fbpx

ପଞ୍ଜାବ ଫାଇଟ୍: କ୍ରିକେଟରଙ୍କ ପାୱାର ଧମାକା, ପଛରେ ପଡ଼ିଲେ କ୍ୟାପଟେନ୍, ସିଦ୍ଧୁଙ୍କ ବାସଭବନରେ ଏକାଠି ହେଲେ ୬୨ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ପଞ୍ଜାବ ରାଜନୀତି ସମାପ୍ତ ହେବାର ନାଁ ଧରୁନାହିଁ । ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରଦାନ ପରେ କ୍ୟାପଟେନ-କ୍ରିକେଟର ଫାଇଟ୍ ସମାପ୍ତ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ବେଳକୁ ବେଳ ନୂଆ ନୂଆ ଘଟଣା ଘଟିବାକୁ ଯାଉଛି । ୨୦୨୨ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦଳୀୟ କନ୍ଦଳ କଂଗ୍ରେସ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି ।

ତେବେ ସଦ୍ୟ ରିପୋର୍ଟ ମୁତାବକ, ସିଦ୍ଧୁଙ୍କ ବାସଭବନରେ ୬୨ ଜଣ କଂଗ୍ରେସ ବିଧାୟକ ଏକଜୁଟ୍ ହୋଇଛନ୍ତି । ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରେ ନିଯୁକ୍ତି ହେବା ପରେ ସିଦ୍ଧୁ ନିଜର ଶକ୍ତି ପ୍ରଦର୍ଶନ ପାଇଁ ସମସ୍ତ ବିଧାୟକଙ୍କୁ ନେଇ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ନିଜର ସ୍ଥିତିକୁ ସୁଦୃଢ଼ କରୁଛନ୍ତି । ରାଜ୍ୟ କଂଗ୍ରେସର ମୋଟ ବିଧାୟକଙ୍କ ସଂଖ୍ୟା ୮୦ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇତୃତୀୟାଂଶରୁ ଅଧିକ ବିଧାୟକ ସିଦ୍ଧୁଙ୍କ ସହ ଯୋଗ ଦେଇଥିବାରୁ ଏହାକୁ ଗୁରୁତ୍ୱର ସହ ବିଚାର କରାଯାଉଛି । ପୂର୍ବରୁ ସିଦ୍ଧୁ ଅମୃତସରରେ ପହଞ୍ଚିବା ପରେ ତାଙ୍କୁ ବିଶାଳ ଜନସମାଗମ ମଧ୍ୟରେ ସ୍ୱାଗତ କରାଯାଇଥିଲା ।

ଅନ୍ୟପଟେ, ଅମରିନ୍ଦର ସିଦ୍ଧୁଙ୍କୁ ବଧାଇ ଜଣାଇ ନଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସିଦ୍ଧୁ ସାର୍ବଜନୀନ ଭାବେ ଯେ ପର୍ଯ୍ୟନ୍ତ କ୍ଷମାପ୍ରାର୍ଥନା କରିନାହାନ୍ତି, ସେ ପର୍ଯ୍ୟନ୍ତ ସେ ତାଙ୍କୁ ସାକ୍ଷାତ କରିବେ ନାହିଁ ବୋଲି କ୍ୟାପଟେନ ରୋକଠୋକ୍ ଜଣାଇ ଦେଇଛନ୍ତି । କିଛିଦିନ ପୂର୍ବରୁ ସିଦ୍ଧୁ ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ଟ୍ୱିଟ କରିଥିବାରୁ ତାହାକୁ ନେଇ କ୍ୟାପଟେନ ଖପ୍ପା ହୋଇଥିଲେ । କ୍ୟାପଟେନଙ୍କୁ ନିର୍ବାଚନରେ ଚେହେରା ଓ ସିଦ୍ଧୁଙ୍କ ପ୍ରଦେଶ ଦାୟିତ୍ୱ ଦିଆଯିବା ପରେ ବିବାଦ ସୁଧୁରି ଯିବ ବୋଲି ହାଇକମାଣ୍ଡ ଆଶା କରିଥିଲେ । ମାତ୍ର ଦୁହିଁଙ୍କୁ ଏକତ୍ର କୌଣସି ସ୍ଥାନରେ ଦେଖିବାକୁ ମିଳୁନଥିବାରୁ ଦିନକୁ ଦିନ ନୂଆ ବିବାଦର ସୂତ୍ରପାତ ହେଉଥିବା କୁହାଯାଉଛି ।

Get real time updates directly on you device, subscribe now.