fbpx

ଚଳିତ ବର୍ଷ ଶେଷସୁଦ୍ଧା ଦେଶରେ ଉପଲବ୍ଧ ହେବ ୮ଟି କୋଭିଡ୍ ଭ୍ୟାକସିନ୍, ପଢ଼ନ୍ତୁ ସେଗୁଡିକର ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ, ୧୫/୦୫(ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଯାହା ଏବେ ଦିନକୁ ଦିନ ସାଂଘାତିକ ରୁପ ନେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ର ଦୁର୍ବଳ ହେବାକୁ ବସିଲାଣି ତେଣୁ କେନ୍ଦ୍ର ସରକାର ଲୋକଙ୍କୁ ମହାମାରୀ ଦାଉରୁ ବଞ୍ଚାଇବାକୁ ଅହରହ ପ୍ରୟାସ କରୁଛନ୍ତି । ବର୍ତ୍ତମାନ ସମୟରେ କରୋନା ମହାମାରୀ ସହିତ ଲଢ଼ିବାକୁ ହେଲେ ଭ୍ୟାକସିନ୍ ନେବା ଜରୁରୀ ବୋଳି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ବିଶ୍ଲେଷଣ କରିଛନ୍ତି । ତେଣୁ ସରକାର ଏବେ ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ ଦେଶରେ ଜନସଂଖ୍ୟା ତୁଳନାରେ ଭ୍ୟାକସିନ୍ ଡୋଜ୍ ଖୁବ୍ ନ୍ୟୁନ । ଏହି ପରିସ୍ଥିତି ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାର ଅଭାବ ରହିବ ନାହିଁ ବୋଲି ସରକାର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । କାରଣ ଏବର୍ଷ ଶେଷ ସୁଦ୍ଧା ଦେଶରେ ୮ଟି କୋଭିଡ୍ ଟିକା ଉପଲବ୍ଧ ହେବ ।

ଗୁରୁବାର କେନ୍ଦ୍ର ସରକାର ଦାବି କରିଛନ୍ତି ଯେ, ଡିସେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ସମସ୍ତ ଜନସଂଖ୍ୟା ପାଇଁ ଭ୍ୟାକସିନ୍ ଉପଲବ୍ଧ ହୋଇଯିବ । ଏହି ପରିପ୍ରେକ୍ଷୀରେ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ମୋଟ ୮ଟି କୋଭିଡ୍ ବିରୋଧୀ ଭ୍ୟାକସିନର ୨ ବିଲିୟନ୍ ଡୋଜ୍ ଉପଲବ୍ଧ ହୋଇଯିବ । ନୀତି ଆୟୋଗର ସଦସ୍ୟ ଭି.କେ ପଲ୍ ଏନେଇ କହିଛନ୍ତି ଯେ, ଡିସେମ୍ବର ସୁଦ୍ଧା ୨୧୬ କୋଟି ଡୋଜ୍ ଭ୍ୟାକସିନ୍ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି । ଏହି ୮ଟି ଭ୍ୟାକସିନ୍ ହେଲା; କୋଭିସିଲ୍ଡ, କୋଭାକ୍ସିନ୍, ସ୍ଫୁଟନିକ୍-ଭି, ବାୟୋଲଜିକାଲ୍-ଇ ୟୁନିଟ୍, ଜାଇଡସ୍ କାଡିଲା, ନୋଭାଭାକ୍ସ, ବିବି ନାସାଲ୍ ଏବଂ ଜେନେଭା ଆରଏନଏ ।

ସେଥିମଧ୍ୟରେ ୭୫ କୋଟି ଡୋଜ୍ କୋଭିସିଲ୍ଡ ଉତ୍ପାଦନ ହେବାକୁ ଥିବା ବେଳେ ୫୫ କୋଟି ଡୋଜ୍ କୋଭାକ୍ସିନ୍, ୩୦ କୋଟି ଡୋଜ୍ ବାୟୋଲଜିକାଲ୍-ଇ ୟୁନିଟ, ୫ କୋଟି ଡୋଜ୍ ଜାଇଡସ୍ କାଡିଲା, ୨୦ କୋଟି ଡୋଜ୍ ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ନୋଭାଭାକ୍ସ , ୧୦ କୋଟି ଡୋଜ୍ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାସାଲ୍ ଟିକା, ୬ କୋଟି ଡୋଜ୍ ଜେନେଭା ଏବଂ ସର୍ବାଧିକ ୧୫.୬ କୋଟି ଡୋଜ୍ ସ୍ଫୁଟନିକ୍ -ଭି ଭ୍ୟାକସିନ୍ ଉତ୍ପାଦନ ହେବ ବୋଲି ସରକାରଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ଏଥିମଧ୍ୟରୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ବର୍ତ୍ତମାନ ଭାରତରେ ବିତରଣ କରାଯାଉଛି ଏବଂ ରୁଷ ଟିକା ସ୍ଫୁଟନିକ୍-ଭି ଭାରତରେ ଆସନ୍ତା ସପ୍ତାହରେ ଉପଲବ୍ଧ ହୋଇଯିବ । ଏହାର ଦର ଭାରତରେ ୯୪୮ ଟଙ୍କା ରଖାଯାଇଛି । ଆଉ ଜିଏସଟିକୁ ମିଶାଇ ଟିକାର ମୋଟ ମୁଲ୍ୟ ୯୯୫ ଟଙ୍କା ଘୋଷଣା କରାଯାଇଛି । ଏହି ତିନୋଟି ଟିକାକୁ ବାଦ୍ ଦେଲେ ବାକି ଟିକା ଗୁଡିକର ଏବେ କ୍ଲିନିକାଲ୍ ଟ୍ରାଏଲ୍ ଚାଲିଛି ।

Get real time updates directly on you device, subscribe now.