fbpx

ତୃତୀୟ ତରଙ୍ଗ: ୱାଟର୍ ପ୍ରୁଫ୍ ମାସ୍କ ଓ ଭର୍ଚୁଆଲ୍ ବାହାଘର

ମାଡ଼ି ଆସୁଛି ମହାମାରୀ କରୋନାର ଆଉ ଏକ ତରଙ୍ଗ । ପ୍ରଥମ ତରଙ୍ଗର ଦୁଃଖ ଯାଇନଥିବାବେଳେ ଦାଉ ସାଧିଲା ଦ୍ୱିତୀୟ ତରଙ୍ଗ । ସାରା ଦେଶକୁ କଲବଲ କରିଦେଲା । ଭୁଶୁଡ଼ିଗଲା ଲୋକଙ୍କ ଜୀବନ ଜୀବିକା ଆଉ ଚାରିଆଡ଼େ ଦୁର୍ଦ୍ଦଶାର ଚିତ୍ର ହିଁ ଦେଖିବାକୁ ମିଳୁଛି । କୋଉଠି ଭୋକର ବିକଳ ଦୃଶ୍ୟ ତ କେଉଁଠି ମୃତ୍ୟୁର କରୁଣ ଆର୍ତ୍ତନାଦ । ଏଳଭି ବିଭୀଷିକା ଆଉ ସଂକଟମୟ ସ୍ଥିତିକୁ ସାମ୍ନା କରିବା ଭିତରେ ସଂକ୍ରମଣ କିଛିଟା କମିଛି । ଆଉ ସରକାର ଲଗାଇଥିବା କଟକଣା ଧୀରେ ଧୀରେ କୋହଳ କରୁଛନ୍ତି । କିନ୍ତୁ ସେ ଭିତରେ ସମ୍ପୂର୍ଣ୍ଣ ଟଳିନି କରୋନା ଭୟ । ଦ୍ୱିତୀୟ ତରଙ୍ଗ ସହ ଯୁଦ୍ଧ ସରିନି । ଏହାରି ମଧ୍ୟରେ ଦୁର୍ଭାଗ୍ୟକୁ ତୃତୀୟ ତରଙ୍ଗର ଆରମ୍ଭ ପର୍ଯ୍ୟାୟରେ ଆମେ ରହିଛୁ ବୋଲି ବିଶେଷଜ୍ଞ କହିସାରିଲେଣି ।

ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ସତର୍କ କରାଇ ଦିଆଯାଇଛି । ତୃତୀୟ ତରଙ୍ଗ ନିଶ୍ଚିତ ଆସିବ ଏବଂ ତାହା ପାଖେଇ ଆସୁଛି ବୋଲି କୁହାଯିବା ସହ ଆଇଏମଏ ପକ୍ଷରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଏହା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ସମ୍ବୋଧିତ କରି ତୃତୀୟ ଲହରକୁ ଆମେ ସମସ୍ତେ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କହି ସାରିଛନ୍ତି । ବିଗତ ଦେଢ଼ବର୍ଷର ଅଭିଜ୍ଞତାରୁ ଯାହା ଶିଖିଛେ ତାହା ପ୍ରୟୋଗ କରି ତୃତୀୟ ତରଙ୍ଗକୁ ମୁକାବିଲା କରିବା ପାଇଁ ମୋଦିଜୀ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଅନୁରୂପ ଚିନ୍ତା ବ୍ୟକ୍ତ କରିଛନ୍ତି । କରୋନା ତୃତୀୟ ତରଙ୍ଗକୁ ଲୋକେ ଗମ୍ଭୀରତାର ସହ ନେଉନାହାନ୍ତି । ଖୋଲାଖୋଲି ଭାବେ ସାମାଜିକ ମିଳାମିଶା କରିବା ସହ ମାସ୍କ ପିନ୍ଧୁନାହାନ୍ତି, କଟକଣା ଉଲ୍ଲଂଘନ କରୁଛନ୍ତି । ତେଣୁ ତୃତୀୟ ତରଙ୍ଗ ଘାତକ ସାବ୍ୟସ୍ତ ହେବାର ଆଶଙ୍କା ସୃଷ୍ଟି ହେଉଥିବା କୁହାଯାଇଛି । ହୁ’ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ ସମ୍ପ୍ରତି ଭୂତାଣୁ ବିକଶିତ ହେବାରେ ଲାଗିଛି ଏବଂ ବିଶ୍ୱ ତୃତୀୟ ତରଙ୍ଗର ପ୍ରାଥମିକ ପର୍ଯ୍ୟାୟ ଦେଇ ଗତି କରୁଛି । କରୋନାର ଡେଲଟା ଭାରିଆଣ୍ଟର ତୀବ୍ର ବୃଦ୍ଧି ମଧ୍ୟରେ କରୋନା ତୃତୀୟ ତରଙ୍ଗ ପ୍ରତି ସତର୍କ ରହିବାକୁ ହୁ’ ମୁଖ୍ୟ ସତର୍କ କରାଇଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି କରୋନା ସହ ଲଢ଼େଇ ପାଇଁ ପ୍ରମୁଖ ଅସ୍ତ୍ର କଣ? ପ୍ରଥମରୁ କୁହାଯାଉଛି ଯେ- ମାସ୍କ ପିନ୍ଧ, ହାତକୁ ବାରମ୍ବାର ଧୁଅ ଆଉ ସାମାଜିକ ଦୂରତା ବଜାୟ ରଖ । ଲୋକଙ୍କୁ ଏହି ପରାମର୍ଶ ସମ୍ପ୍ରତି ଦେହସୁହା ହୋଇଗଲାଣି । ଲୋକେ ସ୍ୱତଃ ଏସବୁ ପାଳନ ମଧ୍ୟ କରୁଛନ୍ତି । ଆଉ କିଛି ଅମାନିଆ ଏହାକୁ ଅବଜ୍ଞା କରୁଛନ୍ତି । ବିଶେଷକରି ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ଏକ ପ୍ରକାର ବାଧ୍ୟ କରାଯାଉଛି କହିଲେ ଅତ୍ୟୁକ୍ତି ହେବନି । ଏପରିକି ଡବଲ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ସେହିପରି ମାସ୍କ ପିନ୍ଧିନଥିଲେ ପୋଲିସ୍ ଫାଇନ୍ କାଟିନେବା କଥା ଆମେ ସମସ୍ତେ ଜାଣୁ । ତେବେ ଆରମ୍ଭ କାଳରୁ ଆଜି ପର୍ଯ୍ୟନ୍ତ ସାଧାରଣରେ ଗୋଟିଏ ଦ୍ୱନ୍ଦ୍ୱ ରହିଆସିଛି ଯେ କେଉଁ ମାସ୍କ କରୋନା ଭୂତାଣୁକୁ ଅଟକାଇବ? କେଉଁଠି ମିଳିବ ଉପଯୁକ୍ତ ମାସ୍କ? ସାଧାରଣ ଜନତା କେମିତି ପିନ୍ଧିବେ ମାସ୍କ? ତାହା କେଉଁଥିରେ ତିଆରି? ଏସବୁ ପ୍ରଶ୍ନ ଭିତରେ ରାସ୍ତାକଡ଼ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ନାନା ରକମର ମାସ୍କ ବିକ୍ରି ଚାଲିଛି । ଲୋକେ ବାଧ୍ୟ ହୋଇ ସେଥିରୁ ଗୋଟିଏ କିଣି ପିନ୍ଧି ଦେଲେ ଆଉ ଡର ନାହିଁ ବୋଲି ଭାବିନେଉଛନ୍ତି । ସରକାର ମଧ୍ୟ ଏଦିଗରେ ଚୁପ୍ । ତେବେ ଏଠୁ ସେଠୁ ମିଳୁଥିବା ବିଭିନ୍ନ ମାଟେରିଆଲ୍ରେ ପ୍ରସ୍ତୁତ ମାସ୍କ ଗୁଡ଼ିକ ବାସ୍ତବରେ କରୋନା ଭୂତାଣୁକୁ ଅଟକାଇ ପାରୁଛି ତ? ଶ୍ୱାସ ପ୍ରକ୍ରିୟାରେ ସମସ୍ୟା ହେଉନି କି? ନୂଆ ରୋଗ ସୃଷ୍ଟି କରିବାର ଆଶଙ୍କା ନାହିଁ କି? ନାକ ରୁନ୍ଧି ହୋଇଯାଉଛି, କାନ କାଟୁଛି… ମୁହଁରେ ଚିହ୍ନ ହୋଇଯାଉଛି, ଏଭଳି ଅନେକ ପ୍ରକାର କଥା ଯେକେହି ସାଧାରଣରେ ଶୁଣିଥିବେ । କିନ୍ତୁ ଅଦ୍ୟାବଧି ଏକ ଉକ୍ରୃଷ୍ଟ ମାନର ବା ଷ୍ଟାଣ୍ଡାର୍ଡାଇଜ୍ ମାସ୍କ ପାଇଲେନି ସାଧାରଣ ଜନତା । ଏପରିକି କରୋନା କାଳର ପ୍ରଥମ ପର୍ଯ୍ୟାୟରେ ଏନ୍-୯୫ ମାସ୍କକୁ ଖୁବ୍ ଗୁରୁତ୍ୱ ଦିଆଯାଉଥିଲା ଏବଂ ଏହା ସର୍ବୋକ୍ରୃଷ୍ଟ ବୋଲି ହୁ’ ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ପରେ ପରେ ତାହା ସେମିତି କରୋନା ଭୂତାଣୁଠାରୁ ସୁରକ୍ଷା ଦେଉନଥିବା ବିଶେଷଜ୍ଞ ମହଲ ହିଁ ସ୍ପଷ୍ଟ କରିଥିଲେ । ତେବେ ଆଜି ପର୍ଯ୍ୟନ୍ତ ଅନେକ ଲୋକ ସେହି ଏନ୍-୯୫ ମାସ୍କ ପିନ୍ଧୁଥିବା ଦେଖାଯାଉଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟଯେ, ମାସ୍କ ପିନ୍ଧିବାକୁ ନେଇ ଏକ ବଡ଼ ସମସ୍ୟା ରହିଛି । ଯେଉଁ ବିଷୟରେ କେହି ଚିନ୍ତା ହିଁ କରୁନାହାନ୍ତି । ଆପଣ ଯେଉଁ ପ୍ରକାର ମାସ୍କ ପିନ୍ଧି ଘରୁ ବାହରନ୍ତୁ ନା କାହିଁକି, ଯଦି ରାସ୍ତାରେ ବର୍ଷା ହେଲା ତେବେ କଥା ସରିଲା । ଦେହ-ପୋଷାକ ଢାଙ୍କି ହୋଇଯିବ ରେନ୍ କୋଟ୍ ଦ୍ୱାରା, କିନ୍ତୁ ମୁହଁ ଖୋଲା ରହିବ ଓ ମାସ୍କ ଓଦା ହବା ଥୟ । ସେଇ ଓଦା ମାସ୍କ ପିନ୍ଧି ଜଣେ ରହିବା ଉଚିତ୍ କି? ନାକ ପାଖରେ ଓଦା ସାମଗ୍ରୀ ଦୀର୍ଘ ସମୟ ରହିଲେ କଣ ହେବ? ଏଭଳି ସ୍ଥିତିରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଜଣେ ପୁଣି ମାସ୍କ କେଉଁଠୁ ଆଣିବ? ଏସବୁ ପ୍ରଶ୍ନ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେବୁର ଉତ୍ତର ସେତିକି ଆବଶ୍ୟକ । କିନ୍ତୁ ସାଧାରଣ ଭାବେ କେଉଁ ମାସ୍କ ପିନ୍ଧିବା ଉଚିତ୍ ତାହା ବିଧିବଦ୍ଧ ଭାବେ ସରକାର ସ୍ଥିର କରିନଥିବାବେଳେ ମାସ୍କ ଓଦା ନହେବା ପାଇଁ ‘ୱାଟର୍ ପ୍ରୁଫ୍ ମାସ୍କ’ କଥା ବିଚାର କରିବେ ତ? ଏନେଇ ବିଶେଷଜ୍ଞମାନେ ଗଭୀର ଅନୁଧ୍ୟାନ କରିବାର ସମୟ ଆସିଛି । କାରଣ ଆମେ ସମ୍ଭାବ୍ୟ ତୃତୀୟ ତରଙ୍ଗର ପ୍ରାଥମିକ ପର୍ଯ୍ୟାୟରେ ପହଞ୍ଚି ସାରିଲୁଣି ।

ଭର୍ଚୁଆଲ ବାହାଘର

ମାସ୍କ ସହିତ କରୋନା ପ୍ରକୋପରୁ ନିଜକୁ ବଞ୍ଚାଇବା ପାଇଁ ସାମାଜିକ ଦୂରତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଗହଳି ହିଁ କରୋନା ମହାମାରୀକୁ ବ୍ୟାପିବାରେ ବେଶ ସହାୟକ ହୁଏ ବୋଲି ବିଶେଷଜ୍ଞ କହି ସାରିଛନ୍ତି । ତେଣୁ ଲୋକଙ୍କୁ ବାରମ୍ବାର ସାମାଜିକ ଦୂରତା ବଜାୟ ରଖିବାକୁ ଅପିଲ୍ କରାଯାଉଛି । ସମ୍ପ୍ରତି ଦେଶର ଯେଉଁ ଅଞ୍ଚଳରେ କରୋନାର ଅଧିକ ପ୍ରଭାବ ରହିଛି ସେଠାରେ ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଉଛି । ଦେଶରେ ପ୍ରଶାସନିକ ବୈଠକଠୁ ନେଇ ରାଜକୈତିକ କାର୍ଯ୍ୟକ୍ରମ, ମନ୍ତ୍ରଣାଳୟ ବୈଠକ, କାର୍ଯ୍ୟ ସମୀକ୍ଷା ଆଦି ସବୁ ଭର୍ଚୁଆଲ ମାଧ୍ୟମରେ ଆୟୋଜନ ହେଉଛି । ହେଲେ ବିବାହ ଏବଂ ଶୁଦ୍ଧକ୍ରିୟା ପାଇଁ ସୀମିତ ଲୋକଙ୍କୁ ଅନୁମତି ଦିଆଯାଉଛି । କେତେବେଳେ ୧୦୦ ଜଣ ତ ଆଉ କେତେବେଳେ ୫୦ ଏବଂ ଆଉ କେତେବେଳେ ୨୫ ଜଣଙ୍କୁ ଉପରୋକ୍ତ ଦୁଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ଦିଆଯାଇଛି । ସୀମିତ ଲୋକଙ୍କୁ ନେଇ ପରିବାର ଲୋକେ ବିବାହ ଉତ୍ସବ ଆୟୋଜନ କରୁଛନ୍ତି । ନା ବରଯାତ୍ରୀ ଯାଉଛନ୍ତି ନା ବଜା ରୋଶଣି ହେଉଛି । ରିସେପସନ ମଧ୍ୟ ପୂର୍ବପରି ହୋଇ ପାରୁନି । ଶ୍ରାଦ୍ଧକାର୍ଯ୍ୟର ମଧ୍ୟ ସମାନ ଅବସ୍ଥା । ଚାହିଁ କି ବି ନିଜ ଲୋକ ସାମିଲ ହୋଇପାରୁ ନାହାନ୍ତି । ଭିଡିଓ କଲ୍ ମାଧ୍ୟମରେ ପରିଜନଙ୍କୁ ନିଜ ମନକୁ ବୁଝାଇବାକୁ ପଡୁଛି । ଜଣା ନାହିଁ ଏମିତି ଧାରା ଆଉ କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ । ବିଶେଷଜ୍ଞ ମଧ୍ୟ କହି ପାରୁ ନାହାନ୍ତି ଯେ, ଦୁନିଆରୁ କରୋନା ମହାମାରୀର କେବେ ଅନ୍ତ ଘଟିବ । ଏବେ ଦ୍ୱାରଦେଶରେ ତୃତୀୟ ମହାମାରୀ । ଯଦି ସ୍ଥିତି ଆହୁରି ସଙ୍ଗୀନ ହୁଏ ତେବେ ସୀମିତ ଲୋକଙ୍କୁ ଆୟୋଜନ ହେଉଥିବା ବିବାହ ଓ ଶ୍ରାଦ୍ଧ ମଧ୍ୟ କରିବା ମୁସ୍କିଲ ହୋଇଯିବ । ଏମିତି ସଙ୍କଟ ସ୍ଥିତିରେ ଭର୍ଚୁଆଲ ବିବାହର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଦେଶରେ ଏମିତି ଭର୍ଚୁଆଲ ବାହାଘରର ମଧ୍ୟ ନଜିର ରହିଛି । ଗୋଟିଏ ସ୍ଥାନରେ କନ୍ୟା-ବର ଥିବେ ଏବଂ ବ୍ରାହ୍ମଣ ଅନ୍ୟତ୍ର ଥାଇ ଭର୍ଚୁଆଲ ମାଧ୍ୟମରେ ବିବାହ କରାଇବେ ।

ମୋଟାମୋଟି କହିଲେ ଭୂତାଣୁର ଭୟରେ ଭର୍ଚୁଆଲ୍ ମୋଡ୍ରେ ଜୀବନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଳନ କରାଯିବା ଧାରା ଟେକ୍ନୋଲୋଜିର ବରଦାନ ହୋଇପାରେ, କିନ୍ତୁ ସେହି ଟେକ୍ନୋଲୋଜି ହିଁ ମାନବୀୟ ମୂଲ୍ୟବୋଧ ତଥା ମଣିଷର ସାମାଜିକ ସମ୍ପର୍କକୁ ପ୍ରତିହତ କରିଦେଉଛି । ସମ୍ପ୍ରତି ସେଭଳି ପରିସ୍ଥିତିକୁ କରୋନା ଆହୁରି ସଙ୍ଗୀନ କରିଦେଇଛି ।
—–

Get real time updates directly on you device, subscribe now.