ବିଶେଷଜ୍ଞ କହିଲେ- ‘ଓଡିଶାରେ ୧୦ଦିନ ବଢ଼ାଯାଉ ଲକଡାଉନ୍‌’

ଭୁବନେଶ୍ୱର-୧୭/୦୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ କଟକଣାକୁ କଡାକଡି କରାଯାଇଛି । ଏନେଇ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ବେଳେ ଆସନ୍ତା ୧୯ ତାରିଖରେ ଏହାର ଅବଧି ଶେଷ ହେବାକୁ ଯାଉଛି । କିନ୍ତୁ ଦୈନିକ ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିବା ପାଇଁ ଅତି କମରେ ଅଧିକ ୧୦ଦିନ ପାଇଁ ଲକଡାଉନ୍ ଅବଧି ବଢ଼ାଇବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ନୀରଜ ମିଶ୍ର କହିଛନ୍ତି ।

ସେ କହିଛନ୍ତି ଯେ, ‘ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର ୨୦ ପ୍ରତିଶତ ଉପରେ ରହୁଛି । ଯେପର୍ଯ୍ୟନ୍ତ ଏହି ହାର ୧୦ତଳକୁ ନଖସିଛି ସେପର୍ଯ୍ୟନ୍ତ କରୋନା ପ୍ରଭାବ କମିଛି ବୋଲି କହିହେବ ନାହିଁ । ଏବେ ସହରାଞ୍ଚଳ ସହିତ ଗ୍ରାମାଞ୍ଚଳରେ କରୋନା ବ୍ୟାପିଲାଣି । ଏଥିପାଇଁ ସରକାରଙ୍କ ପକ୍ଷରୁ ଭ୍ରାମ୍ୟମାଣ ପରୀକ୍ଷାକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଗାଁ ଗଣ୍ଡାର ଲୋକେ ଯେତେ ସଚେତନ ହେବେ ସେତେ ଶୀଘ୍ର କରୋନା ଉପରେ ନିୟନ୍ତ୍ରଣ ଆସିପାରିବ ।’

ତେବେ ରାଜ୍ୟରେ ଆଜି ୧୦,୭୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪୭୩୩ ଜଣ ଚିହ୍ନଟ ହୋଇଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଜଣ ଓ ଖୋର୍ଦ୍ଧାରୁ ୯୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।