fbpx

୧୪ ବର୍ଷରେ ଝିଅ ଆଣିଲା ଅଲିମ୍ପିକ୍ ସ୍ୱର୍ଣ୍ଣ, ଗାଁରେ ହେଲା ଏମିତି ଅବସ୍ଥା

ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ ମାତ୍ର ୧୪ ବର୍ଷ । ଏ ବୟସରେ ଝିଅଟିଏ ଟୋକିଓରୁ ଜିଣିଲେ ସ୍ୱର୍ଣ୍ଣ ପଦକ । ଚୀନର ଏହି ଡାଇଭିଂ ଷ୍ଟାର୍ କ୍ୱାନ୍ ହଙ୍ଗଚାନ୍ ସମ୍ପ୍ରତି ସାରା ବିଶ୍ୱ ପାଇଁ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଖାଲି ଏତିକି ନୁହେଁ, କ୍ୱାନଙ୍କ ନିଜ ସହର ସମେତ ଗାଁ ପାଲଟି ଯାଇଛି ଜନସମୁଦ୍ର । ଯେଉଁଠିକି ପ୍ରତିଦିନ ୨୦୦୦ରୁ ଅଧିକ ଲୋକ ଶୁଭେଚ୍ଛା ଜଣାଇବା ପାଇଁ ଆସୁଥିବାବେଳେ ସାଧାରଣରେ ଏକ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଛି ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ କ୍ୱାନଙ୍କ ବାପା ୱେନମାଓ ହେଉଛନ୍ତି ଜଣେ କମଳା ଚାଷୀ । ସେ ନିଜ ଝିଅଙ୍କ ପାଇଁ ଗାଁରେ ହେଉଥିବା ଅସମ୍ଭବ ଭିଡ଼କୁ ଦେଖି ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ଯେ ଦୂରରୁ ରହି ଶୁଭେଚ୍ଛା ଜଣାଅ । ଏଥିପାଇଁ ତାଙ୍କ ଗାଁକୁ ନଆସିବାକୁ ସେ ବିନମ୍ର ନିବେଦନ କରିଛନ୍ତି । ଖାଲି ଏତିକି ନୁହେଁ, କ୍ୱାନଙ୍କୁ ମାଗଣାରେ ଜମି ଓ ଭାରତୀୟ ମୁଦ୍ରାରେ ପ୍ରାୟ ୨୩ ଲକ୍ଷ ଟଙ୍କା ଅଫର୍ ମିଳିବା ପରେ କ୍ୱାନ୍ ଓ ୱେନମାଓ କହିଛନ୍ତି ଯେ ତାଙ୍କୁ କେବଳ ସମ୍ମାନ ଦରକାର । ଲୋକେ ତାହା ଗାଁକୁ ନଆସି ମଧ୍ୟ ଦେଇପାରିବେ ।

ଭିଡ଼କୁ ଦୃଷ୍ଟିରେ ରଖି ଗାଁ ମୁଖିଆ ସମ୍ପୃକ୍ତ ଅଞ୍ଚଳକୁ ଏକ ପ୍ରକାର ସିଲ୍ କରିଦେଇଥିବା ମଧ୍ୟ ସ୍ଥାନୀୟ ରିପୋର୍ଟରୁ ଜଣାପଡ଼ିଛି । କମ୍ ବୟସରେ ଡାଇଭିଂ ଷ୍ଟାର୍ କ୍ୱାନ୍ ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ୍ ଜିତିବା ପରେ ବିଶ୍ୱବ୍ୟାପି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ିଯାଇଛି । ଫଳରେ ଚୀନର ଗୁଆଙ୍ଗଡୋଙ୍ଗ୍ରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି । କ୍ୱାନଙ୍କୁ ଶୁଭେଚ୍ଛା ଜଣାଇବା ଓ କ୍ୱାନଙ୍କ ସହ ସେଲ୍ଫି ନେବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ଖାଲି ଏତିକି ନୁହେଁ, ଅନଲାଇନ୍ ଲାଇଭି ଷ୍ଟ୍ରିମିଂରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି । ଏ ସମସ୍ତ କାରଣରୁ ସମ୍ପୃକ୍ତ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ବଢ଼ିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଲାଗି ରହୁଛି । ତେଣୁ ଲୋକଙ୍କୁ ନିବେଦନ କରିବା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଭିଡ଼ ଫଳରେ କ୍ୱାନଙ୍କ ଗାଁର ବୟସ୍କ ଲୋକେ ରାତିରେ ଭଲରେ ଶୋଇ ପାରୁନାହାନ୍ତି । ଚୀନର ସୋସିଆଲ୍ ମିଡିଆ ଓ ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ଏ ସମ୍ପର୍କିତ ଅନେକ ରିପୋର୍ଟ ପ୍ରକାଶ ପାଉଛି ।

Get real time updates directly on you device, subscribe now.