fbpx

ପୁଡୁଚେରୀ କ୍ୟାବିନେଟରେ ଦ୍ୱିତୀୟ ମହିଳା ମନ୍ତ୍ରୀ; ଜାଣନ୍ତୁ କିଏ

ପୁଡୁଚେରୀ (ଓଡ଼ିଶା ଭାସ୍କର): ପୁଡୁଚେରୀରେ ହେବାକୁ ଥିବା କ୍ୟାବିନେଟ୍ ସଂପ୍ରସାରଣରରେ ସାମିଲ ହେବାକୁ ଯାଉଛନ୍ତି ଦ୍ୱିତୀୟ ମହିଳା ମନ୍ତ୍ରୀ । ଦୀର୍ଘ ୪ ଦଶନ୍ଧି ପରେ ଜଣେ ମହିଳାଙ୍କୁ ମନ୍ତ୍ରୀ ପଦ ମିଳିବାକୁ ଯାଉଛି । ଶେଷ ଥର ପାଇଁ ୧୯୮୦-୮୩ ମଧ୍ୟରେ ଥିବା ସରକାରରେ ଦିବଙ୍ଗତ କଂଗ୍ରେସ ନେତ୍ରୀ ରେଣୁକା ଆପ୍ପାଦୁରାଇ ମନ୍ତ୍ରୀ ରହିଥିଲେ । ଏମ୍ଡିଆର ରାମଚନ୍ଦ୍ରନଙ୍କ ସରକାର ଅମଳରେ ଏହି ଘଟଣା ଘଟିଥିବା ବେଳେ ଏହା ପରଠାରୁ କୌଣସି ମହିଳାଙ୍କୁ ମନ୍ତ୍ରୀପଦ ମିଳିନାହିଁ । ଚଳିତ ଥର ବିଜେପି ଏବଂ ଏଆଇଏନ୍ଆରସି ମେଣ୍ଟ ସରକାର ଗଠନ କରିଥିବା ବେଳେ ମହିଳା ନେତ୍ରୀ ଏସ୍ ଚନ୍ଦିରା ପ୍ରିୟଙ୍ଗାଙ୍କୁ ମନ୍ତ୍ରୀପଦ ମିଳିବାକୁ ଯାଉଛି ।

ମେ ମାସରେ ପୁଡୁଚେରୀ ନିର୍ବାଚନ ସରିଥିବା ବେଳେ ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏନ ରଙ୍ଗାସାମୀ । ଏହାପରେ ସେ କରୋନାରେ ଆକ୍ରାନ୍ତ ହେବାରୁ କ୍ୟାବିନେଟର ଅନ୍ୟ ସଦସ୍ୟଙ୍କ ଶପଥ ପାଠ ବିଳମ୍ବିତ ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ କ୍ୟାବିନେଟର ୫ ସଦସ୍ୟଙ୍କ ନାମ ପଠାଯାଇଥିଲା । ୫ ସଦସ୍ୟଙ୍କ ମଧ୍ୟରେ ପ୍ରିୟଙ୍ଗା ରହିଥିବା ବେଳେ ଏଥିରେ ରାଷ୍ଟ୍ରପତିଙ୍କ ମୋହର ବାଜି ସାରିଛି । ଉପ ରାଜ୍ୟପାଳ ତାମିଲ ସାଇ ସୌନ୍ଦରାଜନ ସମସ୍ତଙ୍କୁ ନିଜର ପଦ ଓ ଗୋପନୀୟତାର ଶପଥପାଠ କରାଇବେ ।

ପୂର୍ବତନ ମନ୍ତ୍ରୀ ଚନ୍ଦ୍ରାକାସୁଙ୍କ ଝିଅ ଏସ୍ ଚନ୍ଦିରା ପ୍ରିୟଙ୍ଗା ୨୦୧୬ରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ନେଦୁଙ୍ଗାଡୁ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇ ପ୍ରଥମ ଥର ବିଧାନସଭାକୁ ଆସିଥିବା ପ୍ରିୟଙ୍ଗା ପୁଡୁଚେରୀର ସର୍ବକନିଷ୍ଠ ମହିଳା ମନ୍ତ୍ରୀ ହେବାର ଗୌରବ ଲାଭ କରିବାକୁ ଯାଉଛନ୍ତି ।

Get real time updates directly on you device, subscribe now.