fbpx

ମହାପ୍ରଭୁଙ୍କ ଭଉଁରୀ ଉତ୍ସବରେ ଚକ-ଅଖ ଡେରା ନୀତି ସମ୍ପନ୍ନ କଲେ ଭୋଇ ସେବକ, ରଥଖଳାରେ ଆଜ୍ଞାମାଳ ପହଞ୍ଚିବା ପରେ ୬ ଚକରେ ୩ ଅଖ ସଂଯୋଗ ହେଲା

ପୁରୀ (ଓଡ଼ିଶା ଭାସ୍କର) : ମହାପ୍ରଭୁଙ୍କ ଭଉଁରୀ ତିଥିରେ ଚକରେ ଅଖ ସଂଯୋଗ ଡେରା ନୀତି ସମ୍ପର୍ଣ୍ଣ ହୋଇଛି । ଗୁରୁବାର ଦିନ ୧୦ଟା ସମୟରେ ରଥ ନିର୍ମାଣ ପରମ୍ପରା ଅନୁସାରେ ଠାକୁରଙ୍କ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିଲା। ପରେ ପୂର୍ବରୁ ପ୍ରସ୍ତୁତ ଥିବା ୬ଟି ଚକ ସହ ୩ଟି ଅଖରେ ସଂଯୋଗ କରାଯିବା ପରେ ଭୋଇ ସେବାୟତ ମାନେ ପ୍ରଥମ ହରିବୋଲ ପକାଇଛନ୍ତି।

ବର୍ତ୍ତମାନ ସୁଦ୍ଧା ତିନି ରଥର ମୋଟ ୧୭ଟି ଚକ ନିର୍ମାଣ ସରିଛି । ସେଥିରୁ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୬ଟି ଲେଖାଁଏ ଓ ଦେବଦଳନ ରଥର ୫ଟି ଚକ ସମ୍ପୂର୍ଣ୍ଣ ହୋଇଛି । ବାକି ୨୫ଟି ଚକର କାର୍ଯ୍ୟ ଚାଲିଛି । ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ାବାଡ଼ିଆ କରି ତୁମ୍ବରେ ଅର ସଂଯୁକ୍ତ କରିବା ପରେ ରଥଖଳାରେ ବିଲେଇବାଡ଼ିଆ ମାଧ୍ୟମରେ ସିଙ୍ଗଡ଼ାରେ ପଇ ଭୁଞ୍ଜାଇ ଚକ ପ୍ରସ୍ତୁତି ଚାଲିଛି । ରଥ ଅମିନ ଚକ ପାଇଁ ପଇ ଓ ଅର ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି ।

ତାଳଧ୍ୱଜ ରଥର ୭ଟି ଅଖ ମଧ୍ୟରୁ ନାହାକା ଚକ ସମେତ ୨ଟି ଅଖ କାମ ସରିଥିବା ବେଳେ ୧ଟି ପଡ଼ିନାହାକା, ୨ଟି ଉଛୁଳା ଓ ୨ଟି ବ୍ରେକ୍‌ ଅଖର ଉଭୟ ପାଶ୍ୱର୍ ବାରିସିରେ ହାଣି ଗୋଲେଇ କରୁଛନ୍ତି ବିଶ୍ୱକର୍ମା ।

ଦେବଦଳନର ୬ଟି ଅଖରୁ ୨ଟି ଲେଖାଁଏ ନାହାକା ଓ ପଡ଼ିନାହାକା ଅଖ କାମ ସରିଛି । ୨ଟି ସାନ ଉଛଳା ତଥା ବ୍ରେକ୍‌ ଅଖ କାମ ଜାରି ରହିଛି ।

Get real time updates directly on you device, subscribe now.