fbpx

ରାଜ୍ୟ କ୍ୟାବିନେଟ୍‌ରେ ୧୫ ପ୍ରସ୍ତାବକୁ ମୋହର : ଜମି ବିକ୍ରି ଚୁକ୍ତିପତ୍ର ପାଇଁ କମିଲା ଷ୍ଟାମ୍ପ ଡ୍ୟୁଟି

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱରଠାରେ ଥିବା ସିଇଟି କଲେଜ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବ ।

ଏକକ ବିଶ୍ୱବିଦ୍ୟାଳୟ ସହ ସିଇଟିର ନାମ ପରିବର୍ତ୍ତନ ହୋଇ ଓଡିଶା ଟେକ୍ନୋଲୋଜି ଓ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ (ଓୟୁଟିଆର) ହେବ । ଏହାଦ୍ୱାରା ସ୍ନାତକ, ସ୍ନାତକୋତ୍ତର ଶିକ୍ଷା ଓ ପିଏଚ୍‌ଡି କ୍ଷେତ୍ରରେ ନୂତନ ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେବ । ଏହି ବିଶ୍ବବିଦ୍ୟାଳୟ ଇଞ୍ଜିନିୟରିଂ, ସାଇନ୍ସ ଏମଂ ଟେକ୍ନୋଲୋଜି କ୍ଷେତ୍ରରେ ତଥା ଅନୁସନ୍ଧାନ, ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଏହାର ପ୍ରୟୋଗ, ତାଲିମ ଅନୁସନ୍ଧାନ ବିସ୍ତାର କରିବାରେ ସହାୟକ ହେବ । ଏହା ଶୈକ୍ଷିକ, ଅନୁସନ୍ଧାନ ସମ୍ପ୍ରଦାୟ ଏବଂ ଶିଳ୍ପମାନଙ୍କ ମଧ୍ୟରେ ସହଯୋଗ ଓ ପାରସ୍ପରିକ ସମ୍ପର୍କ ବୃଦ୍ଧି ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ସମ୍ମୁହ ସହିତ ଏମଓୟୁ ଚୁକ୍ତି କରିବାର ସୁଯୋଗ ସୃଷ୍ଟି ଦିଗରେ ସହାୟକ ହେବ ।

ଆନ୍ତରାଜ୍ୟ ସଂଯୋଗୀକରଣକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ୍‌ ସୁନ୍ଦରଗଡ଼ ଜିଲ୍ଲାର ୨୩ କି.ମି. ଦୈର୍ଘ୍ୟ ଦୁଇ ଥାକିଆ ଡୁଡ଼ୁକା-ଗୋପାଳପୁର ଟୋପାରିଆ ରାସ୍ତାକୁ ପ୍ରଶସ୍ତ କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରେ ୧୦୨.୬୫ କୋଟି ଟଙ୍କା ବ୍ୟୟ ହେବ ଏବଂ ଏହା ବସୁନ୍ଧରା କୋଇଲା ଖଣିକୁ ଯାନବାହନ ଚାଳାଚଳରେ ସହାୟକ ହେବ । ଆରକେଡି କନଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ନିର୍ମାଣ କାର୍ଯ୍ୟ କରିବ । ରାସ୍ତାର ପ୍ରଶସ୍ତୀକରଣ ଦ୍ୱାରା ଛତିଶଗଡର ରାଇଗଡ ଓ ସୁନ୍ଦରଗଡ ଟାଉନ୍‌ ମଧ୍ୟରେ ଆନ୍ତରାଜ୍ୟ ଯୋଗାଯୋଗର ଉନ୍ନତି ସହ ବସୁନ୍ଧରା ଖଣି ସହିତ ଯୋଗାଯୋଗ ସ୍ଥାପନ ହୋଇପାରିବ ।

ସେହିପରି ଗ୍ରାମାଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ଗୁରୁତ୍ୱ ଦେଇ ରାଜ୍ୟ କ୍ୟାବିନେଟ୍‌ କଟକ ଜିଲ୍ଲା ପାଇଁ ବୃହତ୍‌ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଅନୁମୋଦନ କରିଛି । ଏହାଦ୍ୱାରା ୨.୫୦ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ ଏବଂ ଏଥିାଇଁ ୨୭୫.୩୯ କୋଟିରୁ ଅଧିକ ଅର୍ଥ ବ୍ୟୟ କରାଯିବ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ୨୪ ମାସର ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୧୦ଟି ବ୍ଲକ୍‌ ର ୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଓମ୍ବାଡସି ଯୋଜନାରେ ସୁନ୍ଦରଗଡ ଜିଲ୍ଲାର ୪ଟି ବ୍ଲକ୍‌ ଅଧୀନରେ ଥିବା ୨୯୫ଟି ଗ୍ରାମର ୨,୫୯,୬୧୭ ଜନସାଧାରଣଙ୍କୁ ନିରାପଦ ପାନୀୟଜଳ ଯୋଗାଇ ଦିଆଯିବ । ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରକଳ୍ପ ପାଇଁ ୩୮୮ କୋଟି ୮୧ ଲକ୍ଷ ୮୭ ହଜାର ୩୮୦ ଟଙ୍କା ଅନୁମୋଦନ କରିଛି । ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ।

ସେହିପରି ଜିଲ୍ଲାର ଆଉ ୬ଟି ବ୍ଲକ୍‌ର ୪୨୧ଟି ଗ୍ରାମର ୩,୭୮,୭୯୦ ଜଣ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ବୃହତ ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋନ କରିଛି । ଏଥିାଇଁ ୭୮୬ କୋଟି ୬୬ ଲକ୍ଷ ୫୫ ହଜାର ୩୮୦ ଟଙ୍କା ଖର୍ଚ୍ଚ ହେବ । ଭୂସମ୍ପତି ଓ ଗୃହ ବିକ୍ରୟ ପାଇଁ କ୍ଷମତା ପତ୍ର ଓ ଗୃହ ନିର୍ମାଣ ତଥା ବାସପୋଯୋଗୀ କରିବାକୁ ଚୁକ୍ତି ପତ୍ର ପାଇଁ ଷ୍ଟାମ୍ପ ଦେୟ ହ୍ରାସ କରାଯାଇଛି । ପୂର୍ବରୁ ୫% ଷ୍ଟାମ୍ପ ଡ୍ୟୁଟି ଆଦାୟ ହେଉଥିବା ବେଳେ ବର୍ତ୍ତମାନ ୨% ଷ୍ଟାମ୍ପ ଡ୍ୟୁଟି ଅଦାୟ ହେବ । ଏହାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ରାଜସ୍ୱ ବୃଦ୍ଧି ପାଇଁ ପୁରୁଣା ଦଲିଲ୍‌ର ନକଲ ପାଇବାକୁ ଷ୍ଟାମ୍ପ ଦେୟ ୧୦ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ସମାନ ପକ୍ଷ ମଧ୍ୟରେ ଏବଂ ଏକା ସମ୍ପତ୍ତି ଉପରେ କ୍ଷମତାପତ୍ର ଓ ଚୁକ୍ତିତ୍ର ଦଲିଲ୍‌ କଲେ, ଦ୍ୱିତୀୟ ଦଲିଲରେ ଷ୍ଟାମ୍ପ ଦେୟ ହଜାରେ ଟଙ୍କା ଦେବାକୁ ହେବ । ସମ୍ପତ୍ତି ବିକ୍ରି ପାଇଁ ଚୁକ୍ତି କ୍ଷେତ୍ରରେ ପୂର୍ବରୁ ଦିଆଯାଇଥିବା ଷ୍ଟାମ୍ପ ଦେୟ ଚୁକ୍ତିନାମା ଅନୁସାରେ ସେହି ବ୍ୟକ୍ତି ବିକ୍ରୟ କବଲା ସମୟରେ ଦଲିଲରେ ଦେବାକୁ ଥିବା ଷ୍ଟାମ୍ପ ଦେୟ ସହ ଆଡଜଷ୍ଟ କରାଯିବ । ଏହାଦ୍ୱାରା ଜନସାଧାରଣ ନିର୍ମାଣାରୀ ସଂସ୍ଥାଠାରୁ ଅପେକ୍ଷାକୃତ କମ୍‌ ମଲ୍ୟରେ ଜମି ଓ ବାସଗୃହ କିଣିାରିବେ । ଭୂସମ୍ପତ୍ତି ବିକ୍ରି ପାଇଁ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ଷମତାପତ୍ର ଦଲିଲ୍‌ରେ ବୋହୁ, ନାତି, ନାତୁଣୀ, ଜେଜେ ବାପା ଓ ଜେଜେମାଙ୍କ ମଧ୍ୟ ଅର୍ନ୍ତଭୁକ୍ତ କରାଯାଇଛି ।

ଏହା ବ୍ୟତୀତ ଓଡ଼ିଶା ଷ୍ଟେଟ୍‌ ୱାଇଡ୍‌ ଏରିଆ ନେଟୱର୍କ (ଓସ୍‌ୱାନ୍‌) ଅପଗ୍ରେଡେସନ୍‌ ପାଇଁ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ବଢ଼ାଇବ । ଅବଢା ଯୋଜନାରେ ପୁରୀ ସହରର ବିକାଶ ପାଇଁ ସଂରକ୍ଷିତ ଖଣିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥ (ଖଣ୍ଡାଲାଇଟ୍‌) ନିମନ୍ତେ ରୟାଲଟି ଛାଡ୍‌ କରିବାକୁ କ୍ୟାବିନେଟ୍‌ କମିଟି ନିଷ୍ପତ୍ତି ନେଇଛି ।

ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୨୦୧୯ ଡିସେମ୍ବରରେ ୬ଟି ଖଣ୍ଡାଲାଇଟ୍‌ ଖଣିଜ ବ୍ଲକ୍‌କୁ ଓଡିଶା ଖଣି ନିଗମ ନିମନ୍ତେ ସଂରକ୍ଷଣ କରିଥିଲେ । ସେଥିରୁ ଖୋର୍ଦ୍ଧାର ନରଣଗଡଠାରେ ଥିବା ବ୍ଲକ୍‌କୁ ଓଡିଶା ଖଣି ନିଗମକୁ ଖଣି କାର୍ଯ୍ୟ ପାଇଁ ଲିଜ୍‌ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଓଡିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାବଳୀ, ୧୯୯୨ର ସଂଶୋଧନ, ଓଡିଶା ମୁଖ୍ୟ ବିଭାଗୀୟ ଦପ୍ତର (ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ ପ୍ରତିଷ୍ଠାନ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) କମନ୍‌ କ୍ୟାଡର ନିୟମାବଳୀ ୨୦୧୯ର ସଂଶୋଧନ , ଓଡିଶା ଅଧସ୍ତନ ପରିସଂଖ୍ୟାନ ଓ ଅର୍ଥନୀତି ସେବା ନିୟମ୧୯୯୪ର ସଂଶୋଧନ, ଓଡିଶା ସରକାରୀ ଲ୍ୟାଣ୍ଡ ସେଟଲମେଣ୍ଟ ନିୟମ ୧୯୬୨ ସଂଶୋଧନ, ଓଡିଶା କାରଗାର ଫାର୍ମାସିଷ୍ଟ ସେବା (ନିଯୁକ୍ତି ପଦ୍ଧତି ଓ ସେବାସର୍ତ୍ତ ନିୟମାବଳୀ) ୨୦୨୧ ର ପ୍ରଣୟନକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି ।

ଓଡିଶା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ)ନିୟମାବଳୀ ୨୦୨୧କୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ଏହି ନୂତନ ନିୟମାବଳୀରେ ଗ୍ରାମ ରୋଜଗାର ସେବକମାନଙ୍କ ନିମନ୍ତେ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭାଗ ନେବା ପାଇଁ ବୟସକୁ କୋହଳ କରାଯାଇଛି । ଏହା ବ୍ୟତୀତ ଗ୍ରାମ ରୋଜଗାର ସେବକମାନଙ୍କୁ ପ୍ରତ୍ୟେକ ଏକ ବର୍ଷର ନିରବଚ୍ଛିନ୍ନ ଚାକିରି କରିବା କ୍ଷେତ୍ରରେ ଏକ ପ୍ରତିଶତ ହିସାବରେ ସର୍ବାଧିକ ୧୫ଧ ପର୍ଯ୍ୟନ୍ତ ନମ୍ବର ଦିଆଯାଇ ସେମାନଙ୍କର ଯୋଗ୍ୟ ତାଲିକା ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପ୍ରସ୍ତୁତ ହେବ ।

 

 

Get real time updates directly on you device, subscribe now.