ନୂଆଦିଲ୍ଲୀ, ୧୨/୦୫: ଜଣେ ହିନ୍ଦୁ ଯୁବକଙ୍କ ମୃତଦେହକୁ ସାଉଦି ଆରବର କବରରୁ ଭାରତକୁ ଅଣାଯାଇଛି । ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସରକାର କହିଛନ୍ତି ଯେ ମୃତଦେହର ଶବକୁ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି । ଭାରତୀୟ ହିନ୍ଦୁ ଯୁବକଙ୍କୁ ସାଉଦି ଆରବରେ ମୁସଲମାନ ବୋଲି ଭାବି ମୃତ୍ୟୁ ପରେ କବର ଦିଆଯାଇଥିଲା।
ଜଷ୍ଟିସ ପ୍ରତୀଭା ଏମ ସିଂଙ୍କ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ତରଫରୁ ନିଯୁକ୍ତ ହୋଇଥିବା ଆଡଭୋକେଟ୍ ରିପୁଦମାନ ଭରଦ୍ୱାଜ କହିଛନ୍ତି ଯେ ବୁଧବାର ସକାଳେ ମୃତଦେହର ଶବ ଭାରତରେ ପହଞ୍ଚିଛି । ସେ କହିଛନ୍ତି ଯେ ମୃତଦେହର ଅବଶେଷକୁ ଉତ୍ତରପ୍ରଦେଶର ଉନ୍ନାଓରେ ରହୁଥିବା ପରିବାରକୁ ହସ୍ତାନ୍ତର ପାଇଁ ପଠାଯାଇଛି । ହାଇକୋର୍ଟ କହିଛନ୍ତି ଯେ ପରିବାର ଲୋକ ମୃତ ଦେହର ଅବଶେଷ ମିଳିଛି ଏବଂ ସେମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସଂପନ୍ନ କରିବେ।
ଏହି ପ୍ରସଙ୍ଗରେ ସାଉଦି ଆରବର ଅଧିକାରୀମାନଙ୍କୁ ହାଇକୋର୍ଟ କୃତଜ୍ଞତା ଜଣାଇବା ସହ ବୈଦେଶିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ, ପରାମର୍ଶଦାତା, ପାସପୋର୍ଟ ଏବଂ ଭିସା (ସିପିଭି) ବିଭାଗର ନିର୍ଦ୍ଦେଶକ ବିଷ୍ଣୁ କୁମାର ଶର୍ମାଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ମୃତ ଯୁବକ ସଞ୍ଜୀବ କୁମାରଙ୍କ ନିଯୁକ୍ତିଦାତାଙ୍କ ଦ୍ୱାରା ପଠାଇଥିବା ଟଙ୍କା ମେ ୭ ରେ ପରିବାରକୁ ଦିଆଯାଇଛି । ଏଥିସହ ସଞ୍ଜୀବ କୁମାରଙ୍କ ପତ୍ନୀ ଅଞ୍ଜୁ ଶର୍ମା ଦାଖଲ କରିଥିବା ଯାଚିକାର ମଧ୍ୟ ସମାଧାନ କରିଛନ୍ତି । ଅଞ୍ଜୁ ସାଉଦି ଆରବରେ ମୁସଲମାନ ବୋଲି ଭାବି ମୃତ୍ୟୁପରେ କବରରେ ପୋତି ଦିଆଯାଇଥିବା ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଭାରତକୁ ଆଣିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଏକ ନିବେଦନ କରିଥିଲେ । ଯାହା ଫଳରେ ସେମାନେ ହିନ୍ଦୁ ରୀତି ନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ହୋଇପାରିବ ।
ଚଳିତ ବର୍ଷ ୨୪ ଜାନୁଆରୀରେ ହୃଦଘାତରେ ସାଉଦି ଆରବରେ ୫୧ ବର୍ଷୀୟ ସଞ୍ଜୀବ କୁମାରଙ୍କ ମୃତ୍ୟୁ ହୋଇଥିଲା। ପରେ ୧୮ ଫେବୃଆରୀରେ ପରିବାର ଲୋକଙ୍କୁ କୁହାଯାଇଥିଲା ଯେ ତାଙ୍କର ମୃତଦେହକୁ ସେଠାରେ ପୋତି ଦିଆଯାଇଛି। ଆବେଦନ ଅନୁଯାୟୀ, ଭାରତୀୟ ମହାବାଣିଜ୍ୟ ଦୂତାବାସର ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହା ଜେଦାହରେ ଥିବା ଭାରତୀୟ ମହାବାଣିଜ୍ୟ ଦୂତାବାସର ଅଧିକାରୀଙ୍କ ଭୁଲ ଅନୁବାଦ ଯୋଗୁଁ ଏମିତି ହୋଇଛି ଭୁଲରେ ସେ ମୃତ୍ୟୁ ପ୍ରମାଣ ପତ୍ରରେ ସଞ୍ଜୀବ ମୁସଲମାନ ବୋଲି ଲେଖିଦେଇଥିଲେ ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଶୁଣାଣି ଆରମ୍ଭରେ ଜଷ୍ଟିସ ପ୍ରତୀଭା ସିଂଙ୍କ ସମେତ ସମସ୍ତେ ସ୍କ୍ରିନରେ ଅକ୍ସିଜେନ ମାସ୍କରେ ଜଣେ ଓକିଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ଜଜ୍ ଓକିଲ ସୁଭାଷ ଚନ୍ଦ୍ରଙ୍କୁ କାହିଁକି ଅକ୍ସିଜେନ ମାସ୍କ ପିନ୍ଧିଥିଲେ ବୋଲି ପଚାରିଥିଲେ। ଏଥିରେ ସେ କହିଥିଲେ ଯେ ସେ କରୋନା ସଂକ୍ରମିତ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ କହିଛନ୍ତି ଯେ ସେ ଅଞ୍ଜୁ ଶର୍ମାଙ୍କ ପାଇଁ ସେ ଲଢୁଛନ୍ତି ଏବଂ ଅଞ୍ଜୁ ଶର୍ମାଙ୍କ ସ୍ୱାମୀଙ୍କ ମୃତଦେହକୁ କବରରୁ ବାହାର କରି ଭାରତକୁ ଫେରାଇ ଆଣିବାକୁ ଦାବି କରିଛନ୍ତି । ଏହା ପରେ ଜଷ୍ଟିସ ପ୍ରତୀଭା ସିଂ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଏଥି ସହିତ, ଏହି ମାମଲାର ଆଦେଶରେ ଓକିଲ ସୁଭାଷ ଚନ୍ଦ୍ରଙ୍କ ମହକିଲ ତଥା ତାଙ୍କର ଓକିଲାତି ପ୍ରତି ଆଗ୍ରହକୁ ପ୍ରଶଂସା କରିଥିଲେ।