fbpx

ଆପରେ ସାମିଲ ହେଲେ କର୍ମଚାରୀଙ୍କୁ କାର-ଘର ଉପହାର ଦେଉଥିବା ହୀରା ବ୍ୟବସାୟୀ ମହେଶ ସବାନି

ଅହମ୍ମଦାବାଦ : ଦିଲ୍ଲୀରେ ନିଜର ସଫଳ ରାଜନୈତିକ ଯାତ୍ରା ପରେ ଆମ୍ ଆଦମୀ ପାର୍ଟି(ଆପ୍) ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଜୁଟି ଯାଇଛି। ଏହି କ୍ରମରେ ରବିବାର ସୁରଟର ହୀରା ବ୍ୟବସାୟୀ ତଥା ସାମାଜିକ କର୍ମୀ ମହେଶ ସବାନି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ରାଜ୍ୟରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି)କୁ ହରାଇବାକୁ ଲକ୍ଷ୍ୟ ରଖିଥିବା ଆପ୍ ପାଇଁ ଏହା ଏକ ବଡ ସଫଳତା। ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ସବାନି ଆପର ସଦସ୍ୟତା ଗ୍ରହଣ କରିଛନ୍ତି।

ସିସୋଦିଆ ଟ୍ଵିଟ୍ କରିଛନ୍ତି ଯେ, ଗୁଜରାଟର ସଫଳ ଉଦ୍ୟୋଗପତି ଓ ପ୍ରସିଦ୍ଧ ସମାଜସେବୀ ମହେଶ ସବାନୀ ଆଜି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ମହେଶ ଭାଇଙ୍କୁ ଆପ୍ ପରିବାରରେ ସ୍ଵାଗତ। ଗୁଜରାଟ ରାଜନୀତି ଏବେ ନୂତନ ମୋଡ ନେଉଛି। ସୁରଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନିଷ ସିସୋଦିଆ କହିଛନ୍ତି, ଆପ୍ ଗୁଜରାଟରେ ଏକ ଖାଲି ଭୂଖଣ୍ଡ ପରି, ଯେଉଁଠି ରାଜ୍ୟର ନୂତନ ଓ ଆଧୁନିକ ରାଜନୀତିର ଘର ଗଠନ କରାଯାଇ ପାରିବ। ଏହାର ମୂଳଦୁଆ ପାଇଁ ଆମେ ମହେଶ ଜୀଙ୍କୁ ଆପ୍ରେ ସ୍ଵାଗତ କରୁଛୁ। ଏବେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ଦିନ ରାତି ଚାରିଗୁଣରେ ଅଗ୍ରସର ହେଉଛି।

ମହେଶ ସବାନିଙ୍କ ଖ୍ୟାତି

ପ୍ରତି ବର୍ଷ ଦୀପାବଳିରେ ବୋନସ ଭାବେ ସୁରଟର ହୀରା ବ୍ୟବସାୟୀ ମହେଶ ସବାନି ନିଜ କର୍ମଚାରୀଙ୍କୁ କାର, ଫ୍ଲାଟ୍ ଆଦି ଉପହାର ଦେଇଥାନ୍ତି। ଏହା ବ୍ୟତୀତ ସେ ୫୦୦ରୁ ଅଧିକ ଝିଅଙ୍କ ବିବାହ କରାଇଛନ୍ତି। ଏହି କାରଣରୁ କେବଳ ଗୁଜରାଟ ନୁହେଁ ସବାନି ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି।
ଗୁଜରାଟର ଭାବନଗର ଏକ ଗାଁରୁ ଜନ୍ମିତ ମହେଶ ସବାନିଙ୍କ ବାପା ପ୍ରାୟ ୪୦ ବର୍ଷ ପୂର୍ବେ ସହର ଆସିଥିଲେ। ସେଠାରେ ସେ ହୀରା ପଲିସ୍ କାମ ଆରମ୍ଭ କରିଥିଲେ। ଧିରେ ଧିରେ କାମ ବଢି ଚାଲିଲା ଏବଂ ସେ ୟୁନିଟ୍ର ମାଲିକ ହୋଇ ଯାଇଥିଲେ। ତାଙ୍କ ପରିବାର ଏବେ ପ୍ରତି ଝିଅଙ୍କ ବିବାହରେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସମର୍ଥ।

Get real time updates directly on you device, subscribe now.