ଭୁବନେଶ୍ୱର/ବାରିଦା, (ଓଡ଼ିଶା ଭାସ୍କର): ମୟୂରଭଞ୍ଜ ଜିଲ୍ଲାର କଳାକାର ମୋନା ବିଶ୍ୱରୂପା ମହାନ୍ତି ଓଡ଼ିଶା ପାଇଁ ଆଣି ଦେଇଛନ୍ତି ଗର୍ବ । ପ୍ରଥମ ଓଡ଼ିଆଭାବେ ସେ ହାସଲ କରିଛନ୍ତି ୟୁଏଇ ଗୋଲଡେନ ଭିସା । ୟୁଏଇ ତରଫରୁ ଏହି ଭିସା ଦିଆଯିବାର ଅର୍ଥ ବିଶ୍ୱରୂପା ଏବେ ୟୁଏଇରେ ୧୦ ବର୍ଷ ଯାଏ ବିନା କୌଣସି ବାଧାରେ ରହିପାରିବେ । ଏଥିାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ଦୃଷ୍ଟାନ୍ତମୂଳକ ସଫଳତା ଅନ୍ୟମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଉତ୍କର୍ଷ ପ୍ରତିପାଦନ ପାଇଁ ଅନୁପ୍ରାଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ ଏବଂ ସଂସ୍କୃତି, ଐତିହାସିକ ଏବଂ ପାଠ ପଢ଼ିବା କ୍ଷେତ୍ରରେ ପ୍ରତିଭାମାନଙ୍କୁ ଏହି ଦୀର୍ଘକାଳୀନ ସାଂସ୍କୃତିକ ଭିସା ପ୍ରଦାନ କରିଥାଏ ୟୁଏଇ ।
ମୋନା ବିଶ୍ୱରୂପା ମହାନ୍ତି ଦୁବାଇର ଆର୍ଥନୀତିକ ବିଭାଗର ଜଣେ କଳାକାର । ୨୦୦୭ରୁ ସେ ଦୁବାଇରେ ରହୁଛନ୍ତି । ସେ ବାରିଦା ସ୍କୁଲ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରୁ ଫାଇନ୍ ଆର୍ଟରେ ଡିପ୍ଲୋମା କରିଛନ୍ତି । ମୋନାଙ୍କ ବାପା ସଂଗ୍ରାମ କେଶରୀ ମହାନ୍ତି ଜଣେ ଗୀତିକାର ଭାବରେ ଜଣାଶୁଣା । ତାଙ୍କ ମା’ ମମତା ଜଣେ ଶିକ୍ଷୟିତ୍ରୀ । ବିଶ୍ୱରୂପା ଇଟାଲୀର ମିଲାନରୁ ଫ୍ୟାଶନ ଏବଂ ଟେକ୍ସଟାଇଲରେ ମାଷ୍ଟର ଡିଗ୍ରୀ କରିଥିଲେ । ଏବେ ବିଶ୍ୱରୂପା ଦୁବାଇର ଏକାଡେମିକ୍ କ୍ଷେତ୍ରରେ ଏବଂ ଡିଜାଇନ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ଆଠ ବର୍ଷ ହେବ ସକ୍ରିୟ ରହିଛନ୍ତି । ୨୦୧୯ରେ ଏପରି ଭିସାର ବ୍ୟବସ୍ଥା ଆରମ୍ଭ କରିଥିଲା ୟୁଏଇ । ଏହି ଭିସା ପାଞ୍ଚ କିମ୍ବା ୧୦ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ ଏବଂ ଏହା ସ୍ୱୟଂଚାଳିତ ଭାବରେ ନବୀକରଣ କରାଯାଇଥାଏ ।