fbpx

ଅନଲାଇନରେ ନିଲାମ ହେବ ଓଡ଼ିଶାର ୧୧ ଖଣି; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୀର୍ଘ ଏକ ବର୍ଷ ପରେ ଓଡ଼ିଶା ସରକାର ଖଣି ନିଲାମୀ ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଖଣିର ନିଲାମୀ ନେଇ ବିଜ୍ଞାପନ ପ୍ରକାଶ ପାଇଛି । କେନ୍ଦ୍ର ଖଣି ନିଗମ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମ ଅନୁଯାୟୀ ଖଣିଜ ପଦାର୍ଥ ଶେଷ ହେବା ଯାଏଁ ବ୍ୟବହାରର ଅନୁମତି ପ୍ରଦାନ କରାଯିବ ନାହିଁ । ଏଥିପାଇଁ ନିଲାମୀ ପ୍ରକ୍ରିୟାକୁ ସଂଶୋଧନ କରାଯାଇଛି । ନିଲାମୀ ପାଇଁ ରଖାଯାଇଥିବା ଖଣିଗୁଡିକ ମଧ୍ୟରୁ ୭ଟି ଲୁହାପଥର ଖଣି ରହିଥିବା ଜଣାପଡିଛି । ନିଲାମୀ ପାଇଁ ଉପଲବ୍ଧ ଖଣି ମଧ୍ୟରେ ନଦୀଡିହ(ବିକୋ), ପୁରେହି ବାହାଲ, ଚାନ୍ଦିପୋଶି, ଜୁମକା ପଥିରିପୋଶି ପାହାଡ, ଢୋଲଟାପାହାଡ, ନେତ୍ରାବନ୍ଧ ପାହାଡ(ପଶ୍ଚିମ) ଓ ଗନ୍ଧଲପଡା ପରି ୭ ଲୁହାପଥର ଖଣି ରହିଛି । ଏହା ସହିତ ଦୁଇଟି ଖଣି ନଦୀଡିହ( ଫି ଗ୍ରେଡ୍) ଓ ତେହେରାଇରେ ଲୁହାପଥର ସହିତ ମାଙ୍ଗାନିଜ୍ ଖଣି ରହିଛି । କସିଆ ଖଣିରେ ଲୁହାପଥର ସହିତ ଡୋଲୋମାଇଟ୍ ଉପଲବ୍ଧ ଥିବା ବେଳେ କାର୍ଲାପାଟରେ ବକ୍ସାଇଟ ଖଣି ନିଲାମୀ ପାଇଁ ଉପଲବ୍ଧ ରହିଛି ।

କସିଆ, ନଦୀଡିହ (ବିକୋ), ନଦୀଡିହ(ଫି ଗ୍ରେଡ୍) ଏବଂ ତେହେରାଇ ଖଣି ଆଗରୁ ନିଲାମୀ ହୋଇଥିବା ବେଳେ ବାକି ୭ ଖଣି ପ୍ରଥମ ଥର ନିଲାମୀ ପାଇଁ ଉପଲବ୍ଧ ହୋଇଛି । ଶେଷ ଥର ପାଇଁ ଜାନୁୟାରୀ-ଫେବୃୟାରୀ ୨୦୨୦ରେ ଶେଷ ଥର ପାଇଁ ଖଣି ନିଲାମୀ ହୋଇଥିବା ବେଳେ କରୋନା କାରଣରୁ ଆଉ ନିଲାମୀ ସମ୍ଭବ ହୋଇନାହିଁ । ବିଜ୍ଞପ୍ତି ଅନୁଯାୟୀ ନିଲାମୀ ପାଇଁ ବିଡ୍ ଦାଖଲ କରିବାକୁ ଅଗଷ୍ଟ ୧୯ରୁ ଅଗଷ୍ଟ ୨୪ ଯାଏଁ ତାରିଖ ଧାର୍ଯ୍ୟ କରାଯାଇଛି । ସମ୍ପୂର୍ଣ୍ଣ ନିଲାମୀ ପ୍ରକ୍ରିୟା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ଜଣାପଡିଛି ।

ଏହା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଚୂନ ପଥର ଏବଂ ଗୋଟିଏ ଗ୍ରାଫାଇଟ ଖଣିର ନିଲାମୀ କରାଯିବ । ଏହା ସହିତ ଆସନ୍ତା କିଛି ମାସ ମଧ୍ୟରେ ଅନ୍ୟ ଖଣି ଗୁଡିକ ମଧ୍ୟ ନିଲାମୀ ପାଇଁ ଉନ୍ମୁକ୍ତ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ଖଣିରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୯୧୦୦ କୋଟି ଟଙ୍କା ଆୟ କରିବାରେ ସକ୍ଷମ ହୋଇଛନ୍ତି ।

Get real time updates directly on you device, subscribe now.