fbpx

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର୍ ସ୍କାନିଂ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର୍ ସ୍କାନିଂ । ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର୍ ସ୍କାନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୩ ଜୁଲାଇ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ସେନ୍ସ ଜିଓ ମେଟ୍ରିକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ଏହି କାର୍ଯ୍ୟ କରାଯିବା ନେଇ ମଙ୍ଗବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମେ ନାଟମଣ୍ଡପର ଲେଜର୍ ସ୍କାନିଂ ଆରମ୍ଭ ହୋଇଥିବା ବେଳେ ପରେ ଜଗମୋହନ ଓ ଭୋଗମଣ୍ଡପର ଲେଜର୍ ସ୍କାନିଂ କରାଯିବ। ଶ୍ରୀମନ୍ଦିରର ବୈଷୟିକ କମିଟି ଓ ସେବାୟତ କମିଟି କମ୍ପାନୀକୁ ସହଯୋଗ କରୁଛନ୍ତି । ଏହି ତିନୋଟି ସ୍ଥାନର ଲେଜର୍ ସ୍କାନିଂ କରାଯିବା ପରେ କମ୍ପାନୀ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ବିସ୍ତୃତ ରିପୋର୍ଟ ଦିଆଯିବ। ସେସବୁ ରିପୋର୍ଟ  ପରିଚାଳନା କମିଟିରେ ସମୀକ୍ଷା କରାଯିବା ପରେ କମିଟିର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ସମୟରେ ଗର୍ଭଗୃହ ଓ ରତ୍ନସିଂହାସନର ଲେଜର୍ ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ ଆଜିଠାରୁ ଶ୍ରୀମନ୍ଦିରର ଚାରିଟି ଦୁଆରର ରୂପା ଛାଉଣି କାମ ଆରମ୍ଭ ହୋଇଛି । ପ୍ରଥମେ ବେହରଣ ଦୁଆରକୁ ରୂପା ଛାଉଣୀ କରାଯିବ । ସେଥିପାଇଁ ଆଜି ବେହରଣ ଦୁଆରରେ ଲାଗିଥିବା ପୁରୁଣା କବାଟ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଛି । ପରେ କଳାହାଟ, ଜୟବିଜୟ ଓ ପଶ୍ଚିମ ଭୋଗମଣ୍ଡପ ଦୁଆର କାର୍ଯ୍ୟ ଆରମ୍ଭ ହେବବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏଥିପାଇଁ ପୂର୍ବରୁ ପ୍ରାୟ ୧.୨ ଟନ୍ ର ରୂପା ଆସିଥିବା ବେଳେ ତିନୋଟି ଦୁଆର ପାଇଁ ୬ଟି ଷ୍ଟିଲ୍ ଫ୍ରେମ୍ ଓ ରୂପା ଶ୍ରୀମନ୍ଦିରକୁ ନିଆଯାଇଛି ।

Get real time updates directly on you device, subscribe now.