fbpx

ପଶ୍ଚିମ ଆଫ୍ରିକାରୁ ମିଳିଲା ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା, ସତର୍କ କଲା ଡବ୍ଲୁଏଚଓ

ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ମାରାତ୍ମକ ଭାଇରସ୍ । ଗୁଇନିଆରେ ମାରବର୍ଗ ଭାଇରସ୍ ବ୍ୟାପୁଥିବା ନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ । ପଶ୍ଚିମ ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ଏହା ପ୍ରଥମ ମାମଲା ବୋଲି ଡବ୍ଲୁଏଚଓ କହିଛି । ଏହା ଏକ ମାରାତ୍ମକ ଭାଇରସ୍, ଯାହାକି ଇବୋଲା ସହ ଜଡ଼ିତ ଓ କରୋନା ଭଳି ପଶୁମାନଙ୍କଠାରୁ ଏହା ମଣିଷ ଶରୀରକୁ ଆସିଥାଏ ।

ଡବ୍ଲୁଏଚଓ କହିଛି ଯେ, ଏହି ଭାଇରସ୍ ବାଦୁଡିଠାରୁ ବ୍ୟାପିଥାଏ ଓ ଏଥିରେ ମୃତ୍ୟୁହାର ୮୮ % ରହିଛି । ୨ ଅଗଷ୍ଟରେ ଦକ୍ଷିଣ ଗୁଏକେଡୌ ଅଞ୍ଚଳରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନମୁନାରେ ଏହି ଭାଇରସ୍ ମିଳିଛି । ପୋଷ୍ଟ ମର୍ଟମ ରିପୋର୍ଟରେ ଏହି ବ୍ୟକ୍ତିଙ୍କଠାରେ ଇବୋଲା ମିଳିନଥିଲା କିନ୍ତୁ ମାରବର୍ଗ ଭାଇରସ୍ ମିଳିଥିଲା ।

ଆଫ୍ରିକାର ଡବ୍ଲୁଏଚଓ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୋଏତି କହିଛନ୍ତି ଯେ, ‘ମାରବର୍ଗ ଭାରଇରସକୁ ଦୂର ଦୂରାନ୍ତ ପର୍ଯ୍ୟନ୍ତ ବିସ୍ତାରକୁ ରୋକିବା ପାଇଁ ଆମକୁ ଏହାର ଟ୍ରାକକୁ ବନ୍ଦ କରିବାକୁ ଆବଶ୍ୟକ ।’ ତେବେ ଗୁଇନିଆରେ ମାରବର୍ଗ ଭାଇରସ୍ ସେତେବେଳେ ଚିହ୍ନଟ ହେଲା, ଯେବେ ଡବ୍ଲୁଏଚଓ ଦ୍ୱାରା ଦୁଇ ମାସ ପୂର୍ବେ ଇବୋଲା ଭାଇରସର ଶେଷ ହେବାର ଘୋଷଣା ହୋଇଥିଲା । ଗତ ବର୍ଷ ସେଠାରେ ଇବୋଲା ବ୍ୟାପିଥିଲା, ଯେଉଁଥିରେ ୧୨ ଜଣ ଲୋକ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.