fbpx

ଆଜି ବିଶ୍ୱ ହସ୍ତୀ ଦିବସ: ଅସୁରକ୍ଷିତ ଗଜ ସାମ୍ରାଜ୍ୟ, ହାତୀ ମଡ଼କ ପାଲଟିଛି ଚିନ୍ତାର କାରଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ବର୍ତ୍ତମାନ ସମୟରେ ଗଙ୍ଗଲ କ୍ଷୟ ହେଉଥିବା କାରଣରୁ ବନ୍ୟପ୍ରାଣୀ ମାନେ ବାସସ୍ଥାନ ହରାଇ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ଯଦ୍ୱାରା ଜଙ୍ଗଲ ପାଖ ଗାଁ ଏବଂ ସହରାଞ୍ଚଳ ମାନଙ୍କରେ ବନ୍ୟପ୍ରାଣୀ ମାନେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ହେଲେ ଏହା ପଛର ମୁଖ୍ୟ କାରଣ ହେଉଛି ଜଙ୍ଗଲରୁ ଗଛ କାଟିବା ବା ଜଙ୍ଗଲ ହ୍ରାସ । ବିଶେଷ କରି ହାତୀ କଥା ଯଦି କହିବା ତେବେ ନିକଟ ଅତୀତରେ ହାତୀ ମାନେ ଜଙ୍ଗଲ କ୍ଷୟ ଯୋଗୁଁ ବିପଦସଙ୍କଚଳ ଅବସ୍ଥାରେ ଏଣେତେଣେ ବୁଲୁଛନ୍ତି । ଯାହା ଫଳରେ ଲୋକେ ହଇରାଣ ହେଉଛନ୍ତି ଏବଂ ହାତୀ ମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜିକା ସମୟରେ ହାତୀ ମଡ଼କ ଏକ ବଡ଼ ଓ ବିଷମ ସମସ୍ୟା ଭାବେ ଠିଆ ହୋଇଛି । ତେଣୁ ଏନେଇ ଲୋକ ମାନଙ୍କ ମନରେ ସଚେତନତା ଜାଗ୍ରତ କରିବା ପାଇଁ ଆଜିର ଦିନକୁ ତମାମ ବିଭିନ୍ନ ଦେଶ ବନ୍ୟପ୍ରାଣୀ ସଂଗଠନ ଓ ବ୍ୟକ୍ତିଗତ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ଭାବରେ ପାଳନ କରାଯାଉଛି ।

ଓଡ଼ିଶାକୁ ଏକଦା ହାତୀ ମାନଙ୍କ ପେଣ୍ଠସ୍ଥଳୀ କୁହାଯାଉଥିଲା । କିନ୍ତୁ ଏବେ କିଛି କିଛି ଦିନର ବ୍ୟବଧାନରେ କ୍ରମାଗତ ଭାବରେ ହାତୀ ମାନଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ରେଳ ଦୁର୍ଘଟଣା, ବିଦ୍ୟୁତ ଆଘାତ, ଶିକାର ସମେତ ଦ୍ରୁତ ସହରୀକରଣ ଯୋଗୁଁ ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ସେମାନଙ୍କ ବାସସ୍ଥାନ ତଥା ପାରମ୍ପରିକ ଯାତାୟାତ ପଥ ଉପରେ ଏସବୁର ଘୋର ପ୍ରଭାବ ପଡ଼ିଛି । ପରିମାଣ ସ୍ବରୂପ ଗତ ୧୧ ବର୍ଷ ୪ ମାସରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦ୍ୟୁତ୍ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ୱାରା ମୃତ୍ୟୁମୁଖରେ ପଡ଼ିଛନ୍ତି। ଗତ ୨୦ ଦିନ ମଧ୍ୟରେ ରାଜ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଆହୁରି ଚିନ୍ତା ବଢ଼ାଇ ଦେଇଛି।

ଏହି ପରିପ୍ରେକ୍ଷୀରେ ୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ ମଧ୍ୟ ୪ ଦଶନ୍ଧି ପରେ ବି ସଂଖ୍ୟା ବଢ଼ିପାରିନି। ୨୦୧୭ ଗଣନା ବେଳେ ରାଜ୍ୟର ୨୬ଟି ଜିଲ୍ଲାରେ ହାତୀଙ୍କ ଉପସ୍ଥିତି ଥିବା ବେଳେ ୧୯୭୬ଟି ହାତୀ ଚିହ୍ନଟ ହୋଇଥିଲେ। ୨୦୧୭ରେ ଚିହ୍ନଟ ହୋଇଥିବା ୧୯୭୬ ହାତୀଙ୍କ ମଧ୍ୟରେ ମାତ୍ର ୩୪୪ଟି ଦନ୍ତା ହାତୀ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ଟି ହାତୀଙ୍କ ବୟସ ୨୦ ବର୍ଷରୁ ଅଧିକ ରହିଥିଲା। ସେମାନଙ୍କର ପ୍ରଜନନ କ୍ଷମତା ଅଧିକ ରହିଛି। ତେବେ ପ୍ରତିବର୍ଷ ଶିକାର ଓ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨୦ଟି ଦନ୍ତା ହାତୀଙ୍କର ମୃତ୍ୟୁ ହେଉଛି। ଅନ୍ୟପଟେ ଦନ୍ତା ହାତୀ ମାନଙ୍କ ଦାନ୍ତର ମୁଲ୍ୟ ଅନ୍ତର୍ଜାତୀୟ ବଜାରରେ ଖୁବ୍ ଅଧିକ ଥିବାରୁ ଶିକାରୀ ମାନେ ହାତୀ ମାନଙ୍କ ହତ୍ୟା କରୁଥିବା ଦେଖିବାକୁ ମିଳିଛି । ଗତ ୯ ବର୍ଷ ମଧ୍ୟରେ ୪୪ରୁ ଅଧିକ ହାତୀଦାନ୍ତ ଜବତ ହୋଇଛି। କେବଳ ୨୦୨୧ରେ ଏପର୍ୟ୍ୟନ୍ତ ୧୦ଟି ହାତୀଦାନ୍ତ ଜବତ ହୋଇଛି।

ତେବେ ହାତୀ ମାନଙ୍କ ସୁରକ୍ଷା ପ୍ରତି ବନ୍ୟପ୍ରାଣୀ ବିଶେଷଜ୍ଞ ମାନେ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ । ଓଲଟି ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି । ତେଣୁ ହାତୀ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ମନେ କରାଯାଉଛି ।

 

Get real time updates directly on you device, subscribe now.