ଗାଜିଆବାଦ୍: ଉତ୍ତରପ୍ରଦେଶର ଗାଜିଆବାଦ୍ ରେ ମୁସଲମାନ୍ ବୃଦ୍ଧଙ୍କର ଜୋରଜବରଦସ୍ତି ଦାଢ଼ି କାଟିବା ଓ ମାରପିଟ୍ କରିବା ଭିଡିଓ ଭାଇରାଲ୍ ହେବାକୁ ନେଇ ବିବାଦ ଲାଗିରହିଛି । ଟୁଇଟର୍ ରେ ଭିଡ଼ିଓ ଭାଇରାଲ୍ ହୋଇଥିବା ବେଳେ ଏବେ ପୁଲିସ୍ ଏହାକୁ ନେଇ ଟୁଇଟର୍ ଉପରେ ଆଙ୍ଗୁଠି ଉଠାଇଛି । ତେବେ ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ପୁଲିସ୍ ପକ୍ଷରୁ ଟୁଇଟର୍ ଇଣ୍ଡିଆର ମୁଖ୍ୟଙ୍କୁ ପଚରାଉଚରା କରିବା ପୂର୍ବରୁ ହିଁ ସେ ବେଙ୍ଗାଲୁରୁରେ ଅଗ୍ରିମ୍ ଜାମିନ୍ ଆବେଦନ କରିଛନ୍ତି । ଟୁଇଟର୍ ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କୁ ଆଜି ନିଜ ଓକିଲଙ୍କ ସହିତ ଲୋନୀ କୋତୱାଲୀ ବୋର୍ଡରରେ ଦେଖିବାକୁ ମିଳିଥିଲା । ସେ ଜୁନ୍ ୨୩ ତାରିଖରେ କର୍ଣ୍ଣାଟକ ହାଇକୋର୍ଟରେ ଅଗ୍ରିମ ଜାମିନ୍ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ପୁଲିସ୍ ପକ୍ଷରୁ ସିଆରପିସି ଧାରା-୯୧ ଅଧୀନରେ ନୋଟିସ୍ ଜାରି ହେବାପରେ ଟୁଇଟର୍ ର ଏମଡ଼ି ମନୀଷ ମହେଶ୍ୱରୀ ପ୍ରଥମେ ଯାଞ୍ଚ ରେ ସହଯୋଗ କରିବାକୁ ଯାଇ ଭିଡିଓ କନଫରେନ୍ସ ମାଧ୍ୟମରେ ପଚରାଉଚରା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ପୁଲିସ୍ ଏଥିରେ ସହମତି ପ୍ରକାଶ କରିନଥିଲା । ଆଉ ଜୁନ୍ ୨୪ ତାରିଖରେ ବ୍ୟକ୍ତିଗତ ରୂପରେ ଆସି ହଜାର ହେବାକୁ କହିଥିଲା । ତେବେ ଉକ୍ତ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ମୁସଲିମ୍ ବୃଦ୍ଧଙ୍କୁ କିଛି ଯୁବକ ଜୋରଜବରଦସ୍ତି ମାଡ ମାରୁଛନ୍ତି ଏବଂ ଦାଢ଼ି କାଟି ଦେଉଛନ୍ତି । ଆଉ ଏହି ସମୟର ଭିଡିଓ କୁ ମଧ୍ୟ ଟୁଇଟର୍ ରେ ଭାଇରାଲ୍ କରିଦିଆଯାଇଥିଲା । ଆଉ ଏହି ମାମଲାରେ ଭିଡିଓ ଭାଇରାଲ୍ କରିଥିବା ଯୁବକ, ସେଥିରେ ସାମିଲ ଥିବା ବ୍ୟକ୍ତି ଏବଂ ଟୁଇଟର୍ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।