କୋକ୍ରାଝର: ଆସାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଦୁଇଜଣ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କୋକ୍ରାଝର ଜିଲ୍ଲାରେ ଦୁଇ ଜଣଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅଭୟାକୁତି ଗ୍ରାମର ଏକ ଛୋଟିଆ ଜଙ୍ଗଲ ଅଞ୍ଚଳରେ ଏହି ଜଘନ୍ୟ ଘଟଣା ଘଟିଛି । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ତେବେ ମୃତକ ଦୁଇଜଣ ଦୁଇ ଭଉଣୀ ବୋଲି ଆସାମ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।
ଏହି ହୃଦୟ ବିଦାରକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ଦୁଇଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କୋକ୍ରାଝର ହସ୍ପିଟାଲକୁ ପଠାଯାଇଛି । ଦୁଇ ଭଉଣୀ ଗତ ଶୁକ୍ରବାର ଅପରାହ୍ଣରୁ ନିଖୋଜ ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।