fbpx

ନା ଜିନ୍ସ, ନା ଟି-ସାର୍ଟ, ନା ସ୍ପୋର୍ଟ୍ସ ଜୋତା… ଏବେ କେବଳ ସାଦା ପୋଷାକ ପିନ୍ଧିବେ ସିବିଆଇ ଅଫିସର

ନୂଆଦିଲ୍ଲୀ : ଏବେ ସିବିଆଇ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ଏବଂ ସ୍ପୋର୍ଟ୍ସ ଜୋତା ପିନ୍ଧିବା ମନା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ନୂତନ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ ପଦ ସମ୍ଭାଳିବା ମାତ୍ରେ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଡ୍ରେସ କୋଡର ନୂଆ ନିୟମ ଲାଗୁ କରିଛନ୍ତି । ସିବିଆଇ ନୂତନ ମୁଖ୍ୟଙ୍କ ଆଦେଶ ଅନୁଯାୟୀ, ଏଜେନ୍ସିର ପ୍ରତ୍ୟେକ ଅଧିକାରୀ/କର୍ମଚାରୀ କାର୍ଯ୍ୟାଳୟରେ ଉଚିତ୍ ସାଦା ପୋଷାକ ପିନ୍ଧିବେ । କାର୍ଯ୍ୟାଳୟରେ ଜିନ୍ସ, ଟି-ସାର୍ଟ ଏବଂ ସ୍ପୋର୍ଟ୍‌ସ ଜୋତା ଚଳିବ ନାହିଁ ବୋଲି ଜୟସୱାଲ କହିଛନ୍ତି ।

ସାଦା ପେଂଟ-ସାର୍ଟ ଏବଂ ସାଦା ଜୋତା ପିନ୍ଧିବାକୁ ପୁରୁଷ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି । କେବଳ ଏତିକି ନୁହେଁ, ଠିକ୍ ଭାବେ ସେଭିଂ କରି ଅଫିସ୍ ଆସିବାକୁ କୁହାଯାଇଛି । ସେହିପରି ଡ୍ୟୁଟି ସମୟରେ ମହିଳା ଅଫିସର କିମ୍ବା କର୍ମଚାରୀ କେବଳ ଶାଢୀ, ସୁଟ୍ ଓ ସାଦା ସାର୍ଟ ପିନ୍ଧିକି ଆସିବେ । ସିବିଆଇ ନିର୍ଦ୍ଦେଶକ ସୁବୋଧ ଜୟସୱାଲଙ୍କ ମଞ୍ଜୁରୀ ସହିତ ଉପ ନିର୍ଦ୍ଦେଶକ ଅନୁପ ଟି ମାଥ୍ୟୁଙ୍କ ଦ୍ୱାରା ଏହି ଆଦେଶ ଜାରି କରାଯାଇଛି । ଏପରିକି ଚପଲ ପିନ୍ଧି କାର୍ଯ୍ୟାଳୟ ଆସିବାକୁ ମନା କରାଯାଇଛି ।

ଆଦେଶରେ ସମଗ୍ର ଦେଶରେ ସିବିଆଇର ସମସ୍ତ ଶାଖା ପ୍ରମୁଖରେ ଏହି ନିୟମ ସୁନିଶ୍ଚିତ କରିବାକୁ କୁହାଯାଇଛି । ଜନୈକ ସିବିଆଇ ଅଧିକାରୀ କହିଛନ୍ତି. ଏହା ଏକ ସନ୍ତୁଳିତ ଆଦେଶ, କାରଣ ଜଣେ ପେଶାଦାର ଯାଂଚ ଏଜେନ୍ସି ଭାବେ ପ୍ରତ୍ୟେକ ଅଧିକାରୀ/କର୍ମଚାରୀଙ୍କୁ ସାଧା ପୋଷାକ ପିନ୍ଧିବା ଜରୁରୀ । କିନ୍ତୁ ଗତ କିଛି ବର୍ଷ ହେବ ଲୋକେ ଜିନ୍ସ ଏବଂ ଟି ସାର୍ଟ ପିନ୍ଧି ଅଫିସ ଆସିବା ପରମ୍ପରା ଜାରି ରହିଛି । କେହି ମଧ୍ୟ ଏହା ଉପରେ ରୋକ୍ ଲଗାଇ ନାହାନ୍ତି । ବିଶେଷ କରି ମନ୍ତ୍ରଣାଳୟର କର୍ମଚାରୀଙ୍କୁ ମଧ୍ୟ ଏସବୁ ପିନ୍ଧିବା ପାଇଁ ବାରଣ କରାଯାଇ ନାହିଁ ।

ଉଲ୍ଲେଖନୀୟ ସୁବୋଧ ଜୟସୱାଲ ଗତ ବୁଧବାର ସିବିଆଇର ୩୩ତମ ନିର୍ଦ୍ଦେଶକ ଭାବେ ପଦଭାର ଗ୍ରହଣ କରିଛନ୍ତି । ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏକ ଉଚ୍ଚସ୍ତରୀୟ କମିଟି ମୋହର ମାରିଥିଲେ । କାର୍ଯ୍ୟାଳୟର ଅନେକ ଅଧିକାରୀ ଏବଂ କର୍ମଚାରୀଙ୍କ ମତରେ ୧୯୮୫ ବ୍ୟାଚର ଆଇପିଏସ ଅଧିକାରୀ ସୁବୋଧ ଜୟସୱାଲଙ୍କ ଦ୍ୱାରା ଆଗାମୀ ଦିନରେ ସିବିଆଇ ଭିତରେ କିଛି ମହତ୍ୱପୂର୍ଣ୍ଣ ପ୍ରଶାସନିକ ପରିବର୍ତନ କରାଯିବାର ସମ୍ଭାବନା ରହିଛି । ଯଦ୍ୱାରା ଦକ୍ଷତାରେ ସୁଧାର ସହିତ ଜନତାଙ୍କଠାରେ ସିବିଆଇର ଛବି ଦୃଢ ହୋଇ ପାରିବ ।

Get real time updates directly on you device, subscribe now.