ଓଡ଼ିଶା ଭାସ୍କର ବ୍ୟୁରୋ: ଜୀବନରେ ସମସ୍ତେ ଆଗକୁ ବଢିବାର ସ୍ୱପ୍ନ ଦେଖିଥାନ୍ତି । ମାତ୍ର ଆର୍ଥିକ ସମ୍ବଳର ଅଭାବ ସମସ୍ତଙ୍କୁ ଆଗକୁ ଯିବା ରାସ୍ତାରେ ଅସୁବିଧା ସୃଷ୍ଟି କରିଥାଏ । ଅନେକ ସମୟରେ ଆପଣ ଏକାଧିକ ଯୋଜନା ପ୍ରସ୍ତୁତ କରିଥାନ୍ତି ମାତ୍ର ଅର୍ଥ ଆପଣଙ୍କ ଯୋଜନାରେ ବାଧା ସୃଷ୍ଟି କରିଥାଏ । ଦେଶର ୭୦ ପ୍ରତିଶତ ଲୋକ ମଧ୍ୟବିତ ବର୍ଗର ହୋଇଥିବାରୁ ସ୍ୱପ୍ନପୂରଣ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ ବ୍ୟାପାର । ତେବେ ସଠିକ ଭାବରେ ଯୋଜନା କରିବା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ସହିତ ଆପଣ ନିଜର ସ୍ୱପ୍ନକୁ ପୂରଣ କରିବାରେ ସମର୍ଥ ହୋଇପାରିବେ ।
ବଜେଟ୍:
ପ୍ରଥମେ ଆପଣଙ୍କୁ ନିଜ ଖର୍ଚ୍ଚ ସମ୍ବନ୍ଧୀୟ ଏକ ସୁଚିନ୍ତିତ ବଜେଟ୍ ପ୍ରସ୍ତୁତ କରିବାକୁ ପଡିବ । ଶୁଣିବାକୁ ଏହା ଟିକିଏ ଅଡୁଆ ଲାଗୁଥିଲେ ହେଁ ଆର୍ଥିକ ଅଭିବୃଦ୍ଧିର ପ୍ରାଥମିକ ସ୍ତର ହେଉଛି ବଜେଟ୍ । ବଜେଟ୍ ପ୍ରସ୍ତୁତ କରିବା ଦ୍ୱାରା ଆପଣ ନିଜ ଜୀବନରେ ଏକ ସନ୍ତୁଳନ ଆଣିଥାଏ । ନିଜର ଭବିଷ୍ୟତର ଖର୍ଚ୍ଚକୁ ନିୟମିତ ଯୋଜନାବଦ୍ଧ ଭାବରେ ହ୍ରାସ କରିପାରି ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବେଶ୍ ସହାୟକ ହୋଇଥାଏ । ଏହାଦ୍ୱାରା ସଠିକ୍ ସମୟରେ ଋଣ ପରିଶୋଧ ହେବା ସହିତ ସଞ୍ଚୟ ମଧ୍ୟ ହୋଇଥାଏ ।
ଖର୍ଚ୍ଚର ହିସାବ ରଖନ୍ତୁ:
ସାଧାରଣତଃ ଦୈନନ୍ଦିନ ଜୀବନରେ ଆମେ ଦୈନିକ ହେଉ ଅଥବା ମାସିକ ଖର୍ଚ୍ଚର ହିସାବ ରଖିବାରେ ସକ୍ଷମ ହୋଇନଥାଏ । ଫଳସ୍ୱରୂପ ବେଳେବେଳେ ଖର୍ଚ୍ଚ ଆବଶ୍ୟକତା ଠାରୁ ଅଧିକ ହୋଇଥାଏ । ତେବେ ଦୈନନ୍ଦିନ ଖର୍ଚ୍ଚ ଅଥବା ମାସିକ ଖର୍ଚ୍ଚର ହିସାବ ରଖି ଏହାର ତୁଳନା କରିବା ଦ୍ୱାରା ଆପଣ ଖର୍ଚ୍ଚକାଟରେ ସଫଳ ହୋଇଥାନ୍ତି । ଏତଦ୍ୱାରା କିଛି ଅଥଅର୍ ସଞ୍ଚୟ ସମ୍ଭବପର ହୋଇପାରିଥାଏ ।
ସାମାଜିକ ଚାପ ଓ ପରିଚାଳନା: ଆଜିକା ସମାଜରେ ନିଜକୁ ସାମାଜିକ ଭାବରେ ବ୍ୟବସ୍ଥିତ ଏବଂ ଅର୍ଥନୈତିକ ପରିଚାଳନା ଅଭାବରୁ ମଧ୍ୟ ସଞ୍ଚୟ ସମ୍ଭବପର ହୋଇନଥାଏ । ସାଙ୍ଗସାଥୀଙ୍କ ସହିତ ବାହାରକୁ ଯାଇଥିବା ବେଳେ ସମୟ ସମୟରେ ଆପଣଙ୍କୁ ବିଲ୍ ପ୍ରଦାନ କରିବାକୁ ପଡିପାରେ ଯାହା ଆପଣଙ୍କ ଆର୍ଥିକ ଅବସ୍ଥାକୁ ବିଗାଡିପାରେ । ଏପରି ପରସ୍ଥିତିରେ ଯୋଜନାବଦ୍ଧ ଭାବରେ ଖର୍ଚ୍ଚ କରନ୍ତୁ । ଉପଯୁକ୍ତ ସଞ୍ଚୟ କରିଥିଲେ ହିଁ ଅର୍ଥ ଖର୍ଚ୍ଚ କରିବାର ନିଷ୍ପତ୍ତି ନିଅନ୍ତୁ । ଏହିପରି ଭାବରେ ସୁପରିଚାଳନା ଦ୍ୱାରା ଆପଣ ଆର୍ଥିକ ଅଭିବୃଦ୍ଧି ହାସଲ କରିପାରିବେ ।
ସଞ୍ଚୟ:
କରୋନା ମହାମାରୀ ଆମକୁ ଏକାଧିକ ଜିନିଷ ଶିଖାଇଛି । ସଞ୍ଚୟର ସୁପରିଣାମ ମଧ୍ୟ ଆମକୁ ଦେଖିବାକୁ ମିଳିଛି । ଯେଉଁମାନେ ଯୋଜନାବଦ୍ଧ ଭାବେ ଅର୍ଥସଞ୍ଚୟ କରିଥାନ୍ତି ସେମାନଙ୍କୁ ଅସୁବିଧାର ସମ୍ମୁୁଖୀନ ହେବାକୁ ପଡିନାହିଁ । ତେଣୁ ନିୟମିତ ଅଳ୍ପ କିଛି ସଞ୍ଚୟ ଆପଣଙ୍କୁ ଆଗକୁ ବଢିବାକୁ ସହାୟତା କରିଥାଏ ।
ସଞ୍ଚିତ ଅର୍ଥର ନିବେଶ:
ଅର୍ଥ ସଞ୍ଚୟ ଯେତିକି ଗୁରୁତ୍ୱପୂର୍ଣ୍ଣ ଉକ୍ତ ଅର୍ଥର ନିବେଶ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଅର୍ଥନୈତିକ ନିବେଶ ଦ୍ୱାରା ଆୟର ଅନ୍ୟ ଏକ ପନ୍ଥା ସୃଷ୍ଟି ହୋଇଥାଏ ଯାହା ଆଗକୁ ବଢିବାରେ ସହାୟକ ହୋଇଥାଏ । ଏହା ସହିତ ଉପଯୁକ୍ତ ସ୍ଥାନରେ ନିବେଶ ଦୀର୍ଘସ୍ଥାୟୀ ଭାବରେ ସହାୟକ ହୋଇଥାଏ ।
କ୍ରେଡିଟ୍ ସ୍କୋର ଜାଣନ୍ତୁ:
କ୍ରେଡିଟ୍ ସ୍କୋର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସର୍ବଦା ୭୦୦-୭୫୦ କ୍ରେଡିଟ ସ୍କୋର ବଜାୟ ରଖିବାର ପ୍ରୟାସ କରିବା ଦ୍ୱାରା ଆପଣ ଅତ୍ୟାବଶ୍ୟକ ସମୟରେ ବ୍ୟାଙ୍କରୁ ଋଣ ହାସଲ କରିପାରିବେ ।
ଆର୍ଥିକ କାରବାର ସମ୍ପର୍କରେ ଜାଣନ୍ତୁ:
ନିଜର ସମସ୍ତ ଆର୍ଥିକ କାରବାରକୁ ଯାଞ୍ଚ କରିବା ସହିତ ଏହା ଉପରେ ସମ୍ପୂର୍ଣ୍ଣ ଜ୍ଞାନ ହାସଲର ପ୍ରୟାସ କରନ୍ତୁ । ଏହାଦ୍ୱାରା ଅନେକ କ୍ଷେତ୍ରରେ ଅର୍ଥ ସଞ୍ଚୟ ହୋଇଥାଏ।
ସଠିକ୍ ସମୟରେ ଋଣ ଫେରସ୍ତ :
ଆର୍ଥିକ ଅଭିବୃଦ୍ଧି ପାଇଁ ଯଥାସମ୍ଭବ ଋଣରୁ ଦୂରେଇ ରୁହନ୍ତୁ । ତେବେ ଯଦି ଋଣ ନେବା ଅତ୍ୟାବଶ୍ୟକ ତେବେ ତାହା ସଠିକ୍ ସମୟରେ ଫେରସ୍ତ କରନ୍ତୁ । ଏହା ଦ୍ୱାରା ଅର୍ଥନୈତିକ ଜଟିଳତା କମ୍ ହୋଇଥାଏ ।
କୁପନ୍ ଓ କ୍ୟାଶବ୍ୟାକ୍ର ବ୍ୟବହାର:
ବିଭିନ୍ନ ଆପ୍ ଗୁଡିକ ଜରିଆରେ ଆଜିକାଲି ସବୁଠାରୁ ଅଧିକ କୁପନ୍ ଏବଂ କ୍ୟାଶବ୍ୟାକ୍ ମିଳୁଛି । ଦୈନନ୍ଦିନ ଖର୍ଚ୍ଚର ତୁଳନା କରି ଏହାର ସଠିକ୍ ବ୍ୟବହାର ପାଇଁ ପ୍ରୟାସ ନିହାତି ଆବଶ୍ୟକ । ଏହାଦ୍ୱାରା ଅଯଥା ଖର୍ଚ୍ଚ କମ୍ ହୋଇଥାଏ ଏବଂ ସଞ୍ଚୟ ମଧ୍ୟ ବଢିଥାଏ ।
ସମୀକ୍ଷା :
ସଦାସର୍ବଦା ନିଜର ଅର୍ଥନୈତିକ ଅବସ୍ଥାର ସମୀକ୍ଷା କରନ୍ତୁ । ସମୀକ୍ଷା କରି ଆୟ ଓ ବ୍ୟୟ ମଧ୍ୟରେ ଏକ ଉପଯୁକ୍ତ ସନ୍ତୁଳନ ରକ୍ଷା କରି ଆତ୍ମନିର୍ଭର ହୁଅନ୍ତୁ ।