fbpx

ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ସୋମବାରଠାରୁ କୋଭିଡ୍‌ କଟକଣା ମଧ୍ୟରେ ଖୋଲିବ ସ୍କୁଲ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବ । ଏହା ପୂର୍ବରୁ ସ୍କୁଲଗୁଡିକରେ ସାନିଟାଇଜେସନ୍‌ କରାଯାଇଛି । ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ପ୍ରସ୍ତୁତି ସରିଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେ କହିଛନ୍ତି ଯେ ନୋଡାଲ ଅଫିସର ଜିଲ୍ଲା ଗସ୍ତରେ ଅଛନ୍ତି । ଅଭିଭାବକମାନଙ୍କ ଅନୁମତି ମାଗିଛନ୍ତି ପ୍ରଧାନ ଶିକ୍ଷକ । ଯେଉଁ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ସଙ୍କୋଚ କରୁଛନ୍ତି ସେମାନଙ୍କ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା ଅଛି । ଆବଶ୍ୟକ ସ୍ଥଳେ ସ୍କୁଲଗୁଡ଼ିକୁ ସେକ୍ସନରେ ବିଭକ୍ତ କରାଯିବ । ଏସ୍‌ଓପି ଅନୁସାରେ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିବାକୁ ଅପ୍ରାଣ ଚେଷ୍ଟା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।

ସ୍କୁଲ୍‌ ଖୋଲିବା ସହ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସ୍‌ସି/ଏସ୍‌ଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ। ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି କରାଯାଇଥଲା । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍‌ ଓ ଶୌଚାଳୟ ବିଶୋଧନ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସ୍‌ଓପିରେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା, ହଷ୍ଟେଲ ପରିସରରେ ଗହଳି ଏଡାଇବାକୁ କୁହାଯାଇଛି । ଗତ ୧୭ ତାରିଖରେ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ ଯେ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଛି ସେହି ସ୍କୁଲ୍‌ ପରୀକ୍ଷା ପରେ ଖୋଲାଯିବ । ତେବେ ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ରହିବ । ଏଥିସହ ସମସ୍ତଶ୍ରେଣୀର ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିବ । ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଖୋଲିବ । ସ୍କୁଲ୍‌ରେ ଖେଳଛୁଟି ହେବନି । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନ ଗୁଡ଼ିକରେ ସ୍କୁଲ ବନ୍ଦ ରହିବ । ପିଲାମାନେ ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲ ଆସି ପାରିବେ । ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.