ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ -୧୯ର ଦ୍ଵିତୀୟ ଲହର ନ ଥମୁଣୁ ସମଗ୍ର ଦେଶରେ ବ୍ଲାକ ଫଙ୍ଗସ୍ ମହାମାରୀ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଅନେକ ରାଜ୍ୟରେ ହଜାର ସଂଖ୍ୟାରେ ଲୋକ ଚିହ୍ନଟ ହେଉଛନ୍ତି । ଆମ ରାଜ୍ୟରେ ଏ ଯାଏଁ ୨୫ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ହେଲେ ଏଥି ମଧ୍ୟରେ ଏକ ଆଶ୍ଵସ୍ତିକର କଥା ହେଉଛି ଭୁବନେଶ୍ଵର ସ୍ଥିତ ସମ ଅଲଟିମେଟ୍ ମେଡିକେୟାରରେ ଜଣେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଛି । ଗଞ୍ଜାମ ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ବ୍ୟକ୍ତି ବ୍ଲାକ ଫଙ୍ଗସରେ ପୀଡିତ ଥିଲେ । ଏହାପରେ ସେ ସମ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହୋଇଛନ୍ତି । ଡାକ୍ତରମାନେ ରୋଗୀଙ୍କ ସଫଳତାର ସହିତ ସର୍ଜିକାଲ ଚିକିତ୍ସା କରିଛନ୍ତି ।
ଏହି ବ୍ୟକ୍ତିଜଣକ କୋଭିଡ -୧୯ରେ ସଂକ୍ରମିତ ହୋଇଥିଲେ ଏବଂ ଦଶ ଦିନ ସମ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ । ସେ ଜଣେ ମଧୁମେହ ରୋଗୀ ଥିଲେ । ତାଙ୍କର ଶ୍ୱାସକ୍ରିୟାର ସମସ୍ୟା ପାଇଁ ଷ୍ଟେରଏଡ ସହିତ ଚିକିତ୍ସା କରାଯାଇଥିଲା । ହେଲେ ଡିସଚାର୍ଜ ହେବାର ପାଞ୍ଚ ଦିନ ପରେ ତାଙ୍କ ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଥିଲ। । ତାଙ୍କର ମୁହଁର ବାମ ପାର୍ଶ୍ୱ ଫୁଲିବା ସହ ଆଖିରେ ଏଡିମା ବୃଦ୍ଧି ହୋଇ ଆଖି ବନ୍ଦ ହୋଇ ଯାଇଥିଲା । ଏହା ପରେ ରୋଗୀଙ୍କୁ ସମ ଅଲଟିମେଟ୍ ମେଡକେୟାରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ବ୍ଲାକ୍ ଫଙ୍ଗସ୍ ରେ ପୀଡିତ ଥିବା ଜଣାପଡିଥିଲା । ଋଘଞ ଏବଂ ଖପୁରୀ ବେସ୍ ସର୍ଜରୀର ମୁଖ୍ୟ ଡକ୍ଟର ରାଧାମାଦବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ତୁରନ୍ତ ରୋଗୀଙ୍କ ନାସାଲ୍ ଏଣ୍ଡୋସ୍କୋପି କରିଥିଲେ ଏବଂ ଫଙ୍ଗଲ୍ ଦାଗ ଏବଂ ନମୁନା ପଠାଇଥିଲେ ।
ତେବେ ରୋଗୀଙ୍କ ଫୁଲିଥିବା ଆଖିରେ ଆଣ୍ଟିଫଙ୍ଗାଲ୍ ଥେରାପି ସହ ନିୟମିତ ଏଣ୍ଡୋସ୍କୋପିକ୍ ମୂଲ୍ୟାଙ୍କନ କରିବା ପରେ ରୋଗୀ ଠିକ୍ ଭାବେ ଦେଖି ପାରିଥିଲେ । ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ ଖାଲି ସେ ନୁହନ୍ତି ଆଉ ଦୁଇ ଜଣଙ୍କ ଅବସ୍ଥା ଆକଳନ କରାଯାଉଥିବା ବେଳେ ଡାକ୍ତରଖାନାରେ ଏ ପର୍ୟ୍ୟନ୍ତ ପାଞ୍ଚଜଣ ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରାଯାଇଥିବା ସେ କହିଛନ୍ତି ।