fbpx

ଚକଦେ ଇଣ୍ଡିଆ: ୩ ମୁକାବିଲା ହାରିବା ପରେ ଇତିହାସ ରଚିଲେ ମହିଳା ହକି ଦଳ, ଜାଣନ୍ତୁ ଅଲିମ୍ପିକରେ କେମିତି ଓଲଟିଲା ବାଜି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଇତିହାସ ରଚିଲେ ଭାରତୀୟ ମହିଳା ହକି ଦଳ। ପୁରୁଷ ହକି ଦଳ ପରେ ସେମିରେ ପ୍ରବେଶ କଲେ ମହିଳା ଦଳ। କ୍ଵାର୍ଟର ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଏହି ଐତିହାସିକ ସଫଳତା ହାସଲ କରିଛି। ଭାରତ ପକ୍ଷରୁ ଏକ ମାତ୍ର ଗୋଲ୍ ଗୁରଜିତ କୌର ଖେଳର ୨୨ତମ ମିନିଟରେ ଦେଇଥିଲେ। ଏଥିସହ ଅଲିମ୍ପିକ ଇତିହାସରେ ପ୍ରଥମ ଥର ଭାରତୀୟ ମହିଳା ହକି ଦଳ ସେମି ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏବେ ସେମି ଫାଇନାଲରେ ଭାରତର ମୁକାବିଲା ଆର୍ଜେଣ୍ଟିନା ସହ ହେବ।

ଭାରତୀୟ ଦଳ ପାଇଁ ଆଜି ଐତିହାସିକ ଓ ସ୍ମରଣୀୟ ଦିନ। କାରଣ ଭାରତୀୟ ମହିଳା ହକି ଦଳର ଟୋକିଓ ଅଲିମ୍ପିକରେ ଅଭିଯାନ ବହୁତ ନିରାଶଜନକ ଥିଲା। ଦଳକୁ ତିନୋଟି ମ୍ୟାଚରେ  କ୍ରମାଗତ ପରାଜୟର ସାମ୍ନା କରିବାକୁ ପଡିଥିଲା। ମାତ୍ର ରାଣୀ ରାମପାଲଙ୍କ ନେତୃତ୍ଵାଧୀନ ଦଳ ହାର ମାନି ନଥିଲେ ଏବଂ ଦମଦାର ପ୍ରତ୍ୟାବର୍ତ୍ତନ କରି ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଆଜି ସେମି ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି।

ଭାରତୀୟ ମହିଳା ହକି ଦଳର ସେମି ଫାଇନାଲ ଯାତ୍ରା

ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୪-୩ରେ ପରାଜିତ ହୋଇଥିଲା। ଏହା ପରେ ଆୟରଲାଣ୍ଡକୁ ୨-୦ରେ ହରାଇବା ପରେ କ୍ଵାର୍ଟର ଫାଇନାଲରେ ପହଞ୍ଚିଥିଲା। ସେମି ଫାଇନାଲ ଯିବା ପାଇଁ କ୍ଵାର୍ଟର ଫାଇନାଲରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ଥିଲା। ଏହି ମୁକାବିଲାରେ ଭାରତୀୟ ମହିଳା ଦଳ କଙ୍ଗାରୁକୁ ୧-୦ରେ ମାତ୍ ଦେଇ ସେମି ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛି।

ପ୍ରଥମ ତିନୋଟି ମୁକାବିଲା ହାରିଥିଲା ଭାରତ

ମହିଳା ହକି ଦଳ ଟୋକିଓ ଅଲିମ୍ପିକରେ ଆରମ୍ଭ ବହୁତ ଦୟନୀୟ ଥିଲା। ଦଳ ପ୍ରଥମ ମୁକାବିଲାରେ ନେଦରଲାଣ୍ଡଠୁ ଏକତରଫା ଭାବେ ୫-୧ରେ ପରାଜିତ ହୋଇଥିଲା। ଏହା ପରେ ଦ୍ଵିତୀୟ ମ୍ୟାଚରେ ଦଳ  ଜର୍ମାନୀଠୁ ୨-୦ରେ ପରାସ୍ତ ହୋଇଥିଲା। ପୁଣି ବ୍ରିଟେନଠୁ ଭାରତୀୟ ମହିଳା ହକି ଦଳ ୪-୧ରେ ମାତ୍ ଖାଇଥିଲା।

ଲଗାତାର ଜିତିଲେ ୩ ମ୍ୟାଚ୍

ଲଗାତାର ତିନି ମ୍ୟାଚ୍ ହାରିବା ପରେ ଦଳ ସେମି ଫାଇନାଲରେ ପହଞ୍ଚିବ କେହି ଆଶା କରିନଥିଲେ କି ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ। ଦଳ ତଥାପି ଦଳ ସାହାସ କି ଧୈର୍ଯ୍ୟ ହରାଇନଥିଲେ। ଭାରତୀୟ ମହିଳା ଦମଦାର ପ୍ରତ୍ୟାବର୍ତ୍ତନ କରି କ୍ରମଗାତ ତିନୋଟି ମ୍ୟାଚ୍ ଜିତିଥିଲେ। ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୪-୩, ଆୟରଲାଣ୍ଡକୁ ୨-୦ ଏବଂ ଅଷ୍ଟ୍ରେଲିଆକୁ ୧-୦ରେ  ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ଅଗଷ୍ଟ ୪ରେ ଆର୍ଜେଣ୍ଟିନା ସହ ମୁକାବିଲା

ସେମି ଫାଇନାଲରେ ଭାରତୀୟ ମହିଳା ହକି ଦଳର ମୁକାବିଲା ଆର୍ଜେଣ୍ଟିନା ସହ ହେବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଅଗଷ୍ଟ ୪ରେ ଖେଳାଯିବ। ଆର୍ଜେଣ୍ଟିନା ଦଳ ଜର୍ମାନୀକୁ କ୍ଵାର୍ଟର ଫାଇନାଲରେ ୩-୦ରେ ହରାଇ ସେମିରେ ପ୍ରବେଶ କରିଛି।

Get real time updates directly on you device, subscribe now.