୨ କିମି ପର୍ଯ୍ୟନ୍ତ କାଦୁଅ ଭର୍ତ୍ତି, ଆମ୍ବୁଲାନ୍ସ ନଯାଇପାରିବାରୁ ରାସ୍ତା ଉପରେ ଶିଶୁକୁ ଜନ୍ମ ଦେଲେ ମହିଳା

ଭୋପାଳ: ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶ ଖୁସି ମନାଉଛି । ହେଲେ ଦେଶର ଆଜି ଯାଏ କିଛି ଏପରି ସ୍ଥାନ ରହିଛି ଯେଉଁଠାରେ ଆଜିବି ସ୍ୱାସ୍ଥ୍ୟ ବ୍ୟବସ୍ଥା ସଠିକ୍ ଭାବେ ପହଞ୍ଚି ପାରିନି । ଯାହା ଫଳରେ ଲୋକମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ରବିବାର ଦିନ ମଧ୍ୟପ୍ରଦେଶର ଜଣେ ଗର୍ଭବତୀ ମହିଳା ଏହିଭଳି ପରିସ୍ଥିତି ଗତି କରିଛନ୍ତି । ତାଙ୍କ ଗାଁକୁ ଯିବା ରାସ୍ତା କାଦୁଅରେ ପରିପୂର୍ଣ୍ଣ ରହିଥିଲା । ତେଣୁ ମହିଳା ଜଣକ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା । ଫଳସ୍ୱରୂପ ଗର୍ଭବତୀ ଜଣକ ଅଧିକ କଷ୍ଟ ସହ୍ୟ କରି ନପାରି ରାସ୍ତା ଉପରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ । ଏହି ମାମଲା ଆସିଛି କୋଟର୍ ତହସିଲର ବିହରା ଡୋଙ୍ଗରୀ ଗାଁର ।

ସୂଚନା ଅନୁସାରେ, ଗାଁର ୨୫ ବର୍ଷୀୟ ମହିଳା ନୀଲମ୍ ଙ୍କର ରବିବାର ଦିନ ସକାଳ ସମୟରେ ପେଟରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହାପରେ ତାଙ୍କ ସ୍ୱାମୀ ପାଖ ହସ୍ପିଟାଲରୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଗାଁକୁ ଯିବା ରାସ୍ତା ଖୁବ୍ ଖରାପ ଥିବାରୁ ଅର୍ଥାତ୍ କାଦୁଅରେ ପରିପୂର୍ଣ୍ଣ ଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ପାରିନଥିଲା । ଫଳରେ ନୀଲମ୍ ରାସ୍ତା ରେ ବେଶି ଦୂର ଯାଇ ନପାରିବାରୁ ରାସ୍ତା ଉପରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ । ଏହାପରେ ନୀଲମ୍ ଏବଂ ଶିଶୁକୁ ନେଇ ଆମ୍ବୁଲାନ୍ସ ହସ୍ପିଟାଲକୁ ଯାଇଥିଲା । ବର୍ତ୍ତମାନ ମାଆ ଏବଂ ଶିଶୁ ଦୁହେଁ ଠିକ୍ ଥିବା ଜଣାପଡ଼ିଛି ।

ତେବେ ଖାଲି ନୀଲମ୍ ନୁହେଁ ବରଂ ସବୁ ବର୍ଷା ଦିନରେ ଡୋଙ୍ଗରୀ ଗାଁର ଅବସ୍ଥା ଏହିପରି ଭାବେ ହିଁ ରହିଥାଏ । ଏଠାରେ ୭୦ ପ୍ରତିାତ ଆଦିବାସୀ ବସବାସ କରୁଥିବା ବେଳେ ସେମାନେ ଏହିଭଳି ସମସ୍ୟା ଦେଇ ଗତି କରନ୍ତି । ସ୍ଥାନୀୟ ଅଞ୍ଚଳର ନେତା ମନ୍ତ୍ରୀ ମାନଙ୍କୁ ଏସମ୍ପର୍କରେ ଗୁହାରି କରିବା ପରେ ବି କୌଣସି ସୁଫଳ ମିଳିପାରୁନି ।