fbpx

ରାଜଧାନୀର କେମିତି ଚାଲିଛି ଟିକାକରଣ? ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟଳିନି ସଂକଟ, ହଟନି ସମସ୍ୟା । ଚିନ୍ତାରେ ଡୁବାଇ ରଖିଛି ମହାମାରୀ କରୋନା । ଦ୍ୱିତୀୟ ତରଙ୍ଗରେ ସବୁଠି ଲୋକେ କଲବଲ ହୋଇଗଲେଣି । ଏଥିପାଇଁ କଡ଼ା କଟକଣା ସହ ଲକଡାଉନ୍ ନିୟମ ମଧ୍ୟ ଜାରି ରହିଛି । ଏଭଳି ସ୍ଥିତିରେ ବ୍ୟାପକ ଟିକାକରଣ ପ୍ରତି ଗୁରୁତ୍ୱ ଦିଆଯାଉଛି । ଗତ କିଛିଦିନ ରାଜ୍ୟରେ ଟିକାର ଅଭାବ ଦେଖା ଦେଇଥିଲା। ଫଳରେ କିଛିମାତ୍ରାରେ ଧୀମେଇ ଯାଇଥିଲା ୧୮-୪୪ ବର୍ଗର ଟିକାକରଣ ପ୍ରକ୍ରିୟା । କିନ୍ତୁ ସେଭଳି ସମସ୍ୟା ହଟିବାରେ ଲାଗିଛି । ଏହିକ୍ରମରେ ରାଜଧାନୀରେ ମଧ୍ୟ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି । ସକ୍ରିୟ ହୋଇଛି ସମସ୍ତ କେନ୍ଦ୍ର, ସୁରୁଖୁରୁରେ ଚାଲିଛି ଟିକାକରଣ ।

ସୂଚନା ଅନୁସାରେ, ସୋମବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ଟିକାକରଣ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବା ସହ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦିଆଯିବା ନେଇ ଘୋଷଣା କରିଥିଲେ । କୌଣସି ରାଜ୍ୟ ସରକାର ଟଙ୍କାଟିଏ ଟିକା ପାଇଁ ଖର୍ଚ୍ଚ କରିବାର ଆବଶ୍ୟକ ନାହିଁ ଏବଂ କେନ୍ଦ୍ର ସବୁ ଯୋଗାଇବ ବୋଲି କହିଥିଲେ । ଫଳରେ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ମିଳିଥିଲା ଆଶ୍ୱସ୍ତି । ଓଡ଼ିଶା ସରକାର ମଧ୍ୟ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର୍ କରିବାକୁ ଚେଷ୍ଟା କରିଥିଲେ । ବାତ୍ୟା ୟଶ ପରବର୍ତ୍ତୀ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା (କୋଲକାତା ମଧ୍ୟ) ଗସ୍ତ କରିବା ଦିନ ହିଁ ଓଡ଼ିଶାରେ ଗ୍ଲୋବାଲ୍ ଟେଣ୍ଡର୍ ହେବାକୁ ଘୁଞ୍ଚାଇ ଦିଆଯାଇଥିଲା । ସମ୍ପ୍ରତି ସୋମବାର ପ୍ରଧାନମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ପରେ ଆଉ ସେଭଳି ଟେଣ୍ଡରର ଆବଶ୍ୟକ ପଡ଼ିବନି ବୋଲି କୁହାଯାଉଛି ।

Vaccination at BMC Area Bhubaneswar Odisha #OdishaBhaskar

ଏହିକ୍ରମରେ ରାଜଧାନୀର ସମସ୍ତ କେନ୍ଦ୍ରରେ ମଙ୍ଗଳବାର ସୁରୁଖୁରୁରେ ଟିକାକରଣ ଚାଲିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନ ସମସ୍ତ କେନ୍ଦ୍ରରେ ୧୮-୪୪ବର୍ଗର ନାଗରିକମାନେ ବିନା କୌଣସି ସମସ୍ୟାରେ ଟିକା ନେଇପାରୁଛନ୍ତି । ଯେଉଁମାନେ ମେ ୫ ତାରିଖ ବା ତାପୂର୍ବରୁ ପ୍ରଥମ ଡୋଜ୍ ଟିକା ନେଇଥିଲେ, ସେମାନେ ଦ୍ୱିତୀୟ ଡୋଜ୍ ଟିକା ନେଇପାରୁଛନ୍ତି ।

Get real time updates directly on you device, subscribe now.