fbpx

ଏଲଜେପି ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ, ଜାଣନ୍ତୁ କିଏ ହେଲେ ନୂଆ ମୁଖିଆ…

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଅଧ୍ୟକ୍ଷ ଭାବେ ଆଉ ନାହାନ୍ତି ଚିରାଗ ପାସୱାନ । ମଙ୍ଗଳବାର ରାଷ୍ଟ୍ର୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଚିରାଗଙ୍କୁ ଉକ୍ତ ପଦରୁ ହଟାଇ ଦିଆଯାଇଛି । ସଂସଦୀୟ ଦଳ ନେତା ପଶୁପତି କୁମାର ପାରସଙ୍କ ଘରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ବିହାର ରାଜନୀତି ସରଗରମ ହୋଇରହିଛି ।

ସୂଚନା ଅନୁସାରେ ଚିରାଗଙ୍କ ସ୍ଥାନରେ ସୁରଜଭାନ ସିଂହଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ଏବଂ ୫ ଦିନ ମଧ୍ୟରେ ରାଷ୍ଟ୍ରୀୟ ପରିଷଦ ବୈଠକ ଡକାଇବାକୁ ଦଳ ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଦଳରେ ନିଜର ପ୍ରଭାବ ବଜାୟ ରଖିବା ପାଇଁ ଚିରାଗ ଗତ ସୋମବାର ଦିଲ୍ଲୀଗସ୍ତରେ ରହିଥିଲେ । ଦିଲ୍ଲୀସ୍ଥିତ ନିଜ ଦାଦା ପଶୁପତି କୁମାର ପାରସଙ୍କ ଘରକୁ ଚିରାଗ ଯିବା ନେଇ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା ଯେ ସେ କୁଆଡ଼େ ନିଜେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଓ ନିଜ ମା’ ରୀନା ପାସୱାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଇବା ପ୍ରସ୍ତାବ ନେଇ ଯାଇଛନ୍ତି । କିନ୍ତୁ ସେଠାରେ ପୂରା ଦୃଶ୍ୟ ବଦଳି ଯାଇଥିଲା । ନିଜ ଦାଦାଙ୍କ ଘର ବାହାରେ ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ପଶୁପତିଙ୍କ ସହ ତାଙ୍କର ଭେଟ ହୋଇପାରିନଥିଲା । ପଶୁପତି ଦଳର ୫ ସାଂସଦଙ୍କ ସପକ୍ଷରେ ରହିଥିବା ଓ ଦଳ ପକ୍ଷରୁ ଚିରାଗଙ୍କ ସମର୍ଥନରେ କେହି ରହିନଥିବା ଯୋଗୁଁ ସେ ଦଳରେ ଏକ ପ୍ରକାର ଏକଲା ହୋଇପଡ଼ିଥିଲେ ।

ଏହା ପୂର୍ବରୁ ଗତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଦଳର ୫ ସାଂସଦ ନିଜର ନେତା ଭାବେ ପଶୁପତି କୁମାର ପାରସଙ୍କୁ ନିଜ ନେତା ଭାବେ ବାଛି ନେଇଥିଲେ । ପାରସ ହାଜିପୁରର ସାଂସଦ ରହିଥିବାବେଳେ ଚୌଧୁରୀ ମହବୁବ୍ ଅଲି କୈଶର, ବୀଣା ସିଂହ, ସୁରଜଭାନଙ୍କ ଭାଇ ତଥା ସାଂସଦ ଚନ୍ଦନ ସିଂହ ଏବଂ ରାମଚନ୍ଦ୍ର ପାସୱାନଙ୍କ ପୁଅ ପ୍ରିନ୍ସ ରାଜ୍ ପ୍ରମୁଖ ଚିରାଗଙ୍କ ସପକ୍ଷରେ ଆଉନଥିବା କୁହାଯାଉଛି । ଫଳରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହାକୁ ନେଇ ସମ୍ପ୍ରତି ବିହାରରେ ରାଜନୀତିକ ତାତି ଦେଖାଦେଇଛି ।

Get real time updates directly on you device, subscribe now.