fbpx

ପିପିଲି ଉପନିର୍ବାଚନ: ଖୁବଶୀଘ୍ର ଦିନ ଧାର୍ଯ୍ୟ କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ତେବେ ଭାରତୀୟ ନିର୍ବାଚନ ଆୟୋଗ ଏନେଇ ତାରିଖ ଧାର୍ଯ୍ୟ କରିନଥିବା ବେଳେ ଖୁବଶୀଘ୍ର ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଉପନିର୍ବାଚନ ତାରିଖ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି । ଓଡ଼ିଶା, ପଶ୍ଚିବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମେଘାଳୟ, ହରିୟାଣା, ହିମାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶର କରୋନା ସ୍ଥିତିକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ତର୍ଜମା କରିବେ । ତେବେ ଜନପ୍ରତିନିଧି ଆଇନ ଅନୁସାରେ ବିଧାନସଭାର କାର୍ଯ୍ୟକାଳ ବର୍ଷେରୁ କମ୍ ରହିବା ସ୍ଥିତିରେ ଉପନିର୍ବାଚନ କରାଯାଇ ପାରିବ ନାହିଁ । ତେଣୁ ସମସ୍ତ ଆଇନଗତ ଦିଗକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଜୋରଦାର ଭାବେ ପ୍ରଚାର କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ହେବା ସହ ଭୋଟ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରଥମେ ମେ ୧୩ ଓ ପରେ ମେ ୧୬ ତାରିଖକୁ ଉପନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା । ପିପିଲି ଉପନିର୍ବାଚନରେ ବିଜେଡିରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରମୁଖ ପ୍ରାର୍ଥୀ ଭାବେ ଲଢ଼ୁଥିଲେ । ତେବେ ପରବର୍ତ୍ତୀ ସମୟରେ କରୋନାକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନ ସ୍ଥଗିତ ନେଇ କେନ୍ଦ୍ର ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେ ୧୬ରେ ପିପିଲି ଉପନିର୍ବାଚନ ହେବାର ଥିବା ବେଳେ ସ୍ଥିତି ସୁଧୁରିବା ପରେ ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.