fbpx

ଭୁବନେଶ୍ୱର ଷ୍ଟେସନ୍ ପୁନଃ ବିକାଶ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ଷ୍ଟେସନ୍ ନିରୀକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି । ଷ୍ଟେସନର ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ସହିତ ଅନ୍ୟାନ୍ୟ ସୁବିଧା ଉପରେ ନୀରିକ୍ଷଣ କରିଥିଲେ ।

ଭୁବନେଶ୍ୱର ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଷ୍ଟେସନରେ ବିକଶିତ କରାଯିବ । ବିମାନବନ୍ଦର ଭଳି ଯାତ୍ରୀ ସୁବିଧା ଓ ଅନ୍ୟାନ୍ୟ ସୁବିଧା ଏହି ଷ୍ଟେସନରେ ରହିବ । ଷ୍ଟେସନକୁ ଏକ ବ୍ୟବସାୟିକ ହବ୍ ରେ ସୌନ୍ଦର୍ଯ୍ୟକରଣ କରାଯାଇ ସୁନ୍ଦର ଆଲୋକ ବ୍ୟବସ୍ଥା, ଉନ୍ନତ ସଙ୍କେତ ଏବଂ ୱେଟିଂ ହଲ୍ ସହିତ ଯାତ୍ରୀଙ୍କ ସୁବିଧା ଗୁଡିକ ବିକଶିତ କରାଯିବ । ଭ୍ରମଣକାରୀ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ । ଏହା ବ୍ୟତୀତ ଷ୍ଟେସନ ବାହାରେ ଥିବା ଖାଲି ସ୍ଥାନକୁ ମଧ୍ୟ ବିକଶିତ କରାଯିବ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ । ପ୍ଲାଟଫର୍ମ-୬ ପାର୍ଶ୍ୱରେ ଅଧିକ ପାର୍କିଂ ସ୍ଥାନ ଯୋଗାଇ ଦିଆଯିବ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହାପ୍ରବନ୍ଧକ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ପୂର୍ବତଟ ରେଳପଥ ମଧ୍ୟରେ ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶ ପାଇଁ ଏମଓୟୁ ସେପ୍ଟେମ୍ବର, ୨୦୧୯ ରେ ସ୍ୱାକ୍ଷରିତ ହୋଇଛି । ଷ୍ଟେସନରେ ସପିଂ କମ୍ପ୍ଲେକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ । ଦୁଇଟି ଅତିରିକ୍ତ ଲାଇନ ନିର୍ମାଣ ହେବ । ଏହା ଏକ ଆଧୁନିକ ବ୍ୟବସାୟ କେନ୍ଦ୍ର ଭାବରେ ନିର୍ମାଣ ହେବ । ଏହା ପୂର୍ବ ଭାରତର ସର୍ବୋତ୍ତମ ଷ୍ଟେସନ ମଧ୍ୟରୁ ଗୋଟିଏ ହେବ । ଏଥି ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା ଚାଲିଛି । ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ଯୋଜନା ପ୍ରସ୍ତୁତ କରାଯାଇଛି । ବିସ୍ତୃତ ପ୍ରକଳ୍ପ ଆକଳନ ଚୂଡ଼ାନ୍ତ କରିବା ପରେ ଟେଣ୍ଡର ଜାରି କରାଯିବ । ଛଅ ମାସ ମଧ୍ୟରେ ଯୋଜନା ଅନୁଯାୟୀ କାର୍ଯ୍ୟ କରାଯିବ । ଏହି ପ୍ରସ୍ତାବିତ ପୁନଃ ବିକାଶ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମଧ୍ୟ ଜନସାଧାରଣଙ୍କ ପରାମର୍ଶ ପାଇଁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.