ମହିଳାଙ୍କୁ ୯ ଦିନ ଧରି ଗଣଦୁଷ୍କର୍ମ, ନିଶା ଇଞ୍ଜେକ୍ସନ ଦେଉଥିଲେ ଜୋର ଜବରଦସ୍ତ

ଓଡ଼ିଶା ଭାସ୍କର ବ୍ୟୁରୋ: ସେମାନେ ୪ ଜଣ ସାଙ୍ଗ । ଚିନ୍ତାଧାରା ବି ସମାନ । କିନ୍ତୁ ସୈତାନର ମୁଣ୍ଡ ସମସ୍ତଙ୍କର । ଦେହଲୋଭରେ ପାଗଳ ଆଉ ନିଶାରେ ଚୂର୍ । ଏମିତି କାଣ୍ଡ ଭିଆଇଲେ ଯାହାକି ଭାବିଲେ ବି ଛାତି ଥରିଯିବ । ଜଣେ ବିବାହିତ ମହିଳାଙ୍କୁ ନିଜ କବ୍ଚାକୁ ନେବା ପରେ ୯ ଦିନ ଧରି ଗଣଦୁଷ୍କର୍ମ କରିଚାଲିଲେ । ଜୋର ଜବରଦସ୍ତ ଦେଉଥିଲେ ନିଶା ଇଞ୍ଜେକ୍ସନ ଆଉ କଥା ନମାନିଲେ ପ୍ରବଳ ମାଡ଼ ମାରୁଥିଲେ । ହରିୟାଣାର ଗୁରୁଗ୍ରାମ ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଗୁରୁଗ୍ରାମ ଅନ୍ତର୍ଗତ ସୋହନା ସହରର ମୂଳ ନିବାସୀ ୨୨ ବର୍ଷୀୟା ପୀଡ଼ିତା ଅଭିଯୋଗ କରିଛନ୍ତି ପୋଲିସ୍ ନିକଟରେ । ପୀଡ଼ିତା କହିଛନ୍ତି ଯେ ଗତ ଜୁନ୍ ୨୯ରେ ସେ ଘର ନିକଟକୁ ପାଣି ଆଣିବା ପାଇଁ ଯାଇଥିବା ବେଳେ ଜଣେ ପରିଚିତ ଯୁବକ ଚିଣ୍ଟୁଙ୍କ ସହ ଦେଖା ହୋଇଥିଲା । ଚିଣ୍ଟୁ କୌଣସି କାମ ଦେବା ଆଳରେ ତାଙ୍କୁ ଦେଖା କରିବାକୁ ଡାକିଥିଲା । କିନ୍ତୁ ୩୦ ତାରିଖ ଭୋର୍ ୫ଟାରେ ମନ୍ଦିର ନିକଟରେ ସେ ପହଞ୍ଚିବାବେଳକୁ ଏକ ଧଳା କାର୍ରେ ଦୀପକ ଓ ସଞ୍ଜୁ ଆସିଯାଇଥିଲେ । ସମସ୍ତେ ମିଶି ତାଙ୍କୁ ଜୋର ଜବରଦସ୍ତ କାର୍ରେ ଉଠାଇ ନେଇ ଫରିଦାବାଦ ଯିବା ରାସ୍ତାରେ ଦ୍ରୁତ ଗତିରେ ପଳାଇଥିଲେ । ଏପରିକି ସେ ପାଣି ମାଗିବାରୁ ଅଭିଯୁକ୍ତ ଯୁବକ ତାଙ୍କୁ ପାଣିରେ କିଛି ମିଶାଇ ଦେଇଥିଲା । ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଲେ ଏବଂ ଆଖି ଖୋଲିବା ବେଳକୁ ସେ ଏକ ଗୃହରେ ବନ୍ଦୀ ପ୍ରାୟ ରହିଥିଲେ । ଆଉ ସେଠାରେ ଗଡୁଥିଲା କେବଳ ମଦ ବୋତଲ । ରାତିକୁ ଉକ୍ତ ରୁମ୍ ଭିତରକୁ କୁଳଦୀପ ନାମକ ଆଉ ଜଣେ ଯୁବକ ମଧ୍ୟ ଆସିଗଲା । ବାସ୍ ଜଣେ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଚାଲିଲେ । ଏପରିକି କୁଳଦୀପ ତାଙ୍କ ହାତରେ ଜୋର୍ କରି ନିଶା ଇଞ୍ଜେକ୍ସନ୍ ଦେଇଦେଲା । ଏହାପରେ ସେ ପୁନଶ୍ଚ ବେହୋସ୍ ହୋଇଗଲେ । ସଞ୍ଜ ନଇଁଲା ପରେ ପରେ ଚିଣ୍ଟୁ ଓ କୁଳଦୀପ ଆସିଯାଉଥିଲେ । ପୁଣି ତାଙ୍କୁ ୪ ଜଣ ଦୁଷ୍କର୍ମ କରୁଥିଲେ ଓ ଦେଉଥିଲେ ଜୋର ଜବରଦସ୍ତ ନିଶା ଇଞ୍ଜେକ୍ସନ । ଏଭଳି କ୍ରମାଗତ ୯ ଦିନ କାଣ୍ଡ କରିଚାଲିଲେ । ଆଉ ଘଟଣାକୁ ବିରୋଧ କଲେ ପ୍ରବଳ ମାଡ଼ ମାରୁଥିଲେ ଏବଂ ତାଙ୍କର ଅଶ୍ଳୀଳ ଭିଡିଓ କରିନେଇଥିଲେ । ଦେଉଥିଲେ ଧମକ।

ନଅ ଦିନ ଗଣଦୁଷ୍କର୍ମ ପରେ ନିଶା ଇଞ୍ଜେକ୍ସନ ଦେଇ ଅଭିଯୁକ୍ତମାନେ ବଲ୍ଲଭଗଡ଼ ବସଷ୍ଟାଣ୍ଡରେ ତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ । ସେସମୟ ଥିଲା ଜୁଲାଇ ୮ ସକାଳ । ସେଠାରୁ ପୀଡ଼ିତା ନିଜ ଦିଅରଙ୍କୁ କଲ୍ କରିଥିଲେ । ଘରକୁ ଯାଇ ସାମାନ୍ୟ ଆଶ୍ୱସ୍ତି ହେବା ପରେ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ଏସିପି ସନ୍ଦୀପ ମଲିକ କହିଛନ୍ତି ଯେ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଖୁବଶୀଘ୍ର ଧରାପଡ଼ିବେ ସମସ୍ତ ଅଭିଯୁକ୍ତ ବୋଲି ଏସିପି ପ୍ରକାଶ କରିଛନ୍ତି ।