fbpx

ଆଜିଠୁ ଦ୍ୱିତୀୟ ଟେଷ୍ଟ: ବ୍ୟାଟିଂରେ ତ୍ରୁଟିକୁ ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବ ଭାରତୀୟ ଟିମ୍‌ , ବିଜୟ ଲକ୍ଷ୍ୟରେ ମୁକାବିଲା କରିବ ଘରୋଇ ଟିମ୍

ଲଣ୍ଡନ,(ଭାସ୍କର ନ୍ୟୁୁଜ୍): ଆଜିଠୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ  ଦ୍ୱିତୀୟ ଟେଷ୍ଟ । ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ । ଭାରତ ବ୍ୟାଟିଂ ତ୍ରୁଟିକୁ ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଇଂଲଣ୍ଡ ଦଳ ୨୦୧୮ ପ୍ରଦର୍ଶନକୁ ଦୋହରାଇବାକୁ ଯୋଜନା କରୁଛି । ୨୦୧୮ରେ ଭାରତ ଏଠାରେ ଇନିଂସ ଓ ୧୫୯ ରନ୍‌ରେ ପରାଜିତ ହୋଇଥିଲା । ଆଣ୍ଡରସନ୍‌ଙ୍କ ଘାତକ ସୁଇଂ ବୋଲିଂର ମୁକାବିଲା କରିବାରେ ଭାରତୀୟ ଦଳ ବିଫଳ ହୋଇଥିଲା । ଏଥର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଭାରତ ପ୍ରୟାସ କରିବ ।

ନଟିଂହାମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇଂନିସରେ ୨୭୮ ରନ କରି ୯୫ ରନରେ ଅଗ୍ରଣୀ ହେବା ଫଳରେ ବିପଦ ମୁକ୍ତ ହୋଇଥିଲା । ତେବେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ କୋହଲି ,ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଚରମ ବିଫଳତା ଚିନ୍ତାର କାରଣ ପାଲଟି ଥିଲା । କେବଳ ଓପନର କେଏଲ ରାହୁଲଙ୍କ ୮୪ ଓ ରବିନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ଅର୍ଦ୍ଧ ଶତକ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇ ପାରିଥିଲା । ତେଣୁ ଦ୍ୱିତୀୟ ଟେଷ୍ଟରେ ଆଗ ଧାଡିର ବ୍ୟାଟ୍ସମ୍ୟାନ ସଫଳ ହେବା ଏକାନ୍ତ ଜରୁରି । ନଚେତ ଇଂଲଣ୍ଡ ବୋଲର ମାନେ ଭାରତ ଉପରେ ଚାପ ସୃଷ୍ଟି କରିବା ସୁଯୋଗ ହାସଲ କରିବା ନିଶ୍ଚିତ । ପ୍ରଥମ ଟେଷ୍ଟ ପ୍ରଥମ ଇଂନିସରେ କୋହଲି ଖାତା ଖୋଲି ପାରି ନ ଥିବା ବେଳେ ପୂଜାରା ୫ ଓ ରାହାଣେ ୪ ରନ କରି ଆଉଟ ହୋଇଥିଲେ । ତେଣୁ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଧିକ ଚାପ ପଡିଥିଲା ।

ସେହି ଦୃଷ୍ଟିରୁ ଗୁରୁବାର ଠାରୁ ଲର୍ଡ୍ସ ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ବ୍ୟାଟିଂ ଅଧିକ ଦୃଢ଼ ହେବା ଉଚିତ । ଅବଶ୍ୟ ଇଂଲଣ୍ଡର ପ୍ରଥମ ଇଂନିସ ବ୍ୟାଟିଂ ମଧ୍ୟ ଚିନ୍ତାର କାରଣ ଥିଲା । କାରଣ ଭାରତୀୟ ପେସ୍‌ ବୋଲରଙ୍କୁ ସଠିକ ମୁକାବିଲା କରି ନ ପାରି ଇଂଲଣ୍ଡ ୧୮୩ ରନରେ ଅଲ ଆଉଟ ହୋଇ ଯାଇଥିବା ବେଳେ ଦ୍ୱିତୀୟ ଇଂନିସରେ ଅନୁରୂ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ମାତ୍ର ଅଧିନାୟକ ଜୋ ରୁଟଙ୍କ ଲଢ଼ୁଆ ଶତକ ବଳରେ ଇଂଲଣ୍ଡ ୩୦୩ ରନ କରିବା ପାଇଁ ସମର୍ଥ ହୋଇଥିଲା । ଭାରତୀୟ ଦଳ ପାଇଁ ଅନ୍ୟଏକ ସମସ୍ୟା ହେଲା ଯେ ପେସ୍‌ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ପାଇଁ ମାଂସପେଶୀ ସମସ୍ୟା ଦେଖା ଦେଇଥିବା ବେଳେ ସେ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କାରେ ଅଛନ୍ତି । ସେହିପରି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଖେଳିବା ସମ୍ଭାବନା ରହିଛି । ମାତ୍ର ରବିନ୍ଦ୍ର ଜାଡେଜା ଖେଳିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି । ପ୍ରଥମ ଟେଷ୍ଟ ପରି କୋହଲି ୪ ପେସ୍‌ ବୋଲର ଓ ଜଣେ ସ୍ପିନରଙ୍କୁ ନେଇ ଖେଳିବା ଯୋଜନାରେ ଥିବା ବେଳେ ଚୂଡାନ୍ତ ଦଳ ଚୟନ ନେଇ କୌଣସି ନିଷ୍ନତ୍ତି ହୋଇ ପାରିନି ।

ମିଳିଥିବା ସୂଚନା ଅନୁଯାୟୀ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବ କିମ୍ଭା ଇଶାନ୍ତ ଶର୍ମାଙ୍କ ମଧ୍ୟରୁ କେହି ଜଣେ ଖେଳି ପାରନ୍ତ । ଅନ୍ୟ ପକ୍ଷରେ ଇଂଲଣ୍ଡ ଦଳରେ ସ୍ପିନର ତଥା ଅଲ ରାଉଣ୍ଡର ମୋଇନ ଅଲିଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି । କାରଣ ତାଙ୍କୁ ଇଂଲଣ୍ଡ ଦଳ ସହିତ ଅଭ୍ୟାସ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବାରୁ ସେ ଖେଳିବେ ବୋଲି ଆଭାସ ମିଳିଛି । ସେହିରି ଓପନର ରୋରି ବର୍ଣ୍ଣସଙ୍କ ସ୍ଥାନରେ ହସିବ ହମିଦ ଖେଳିବେ ବୋଲି ଜଣା ପଡିଛି । ତେବେ ଭାରତ ପରି ଇଂଲଣ୍ଡର ଚୂଡାନ୍ତ ଗଠନ ନେଇ ମଧ୍ୟ ବିଚାର ବିମର୍ଷ ଚାଲିଛି ।

Get real time updates directly on you device, subscribe now.