ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ଆଜି ସମଗ୍ର ବିଶ୍ୱକୁ ଥରହର କରିଦେଇଛି । ଭାଇରସ୍ ସଂକ୍ରମଣରେ ବହୁ ଲୋକ ମୃତ୍ୟୁବରଣ କରିବା ସହ ଅନେକଙ୍କ ପରିବାର ଲୋପ ପାଇଯାଇଛି । ବହୁ ଲୋକ ନିଜର ଜୀବିକା ହରାଇ ନାନାବିଧ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଇଛି । ତେବେ କରୋନା ସମୟରେ ଓଡ଼ିଶାବାସୀଙ୍କ କାଳ ସାଜିଛି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନ୍ । ରୋଗୀଙ୍କ ହୃତପିଣ୍ଡ ଓ ଫୁସଫୁସ୍ ଅକାମି ହେଲେ ଏକମୋ ମେସିନର ଆବଶ୍ୟକତା ପଡ଼ିଥାଏ । ଯେତେବେଳେ ହୃତପିଣ୍ଡ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଯୋଗାଣରେ ବିଫଳ ହୁଏ, ସେତେବେଳେ ଏହି ମେସିନର ଦରକାର ହୋଇଥାଏ । କରୋନା ସମୟରେ ଏକମୋ ମେସିନର ଆବଶ୍ୟକତା ବହୁତ ବଢ଼ିଯାଇଛି ।
ଏକମୋ ଚିକିତ୍ସା ଅଭାବରୁ କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । ସେହିପରି ବ୍ରହ୍ମପୁରର ଅମ୍ରିତ ପ୍ରଧାନ ନାମକ ଜଣେ ଯୁବକ ମୋଟା ଅଙ୍କର ଟଙ୍କା ଯୋଗାଡ଼ କରି ଏୟାରଲିଫ୍ଟରେ ଚେନ୍ନାଇ ଯାଇଥିଲେ । ଭଞ୍ଜନଗରର ରମେଶ ସାହୁ ନାମକ ଜଣେ ଯୁବକ ଘରଦ୍ୱାର, ଜମିବାଡ଼ି ବିକ୍ରି କରି ୫୦ ଲକ୍ଷ ଟଙ୍କା ଯୋଗାଡ଼ କରି କଲିକତା ଯାଇଥିଲେ । ସେହିପରି ବାଲେଶ୍ୱରର ଅଭିଷେକ ମହାପାତ୍ର ନାମକଙ୍କ ଜଣେ ଯୁବକଙ୍କ ଏକମୋ ଚିକିତ୍ସା ନିମନ୍ତେ ଜନସାଧାରଣ ବିପୁଳ ଅର୍ଥ ସହାୟତା ପ୍ରଦାନ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି, କରୋନା ରୋଗୀଙ୍କୁ ସହାୟତାର ଅର୍ଥ ଚିକିତ୍ସାରେ ଲାଗୁଛି ତ? ଦୈନିକ କେହି ନା କେହି ସୋସିଆଲ ମିଡ଼ିଆରେ ନିଜର ପରିବାର ସଦସ୍ୟଙ୍କ ନିମନ୍ତେ ଲୁହ ଝରାଇ ସହାୟତା ମାଗୁଛନ୍ତି । ଭଗବାନ କରନ୍ତୁ, ସମସ୍ତେ ଭଲ ହୋଇଯାଆନ୍ତୁ ।
କିନ୍ତୁ କହିବା କଥା ହେଲା, ଜଣେ ରୋଗୀଙ୍କୁ ଜନସାଧାରଣ ଯେଉଁ ସହାୟତାର ଅର୍ଥ ପ୍ରଦାନ କରୁଛନ୍ତି, ତାହା ଚିକିତ୍ସା ନିମନ୍ତେ ଆବଶ୍ୟକ ଅର୍ଥ ଠାରୁ ଅଧିକ ନୁହେଁ ତ? କିଛି ଲୋକ ମଧ୍ୟ ଏହାକୁ ପଇସା ରୋଜଗାରର ଯେ ମାଧ୍ୟମ କରୁନଥିବେ, ସେକଥାର ପ୍ରମାଣ କିଏ ଦେବ? ଯିଏ ପାରିଲା ସିଏ ‘ମୋ ସ୍ୱାମୀଙ୍କ ଜୀବନ ରକ୍ଷା କରନ୍ତୁ’ କହି ଲୁହ ଝରାଇଦେଲେ ଓଡ଼ିଶାବାସୀ ଲକ୍ଷ ଲକ୍ଷ ଟଙ୍କା ସହାୟତା ଦେଇ ଦେଉଛନ୍ତି । ଏହା ଆମ ସମାଜ ପାଇଁ ଏକ ଶୁଭ ସମସ୍ୟା ଯେ ଜଣଙ୍କର ବିପଦ ସମୟରେ ଅନ୍ୟମାନେ ସାହାଯ୍ୟ କରୁଛନ୍ତି । କିନ୍ତୁ ସାହାଯ୍ୟ ପ୍ରକୃତ ବ୍ୟକ୍ତି ପାଇବା ଦରକାର ଆଉ ଠିକ୍ ଭାବରେ ପାଇବା ଦରକାର । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକଙ୍କୁ ଜନସାଧାରଣ ସହାୟତା କରିଥିବା ଆର୍ଥିକ ପରିମାଣକୁ ନେଇ କିଛି ଦିନ ପୂର୍ବରୁ ପ୍ରଶ୍ନ ଉଠିଥିଲା । ଟଙ୍କା ପାଇବା ପରେ ଚୁପ୍ ରହିଗଲେ ବୋଲି କିଛିଲୋକ ଅଭିଷେକଙ୍କ ସ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ପରେ ଅଭିଷେକଙ୍କ ସ୍ତ୍ରୀ ମୌସୁମୀ ଏ ନେଇ ମିଡିଆ ଆଗରେ ନିଜର ପକ୍ଷ ରଖିଥିଲେ ।
ବର୍ତ୍ତମାନ ବାସୁଦେବପୁରର କିଛି ସମାଜସେବୀ ଖୋଲାଖୋଲି ଭାବେ କହିଛନ୍ତି ଯେ, ଅଭିଷେକଙ୍କ ଚିକିତ୍ସା ପାଇଁ ଜନସାଧାରଣ ପ୍ରାୟ ଅଢ଼େଇ କୋଟିରୁ ଚାରି କୋଟି ପର୍ଯ୍ୟନ୍ତ ଅର୍ଥ ସହାୟତା ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅଭିଷେକଙ୍କ ଶାରୀରିକ ସ୍ଥିତି ଏବେ କିପରି ରହିଛି, ତାହା ବର୍ତ୍ତମାନ ଓଡ଼ିଶାବାସୀଙ୍କ ଅଗୋଚରରେ ରହିଛି । ସେମାନେ ଅଭିଷେକଙ୍କ ଆରୋଗ୍ୟ କାମନା କରିବା ସହ ସହାୟତା ରାଶିର ସବିଶେଷ ତଥ୍ୟକୁ ମୌସୁମୀ ସମାଜ ଆଗରେ ସାର୍ବଜନୀନ କରିବା ନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସାର୍ବଜନୀନ କରାନଯାଏ, ସେମାନେ ଉକ୍ତ ସମାଜସେବୀମାନେ ଆର୍ଥିକ ଅପରାଧ ୱିଙ୍ଗର ଆଶ୍ରୟ ନେବେ ବୋଲି କହିଛନ୍ତି । ଯେଉଁ ସମାଜସେବୀମାନେ ଏହି ପଦକ୍ଷେପ ନେଇଛନ୍ତି, ସେମାନଙ୍କ ପାଖରେ ନିଶ୍ଚୟ କିଛି ତଥ୍ୟ ଥାଇପାରେ । ଯଦିଓ ଅଭିଷେକଙ୍କ ଘଟଣାର ସତ୍ୟତା କ’ଣ ସ୍ପଷ୍ଟ ହୋଇନାହିଁ, ତେବେ ଏପରି ଆହୁରି ଅନେକ ଘଟଣା ଯେ ଘଟୁ ନଥିବ, ତାହା ଭାବିବା ଭୁଲ୍ ।