ହାଇଦର୍ ଏନକାଉଣ୍ଟର୍, ପୁଲିସ୍ କମିସନର୍ ଏବଂ ସଂଯୋଗ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଏନକାଉଣ୍ଟରକୁ ନେଇ ଅନେକ କଥା ସାଧାରଣରେ ଆଲୋଚନା ହେଉଛି । ତେବେ ପୋଲିସ କହିବା ଅନୁସାରେ ତାକୁ ବାରିପଦା ନିଆଯାଉଥିବାବେଳେ ଜଣେ ଇନ୍ସପେକ୍ଟର୍ ଏବଂ ଜଣେ ଏସଆଇଙ୍କ ସମେତ ଏକ ସେକ୍ସନ ପୋଲିସ୍ ଫୋର୍ସ ରହିଥିଲେ । ହେଲେ ସମିଳୁଆ ନିକଟରେ ହାଇଦର୍ ପରିସ୍ରା ଯିବ କହି ଖସିଯିବାକୁ ବସିଥିଲା । ଏପରିକି ପୋଲିସଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା । ତାକୁ ବାରମ୍ବାର ୱାର୍ଣ୍ଣିଂ ଦେବା ପରେ ମଧ୍ୟ ସେ ନଶୁଣିବାରୁ ପୋଲିସ୍ ବାଧ୍ୟ ହୋଇ ଗୁଳି ଚଳାଇଥିଲା । ୫ ରାଉଣ୍ଡ୍ ଗୁଳି ଚଳାଇବା ପରେ ହାଇଦର୍ ପେଟରେ ବାଜିଥିଲା ଗୁଳି । ତାକୁ ବାଲେଶ୍ୱର ମେଡିକାଲକୁ ନିଆଯାଇଥିବାବେଳେ ସେ ପ୍ରାଣ ହରାଇଥିଲା । କିନ୍ତୁ ଏଠାରେ ଏକ ପୁରୁଣା ଏନକାଉଣ୍ଟର୍ ପ୍ରସଙ୍ଗକୁ ମଧ୍ୟ ଲୋକେ ମନେପକାଉଛନ୍ତି । ଯାହା ଏକ ପ୍ରକାର ସଂଯୋଗ ବୋଲି କୁହାଯାଉଛି ।

ସୂଚନା ଅନୁସାରେ ବର୍ତ୍ତମାନର ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ୨୦୦୫ ବେଳକୁ ଥିଲେ କଟକ ଜିଲ୍ଲାର ଏସପି । ସେ ସମୟରେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ସଂଗ୍ରାମ ଓରଫ ଦୀପୁ ସାହୁକୁ ଏନକାଉଣ୍ଟର ହୋଇଥିଲା । ସେଥିରେ ତାର ପ୍ରାଣ ଯାଇଥିଲା । ଶ୍ରୀ ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ତତ୍କାଳୀନ ପୁରୀଘାଟ ଥାନା ଏସଆଇ ଦେବଦତ୍ତ କର ଏବଂ ଅନ୍ୟ ପୋଲିସ କର୍ମୀ ଦୀପୁର ଶଗଡ଼ିଆ ସାହି ଘରେ ଚଢ଼ଉ କରିଥିଲେ । ଛାତ ଉପରେ ଥାଇ ଦୀପୁ ଓ ଅନ୍ୟ ସହଯୋଗୀ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲେ । ଗୁଳି ମାଡ଼ରେ ପୋଲିସ ଟିମ୍ ଅଳ୍ପକେ ବର୍ତ୍ତିଯାଇଥିଲା । ଆଉ ପୋଲିସର ପାଲଟା ଗୁଳି ମାଡ଼ରେ ଦୀପୁର ମୃତ୍ୟୁ ହୋଇଥିଲା । ପ୍ରାୟ ୩ ରାଉଣ୍ଡ ଗୁଳି ଦୀପୁର ଛାତିରେ ବାଜିଥିଲା । କୁହାଯାଏ ଦୀପୁ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରିକୁ ସେତେବେଳେ ନିଜ ନିୟନ୍ତ୍ରଣରେ ରଖିଥିଲା । ଏହି ଏନକାଉଣ୍ଟରର ଠିକ୍ ୧୬ ବର୍ଷ ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ ପୋଲିସ କମିସନର । ସଂଯୋଗବଶଃତ ତାଙ୍କ ସମୟରେ ହିଁ ହାଇଦରକୁ ଏନକାଉଣ୍ଟର କରାଯାଇଛି ଓ ପୋଲିସ ଗୁଳି ଖାଇ ହାଇଦରର ମୃତ୍ୟୁ ହୋଇଛି ।