କେଜ୍ରିୱାଲଙ୍କ ବୟାନକୁ ନେଇ ଖପ୍ପା ସିଙ୍ଗାପୁରର ବଡ ଆକ୍ସନ, ଲାଗୁ କଲା ଫେକ୍ ନ୍ୟୁଜ୍ ଆଇନ

ନୂଆଦିଲ୍ଲୀ ୨୦ ।୦୫: କରୋନା ଭାଇସରର ନୂତନ ଷ୍ଟ୍ରେନକୁ ‘ସିଙ୍ଗାପୁର ଭାରିଏଂଟ’ ଦର୍ଶାଇବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନକୁ ନେଇ ସିଙ୍ଗାପୁର ସାମ୍ନାରେ ଭାରତ ସରକାରଙ୍କୁ ସଫେଇ ଦେବାକୁ ପଡିଛି । ଭାରତ ସରକାରଙ୍କ ସଫେଇରେ ସିଙ୍ଗାପୁର ସରକାର ବୁଧବାର ସନ୍ତୋଷ ପ୍ରକାଶ କରିଛି। ତଥାପି ଭୁଲ ସୂଚନା ପ୍ରସାରରକୁ ରୋକିବା ପାଇଁ ସିଙ୍ଗାପୁର ବଡ ପଦକ୍ଷେପ ନେଇଛି । ସିଙ୍ଗାପୁର ସରକାର ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆଂଟି ମିସଇନଫରମେସନ ଆଇନ ଅର୍ଥାତ ପ୍ରୋଟେକ୍ସନ ଫ୍ରମ ଅନଲାଇନ ଫଲ୍ସହୁଡ ଆଣ୍ଡ୍ ମନିପ୍ୟୁଲେସନ(ପିଓଏଫଏମଏ) ଲାଗୁ କରି ଦେଇଛି । ଭୁଲ ସୂଚନାର ପ୍ରସାରକୁ ରୋକିବା ଉଦ୍ଦେଶ୍ୟରେ ସିଙ୍ଗାପୁର ଏହି ଆଇନ ଲାଗୁ କରିଛି ।

ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପିଓଏଫଏମଏ କାର୍ଯ୍ୟାଳୟକୁ ଫେସବୁକ, ଟୁଇଟର ଓ ସ୍ଥାନୀୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ କିଛିଟା ସୁଧାର କରିବାକୁ ନିଦ୍ଦେର୍ଶ ଦେଇଛି । ଏହାର ଅର୍ଥ ଏହି ଆଇନ ଲାଗୁ ହେବା ପରେ ଏବେ ଫେସବୁକ, ଟୁଇଟର ସମେତ ଅନେକ ସାମାଜିକ ଗଣମାଧ୍ୟମ କମ୍ପାନୀକୁ ସିଙ୍ଗାପୁରର ସମସ୍ତ ୟୁଜର୍ସଙ୍କୁ ଏକ ସଂଶୋଧିତ ନୋଟିସ୍ ପଠାଇବ । ଏହାର ଅର୍ଥ ସିଙ୍ଗାପୁରରେ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସମ୍ବନ୍ଧିତ କୌଣସି ବି ସୂଚନା ପ୍ରସାର ହୋଇ ପାରିବ ନାହିଁ କି ସେୟାର ମଧ୍ୟ କରି ହେବ ନାହିଁ ।

ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସିଙ୍ଗାପୁର ଭାରିଏଂଟ ସଂପର୍କିତ ମିଥ୍ୟା ଖବରକୁ ନେଇ ୟୁଜର୍ସଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଏହା ଜଣାଇବାକୁ ପଡିବ ଯେ, କରୋନାର କୌଣସି ସିଙ୍ଗାପୁର ଭାରିଏଂଟ ନାହିଁ ଏବଂ ଏହାର କୌଣସି ବି ସାକ୍ଷ୍ୟ ପ୍ରମାଣ ନାହିଁ ଯେ ଏହି ଭାରିଏଂଟ ପିଲାଙ୍କ ପାଇଁ ବହୁତ ବିପଦଜ୍ଜନକ ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଙ୍ଗଳବାର କହିଥିଲେ ଯେ, ସିଙ୍ଗାପୁରରେ ଚିହ୍ନଟ ନୂତନ ଭାରିଏଂଟ ଭାରତରେ ତୃତୀୟ ଲହରର କାରଣ ହୋଇପାରେ । ଏହା ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ।