ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ ହୋଇଗଲେ ସବୁ ଦୁଃଖ ଦୂର ହୋଇଯାଏ । ଅମାପ ଶାନ୍ତି ପାଆନ୍ତି ଓଡ଼ିଆ । ଆଉ ଏଥିପାଇଁ ମାର୍ଚ୍ଚ ୨୦ରେ ପାଳନ କରାଯାଏ ‘ବିଶ୍ୱ ପଖାଳ ଦିବସ’ । ତେବେ ଓଡ଼ିଆଙ୍କ ପ୍ରିୟ ଏହି ପଖାଳ ବାସ୍ତବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଓ ରୋଗ ସହ ଲଢ଼ିବାକୁ ପ୍ରଚୁର କ୍ଷମତା ଯୋଗାଏ । ଏହି ବିଶ୍ୱାସକୁ ଆହୁରି ଦୃଢ଼ିଭୂତ କରିଛି ମେଡିକାଲ୍ ସାଇନ୍ସ ।
ସୂଚନା ଅନୁସାରେ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବା ଏମ୍ସ ପକ୍ଷରୁ କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପଖାଳରେ ପ୍ରଚୁର ଶକ୍ତି ରହିଛି । ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଉଛି । ଏପରିକି ପଖାଳ ଖାଇବା ଦ୍ୱାରା କରୋନା ସହ ଲଢ଼ି ହେବ ବୋଲି ମଧ୍ୟ କୁହାଯାଉଛି । ଓଡ଼ିଶାର ଏହି ପାରମ୍ପାରିକ ପ୍ରିୟ ଖାଦ୍ୟ ପଖାଳ ଓ ତୋରାଣୀରେ ଏଭଳି ଶକ୍ତି ରହିଛି ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ଗବେଷଣା କରାଯାଇଛି । ଅଧ୍ୟୟନ ଅନୁସାରେ ପଖାଳରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ରହିଛି ଏବଂ ତୋରାଣିରେ ଶର୍ଟ-ଚେନ୍ ଫାଟି ଏସିଡ୍ ଭରପୂର ରହିଛି । ଯାହାକି ଶକ୍ତିବର୍ଦ୍ଧକ ଓ କ୍ଷୀଣ ଶରୀରକୁ ସୁସ୍ଥ ସବଳ ମୋଟା କରିବାରେ ମଧ୍ୟ ସହାୟକ ହୋଇଥାଏ ।
ଏମ୍ସ-ଭୁବନେଶ୍ୱରର ଅଣୁ-ଜୀବ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଓ ଅତିରିକ୍ତ ପ୍ରଫେସର ବି. ରାମଦାସ ପଖାଳକୁ ନେଇ ଗଭୀର ଅଧ୍ୟୟନ କରିଛନ୍ତି । ୨୦୧୯ରୁ ସେ ଜାରି ରଖିଥିବା ଗବେଷଣା ଅନୁସାରେ ପଖାଳରେ ଥିବା ପୋଷଣ ତତ୍ତ୍ୱ ମଣିଷ ଶରୀରରେ ଖୁବ୍ ପ୍ରଭାବ ପକାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ପ୍ରଫେସର ରାମଦାସଙ୍କ ଟିମ୍ ପଖାଳ-ତୋରାଣିର ୨୦ଟି ସାମ୍ପୁଲ୍ ବିଭିନ୍ନ ପରିବାରରୁ ସଂଗ୍ରହ କରିଥିଲେ । ଭିନ୍ନ ଭିନ୍ନ ଅଞ୍ଚଳରୁ ସାମ୍ପୁଲ୍ ସଂଗ୍ରହ କରାଯିବାବେଳେ ସମ୍ପୃକ୍ତ ପରିବାରଗୁଡ଼ିକର ଆର୍ଥିକ ଓ ସାମାଜିକ ସ୍ଥିତି ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଗବେଷଣାରୁ ଆହୁରି ଜଣାପଡ଼ିଛି ଯେ ଶର୍ଟ-ଚେନ୍ ଫାଟି ଏସିଡ୍ ଉପସ୍ଥିତି ଯୋଗୁ ପଖାଳ ପେଟର ଜ୍ୱାଳାକୁ ସହଜରେ ପ୍ରତିହତ କରିଥାଏ । ସେହିପରି ଲାକ୍ଟୋବାସିଲସ୍ ନାମକ ଉପାଦାନ ଥିବାଯୋଗୁଁ ତୋରାଣି ସ୍ଥାନୀୟ ସଂକ୍ରମଣରୁ ଶରୀରକୁ ସୁରକ୍ଷା ଯୋଗାଇଥାଏ । ବିଶେଷକରି ଯକୃତ ଓ ଫୁସଫୁସ୍ ପାଇଁ ପଖାଳ-ତୋରାଣି ଅମୃତ ଭଳି ଉପକାରୀ ସାବ୍ୟସ୍ତ ହୋଇଥାଏ । ମୋଟାମୋଟି ଭାବେ ଶକ୍ତିର ଉତ୍ସ ପଖାଳ ଭାଇରାଲ୍ ଡିଜିଜ୍ ବା ସଂକ୍ରମଣଜନିତ ରୋଗରୁ ରକ୍ଷା କରିଥାଏ ବୋଲି ଜଣାପଡ଼ିଛି ।
ସେହିପରି ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ ପଖାଳ ଓ ତୋରାଣି ପ୍ରଜନନ କ୍ଷମତା ଓ ଶୁକ୍ରାଣୁ ବୃଦ୍ଧିରେ ସହାୟକ ହେବା ସହ ମହିଳାଙ୍କ ପାଇଁ ଗର୍ଭଧାରଣର ସୁଯୋଗ ସୃଷ୍ଟି କରିପାରେ । ଖାଲି ଏତିକି ନୁହେଁ, ମାତୃ ସ୍ୱାସ୍ଥ୍ୟ ପାଇଁ ପଖାଳ ଓ ତୋରାଣି ଖୁବ୍ ଲାଭଦାୟକ । ଅପପୁଷ୍ଟିରୁ ସୁରକ୍ଷା ଯୋଗାଇଥାଏ ପଖାଳ-ତୋରାଣି ବୋଲି ଗବେଷଣାରୁ ଜଣାପଡ଼ିଥାଏ ।