ବ୍ୟାଣ୍ଡ ୨୪.୨୫ ଗିଗାହର୍ଟଜ ରୁ ୨୮.୫ ଗିଗାହର୍ଟଜ ଏବଂ ସବ- ଗିଗାହର୍ଟଜ ବ୍ୟାଣ୍ଡ ୭୦୦ ଗିଗାହର୍ଟଜ ଅନ୍ତର୍ଭୁକ୍ତ ।
ଦୁରସଂଚାର ବିଭାଗ କହିଛି, “୫ଜି ପରୀକ୍ଷା କରିବା ପାଇଁ ଟେଲିକମ୍ ଅପରେଟରମାନଙ୍କୁ ସେମାନଙ୍କର ୮୦୦ ମେଗାହର୍ଟଜ, ୯୦୦ ମେଗାହର୍ଟଜ, ୧୮୦୦ ମେଗାହର୍ଟଜ ଏବଂ ୨୫୦୦ ମେଗାହର୍ଟଜ ସ୍ପେକ୍ଟ୍ରମ ବ୍ୟବହାର କରିବାକୁ ଅନୁମତି ଦିଆଯିବ । ପରୀକ୍ଷଣର ଅବଧି ବର୍ତ୍ତମାନ ଛଅ ମାସ ରହିଛି । ଯନ୍ତ୍ରପାତି କ୍ରୟ ଏବଂ ସ୍ଥାପନ ପାଇଁ ଏଥିରେ ୨ ମାସର ଅବଧି ଅନ୍ତର୍ଭୁକ୍ତ ।”
ଏହା ବ୍ୟତୀତ, ଅନୁମତି ପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଟେଲିକମ୍ କମ୍ପାନୀମାନଙ୍କୁ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ୫ଜି ପରୀକ୍ଷା କରିବାକୁ ପଡ଼ିବ ଯାହାଦ୍ୱାରା ୫ଜି ଟେକ୍ନୋଲୋଜିର ଲାଭ କେବଳ ସହରରେ ନୁହେଁ, ସମଗ୍ର ଦେଶରେ ମିଳିପାରିବ ।