ଏକ ନମ୍ବର ସ୍ଥାନକୁ ନେଇ ଛକାପଞ୍ଝା ଜାରି, ବେଜୋସଙ୍କୁ ପଛରେ ପକାଇ ଧନୀ ତାଲିକାରେ ପୁଣି ଶୀର୍ଷରେ ବର୍ଣ୍ଣାଡ

ନୂଆଦିଲ୍ଲୀ : ଦୁନିଆର ଅରବପତିଙ୍କ ତାଲିକାରେ ଏକ ନମ୍ବର ସ୍ଥାନକୁ ନେଇ ଛକାପଞ୍ଝା ଜାରି ରହିଛି । କେତେବେଲେ ଜେଫ ବୋଜେସ ତ ଆଉ କେତେ ବେଳେ ବର୍ଣ୍ଣାଡ ଆରନଲ୍ଟ ଏକ ନମ୍ବର ଧନୀ ସ୍ଥାନ ହାସଲ କରୁଛନ୍ତି । ଏବେ ବର୍ଣ୍ଣାଡ ଆରନଲ୍ଟ ପୁଣି ଥରେ ଶୀର୍ଷକୁ ଉଠିଛନ୍ତି । ସେ ଆମାଜନର ମାଲିକ ଜେଫ ବେଜୋସଙ୍କୁ ପଛରେ ପକାଇ ବିତଶାଳୀଙ୍କ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଂଶ ଧନରେ ବୃଦ୍ଧି ଘଟିବା କାରଣରୁ ମୁକେଶ ଅମ୍ବାନୀଙ୍କ ସଂପତି ୨.୯ ଅରବ ଡଲାର ସହ ୭୭.୫ ଅରବ ଡଲାରରେ ପହଂଚି ଯାଇଛି । ଏଥି ସହ ଅମ୍ବାନୀ ଧନୀ ତାଲିକାରେ ୧୨ତମ ସ୍ଥାନରେ ରହିଛନ୍ତି ।

ଫୋବର୍ସ ରିଏଲ ଟାଇମ ବିଲେନିୟର ତାଲିକା ଅନୁଯାୟୀ, ଶୁକ୍ରବାର ସକାଳ ୧୦.୩୫ରେ ବର୍ଣ୍ଣାଡ ଆରନଲ୍ଟ ବିଶ୍ୱ ଧନୀ ତାଲିକାରେ ପ୍ରଥମ ସ୍ଥାନକୁ ଉଠିଛନ୍ତି । ତାଙ୍କ ମୋଟ୍ ସଂପତିର ମୂଲ୍ୟ ୧୯୧ ଅରବ ଡଲାରରେ ପହଂଚିଛି । ଅନ୍ୟପଟେ ଜେଫ ବେଜୋସଙ୍କ ସଂପତି ମୂଲ୍ୟ ୧୮୭.୪ ଅରବ ଡଲାର ରହିଛି । ଉଭୟଙ୍କ ମଧ୍ୟରେ ବ୍ୟବଧାନ ପ୍ରାୟ ୪ ଅରବ ଡଲାରର ରହିଛି । ଟେସଲାଙ୍କ ଏଲନ ମସ୍କ ୧୫୭.୫ ଅରବ ଡଲାର ସହ ତୃତୀୟରେ ଅଛନ୍ତି । ମାଇକ୍ରୋସୋଫ୍ଟର ବିଲ୍ ଗେଟସ ୧୨୬.୬ ଅରବ ଡଲାର ସହ ଚତୁର୍ଥରେ ଏବଂ ଫେସବୁକର ମାଲିକ ମାର୍କ ଜୁକରବର୍ଗ ୧୨୦.୬ ଅରବ ଡଲାର ସଂପତି ସହ ପଂଚମ ସ୍ଥାନରେ ଅଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୋମବାର ଫ୍ୟାଶନ ଦୁନିଆର ସବୁଠୁ ବଡ ସମୂହ ଏଲଭିଏମଏଚର ମାଲିକ ବର୍ଣ୍ଣାର୍ଡ ଆରନଲ୍ଟ ଜେଫ ବେଜୋସଙ୍କଠୁ ଏକ ନମ୍ବର ଆସନ ଛଡାଇ ନେଇଥିଲେ । ପୁଣି ବେଜୋସ ଆରନଲ୍ଟଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଥିଲେ । ଶୁକ୍ରବାର ପୁଣି ଥରେ ଆରନଲ୍ଟ ଜେଫ ବେଜୋସଙ୍କୁ ପଛରେ ପକାଇ ଦେଇଛନ୍ତି ।

ଅପରପକ୍ଷେ ଭାରତର ଏକ ନମ୍ବର ବିତଶାଳୀ ମୁକେଶ ଅମ୍ବାନୀ ୭୯.୫ ଅରବ ଡଲାର ସହ ବିଶ୍ୱର ଧନୀ ତାଲିକାରେ ୧୨ମ ସ୍ଥାନରେ ରହିଛନ୍ତି । ଏଥିସହ ଏସିଆର ସବୁଠୁ ଧନୀ ତାଲିକାରେ ଅମ୍ବାନୀ ଏକ ନମ୍ବରରେ ରହିଛନ୍ତି । ଚୀନର ବ୍ୟବସାୟୀ ଝୋଙ୍ଗ ଶାନଶାନ ଭାରତର ଗୌତମ ଅଦାନୀଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ଶାନଶାନ ୭୨.୫ ଅରବ ଡଲାର ସଂପତି ସହ ଏସିଆର ଦ୍ୱିତୀୟ ଧନୀ ହୋଇଛନ୍ତି । ଗୌତମ ଅଦାନୀ ୬୬.୭ ଅରବ ଡଲାର ସହ ତୃତୀୟକୁ ଖସିଛନ୍ତି । ସେ ଏବେ ଦୁନିଆର ଅରବପତିଙ୍କ ତାଲିକାରେ ୧୭ତମ ସ୍ଥାନରେ ଅଛନ୍ତି ।