ଜୁଲାଇ ପହିଲାରୁ ପୁଣି ମହଙ୍ଗା ଭତ୍ତା ପାଇବେ ସରକାରୀ କର୍ମଚାରୀ, ଭାଇରାଲ୍ ବିଜ୍ଞପ୍ତିକୁ ଫେକ୍ ଦର୍ଶାଇଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ପାଇଁ ଗତବର୍ଷ ଏପ୍ରିଲ ମାସ ଠାରୁ ଚଳିତ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ସ୍ଥଗିତ ହୋଇ ରହିଥିଲା । କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ପେନନସନଧାରୀ ବୃର୍ଦ୍ଧିତ ମହଙ୍ଗା ଭତ୍ତା ପାଇନାହାନ୍ତି । ତେବେ ଆସନ୍ତା ଜୁଲାଇ ମାସ ୧ ତାରିଖରୁ ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀ ମହଙ୍ଗା ଭତ୍ତା ପାଇବେ ବୋଲି ଅର୍ଥ ମନ୍ତ୍ରଣାଳୟର ଏକ ଟ୍ୱିଟ୍ ଭାଇରାଲ୍ ହୋଇଥିଲା । ତେବେ ଏହା ସମ୍ପୂର୍ଣ୍ଣ ଫେକ୍ ଅଟେ, ଏହା ଉପରେ ବିଶ୍ୱାସ ନ କରିବାକୁ ଜନସାଧାରଣଙ୍କୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ କର୍ମଚାରୀମାନେ ମହଙ୍ଗା ଭତ୍ତା ପାଇବା ନେଇ ଏକ ନୋଟିସ୍ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସରକାରଙ୍କ ପକ୍ଷରୁ ଏନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଗତ ୨୬ ତାରିଖରେ ଭାଇରାଲ୍ ହୋଇଥିବା ଏକ ମେମୋରାଣ୍ଡମରେ କୁହାଯାଇଥିଲା ଯେ, କରୋନା ପାଇଁ ସ୍ଥଗିତ ହୋଇ ରହିଥିବା ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ଜୁଲାଇ ୧ ତାରିଖରୁ ପ୍ରଦାନ କରାଯିବ । ୨୦୨୦ ମସିହା ଜୁଲାଇ ୧ରୁ ୨୦୨୧ ଜାନୁଆରୀ ୧ ମଧ୍ୟରେ ଥିବା ସମସ୍ତ ଭତ୍ତା ୩ଟି କିସ୍ତିରେ ପ୍ରଦାନ କରାଯିବ । ଏହି ସୁଫଳ ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀ ଉଠାଇ ପାରିବେ । ତେବେ ଏହା ମିଥ୍ୟା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଜନସାଧାରଣଙ୍କ ଗତବର୍ଷର ମହଙ୍ଗା ଭତ୍ତାକୁ ସ୍ଥଗିତ କରି ରଖିଥିବାରୁ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି । କରୋନା ସମୟରେ ନିଜର ସେବା ଜାରି ରଖିଥିବା ୧୧୩ ଲକ୍ଷ କର୍ମଚାରୀଙ୍କର ଝାଳବୁହା ଧନ ୩୭,୫୦୦ କୋଟି ଟଙ୍କାକୁ ସରକାର ହଡ଼ପ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ।

Get real time updates directly on you device, subscribe now.